ରାୟଗଡରୁ ସରୋଜ କୁମାର ସାହୁ: ଓଡ଼ିଶାର ମହାମହିମ ରାଜ୍ୟପାଳ, ବିଶିଷ୍ଟ ବାଗ୍ନୀ ପ୍ରଫେସର ଗଣେଶୀ ଲାଲ ରାୟଗଡ ଜିଲ୍ଲା ଗସ୍ତରେ ଆସି ରାୟଗଡ ଜିଲ୍ଲାର କୋଲନରା ବ୍ଲକ ଅନ୍ତର୍ଗତ କେ. ଡେଙ୍ଗାସରିଗି ଗ୍ରାମର ଓଡିଶା ଜୀବିକା ମିଶନ ଯୋଜନାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ଦ୍ୱାରା କରାଯାଇଥିବା ଗେଣ୍ଡୁ ଫୁଲ ଚାଷ, ମହୁ ଚାଷ ଓ ପରିବା ଚାଷକୁ ବୁଲି ଦେଖିବା ସହ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କ ସହ ଆଲୋଚନା କରିଥିଲେ । ଏହାସହ କେ.ଡେଙ୍ଗାସରିଗି ଓ ଦେଓପୁର ଠାରେ ନିର୍ମିତ ହୋଇଥିବା ଅମ୍ରିତ ସରୋଭର ପରିଦର୍ଶନ କରିଥିଲେ ।
ଏହିଅବସରରେ ମହାମହିମ ରାଜ୍ୟପାଳ କେ.ଡେଙ୍ଗାସରିଗି, ମୁକୁନ୍ଦପୁର ଓ ସରାବଗୁଡା ଗ୍ରାମରେ ଆଧୁନିକ ପ୍ରଣାଳୀରେ କରାଯାଇଥିବା ଛେଳି ଓ କୁକୁଡ଼ା ଚାଷକୁ ବୁଲି ଦେଖିବା ସହ ଚାଷୀ ମାନଙ୍କ ସହ ଆଲୋଚନା କରିଥିଲେ । ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏହି ସବୁ ଅଞ୍ଚଳ ପରିଦର୍ଶନ କରିବା ସହ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା କରାଯାଇଥିବା ଆତ୍ମନିର୍ଭରଶୀଳ ଯୋଜନାର ସଫଳ ରୂପାୟନକୁ ଉଚ୍ଚ ପ୍ରଶଂସା କରିଥିଲେ । ରାଜ୍ୟପାଳ ଆହୁରି ମଧ୍ୟ କହିଥଲେ ଯେ, ଏ ଯେଉଁ ଆଦିମ ଜନଜାତି ବା ଯାହାକୁ ଆମେ (ଟ୍ରାଇବଲ) କହୁଚୁ ମୋ ମତରେ ସେମାନେ ହେଉଛନ୍ତି ଆଦିଶକ୍ତିର ପ୍ରଥମ ସନ୍ତାନ ବୋଲି ସମ୍ବୋଧିତ କରିବା ସହ ସେମାନଙ୍କର ଉନ୍ନତି ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ସବୁବେଳେ ଚେଷ୍ଟିତ ବୋଲି ମତବ୍ୟକ୍ତ କରିଥିଲେ । ଏହାପରେ ମଧ୍ୟାନରେ ମହାମହିମ ରାଜ୍ୟପାଳ ରାୟଗଡ ବ୍ଲକ ଅନ୍ତର୍ଗତ ଶିରୀଗୁଡା ଠାରେ ଥିବା ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ ଓ ରାୟଗଡ ସଦର ମହକୁମାରେ ଥିବା ୫ଟି ମାଧ୍ୟମରେ ରୂପାନ୍ତରିତ ଗୋବିନ୍ଦ ଚନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟକୁ ପରିଦର୍ଶନ କରି ୫ଟି ମାଧ୍ୟମରେ କିଭଳି ଶିକ୍ଷାଦାନ ହେଉଥିବା ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ସହ ଆଲୋଚନା କରିଥିଲେ ।
ଏହାପରେ ସ୍ଥାନୀୟ ସର୍କିଟ ହାଉସ ଠାରେ ଜିଲ୍ଲାରେ ସରକାରଙ୍କର ବିଭିନ୍ନ ଜନାହିତକର ଯୋଜନା ଗୁଡିକର କିପରି କାର୍ଯ୍ୟକାରୀ ହେଉଛି ଏହାର ସମୀକ୍ଷା କରିବା ସହ ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ । ପ୍ରକାଶ ଥାଉକି ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତା. ୧୧/୦୯/୨୦୨୨ ରିଖରେ କୋରାପୁଟ ଜିଲ୍ଲା ଗସ୍ତ ସାରି ସଡକ ପଥରେ ସନ୍ଧ୍ୟାରେ ରାୟଗଡରେ ପହଞ୍ଚିଥିଲେ । ମହାମହିମ ରାଜ୍ୟପାଳ ରାୟଗଡ ଠାରେ ପହଁଚିବା ପରେ ତାଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯିବା ସହ ପୋଲିସ ପକ୍ଷରୁ ଗାର୍ଡ ଅଫ ହନର ପ୍ରଦାନ କରାଯାଇଥିଲା । ଏହିଅବସରରେ ରାୟଗଡ ଜିଲ୍ଲାପାଳ ଶ୍ରୀମତୀ ସ୍ୱଧା ଦେବ ସିଂ, ଆରକ୍ଷୀ ଅଧିକ୍ଷକ ଶ୍ରୀ ବିବେକାନନ୍ଦ ଶର୍ମା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଧର୍ମାନନ୍ଦ ବେହେରା, ଉପ ଜିଲ୍ଲାପାଳ ଶ୍ରୀ ଭୀମସେନ ଶବର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବସନ୍ତ କୁମାର ପ୍ରଧାନ, ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଓ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ । ମହାମହିମ ରାଜ୍ୟପାଳଙ୍କ ସୁରକ୍ଷା ଦୃଷ୍ଟିରୁ ପୋଲିସ ପ୍ରଶାସନ ତରଫରୁ ବ୍ୟାପକ ପୋଲିସ ମୃତୟନ କରାଯିବା ସହ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା ।