ପୁରୀ (ଅନିମେଶ ପଟ୍ଟନାୟକ ): ନୀଳ ଆକାଶରେ ଚମତ୍କାର ସମର ଜଲସା ଦେଖାଇଛି ବାୟୁସେନାର ସୂର୍ଯ୍ୟକିରଣ ଟିମ୍ । ଯାହାକୁ ହଜାର ହଜାର ଦର୍ଶକ ମନଭରି ଉପଭୋଗ କରିଛନ୍ତି ।
ସମ୍ଭାବ୍ୟ ଲଘୁଚାପ ଜନିତ ଖରାପ ପାଣିପାଗକୁ ନଜରରେ ରଖି ସୂର୍ଯ୍ୟକିରଣ ସୋ କୁ ଶନିବାର କରାଯାଇଥିଲା । ବେଳାଭୂମିରେ ସକାଳ ୧୦ .୩୦ ପୂର୍ବରୁ ହଜାର ହଜାର ଲୋକ ଏକତ୍ରିତ ହୋଇଥିଲେ ଶୋ ଦେଖିବାକୁ । ନିର୍ଦ୍ଧାରିତ ସମୟରେ ସୂର୍ଯ୍ୟକିରଣ ତାର କଳା କୌଶଳ ପ୍ରଦର୍ଶନ କରିଥିଲା । ଯାହାକୁ ମନ ଭରି ଉପଭୋଗ କରିଥିଲେ ଦର୍ଶକ । ଭାରତୀୟ ବାୟୁସେନାର ୯ଟି ଲଢୁଆ ବିମାନ ବେଳାଭୂମି ଆକାଶରେ ଭିନ୍ନ ଭିନ୍ନ ଶୈଳୀରେ ପରାକାଷ୍ଠା ଦେଖାଇଥିଲେ । ଲଢୁଆ ବିମାନମାନଙ୍କ ଗର୍ଜନ ସହ ସମୁଦ୍ର ଲହଡ଼ିର ଗର୍ଜନ ଅଦ୍ଭୁତ ଓ ଆକର୍ଷଣୀୟ ଥିଲା ବୋଲି ଦର୍ଶକମାନେ କହିଛନ୍ତି ।
ପ୍ରକାଶ ଥାଉକି, ସ୍ବାଧିନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଆଜାଦୀ କା ଅମ୍ରିତ ମହୋତ୍ସବ ପାଳନ ହେଉଛି । ଏହାକୁ ଅଧିକା ଦେଶପ୍ରେମ କରିବା ଉଦ୍ଦେଶ୍ଯରେ ପୁରୀରେ ବାୟୁସେନାର ସୂର୍ଯ୍ୟକିରଣ ଟିମ ଏହି କଳା କୌଶଳ ପ୍ରଦର୍ଶନ କରିଛି । ଏହି ଅବସରରେ ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବେଳାଭୂମିରେ ଉପସ୍ଥିତ ରହି ଉପଭୋଗ କରିଥିଲେ । ଆସନ୍ତାକାଲି ଯଦି ପାଗ ଭଲ ରହେ ତେବେ ପୁଣି ଏହି ଲଢୁଆ ବିମାନ ଗୁଡ଼ିକ ଆକାଶ ମାର୍ଗରେ ପୁଣି ଏହି ଚିତ୍ତାକର୍ଷକ ଦୃଶ୍ୟ ପ୍ରଦର୍ଶନ କରିବେ ।