ଭୁବନେଶ୍ୱର: ଛାତ୍ରଛାତ୍ରୀଙ୍କୁ ସେମାନଙ୍କର ଦୈନନ୍ଦିନ କାର୍ଯ୍ୟକ୍ରମ ମଧ୍ୟରେ ଶାରୀରିକ କାର୍ଯ୍ୟକଳାପ ଏବଂ କ୍ରୀଡାକୁ ସଂସ୍ଥାପିତ କରିବା ନିମନ୍ତେ ସେମାନଙ୍କୁ ଉତ୍ସାହିତ କରିବାକୁ ଆଦିତ୍ୟ ବିର୍ଲା ପବ୍ଲକ ସ୍କୁଲ, ଭୁବନେଶ୍ୱର ୨୦୨୨ ଅଗଷ୍ଟ ୨୩ରେ ‘ହମ୍ ଫିଟ୍ ତୋ ଇଣ୍ଡିଆ ଫିଟ୍’ ଶୀର୍ଷକରେ ଏକାଧିକ କାର୍ଯ୍ୟକ୍ରମ ପ୍ରିନ୍ସିପାଲ ଶ୍ରୀ ଏଲ.ଏନ.ଦାଶଙ୍କ ତତ୍ତ୍ୱାବଧାନରେ ଆରମ୍ଭ କରିଥିଲା । ଛାତ୍ରଛାତ୍ରୀମାନଙ୍କୁ ପାଠ୍ୟକ୍ରମ ବାହାର ସୃଜନଶୀଳ କାର୍ଯ୍ୟକ୍ରମ ଗୁଡିକରେ ନିୟୋଜିତ କରିବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଥିଲା ।
ଏହି ପରିପ୍ରେକ୍ଷୀରେ ସ୍କୁଲ ପକ୍ଷରୁ ୨୦୨୨ ଅଗଷ୍ଟ ୨୫ରେ ସ୍କୁଲର ଏଭି ହଲ୍ରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ତଥା ଓଡ଼ିଶା ହକି ପ୍ରମୋସନ କାଉନସିଲ୍ର ଅଧ୍ୟକ୍ଷ ପଦ୍ମଶ୍ରୀ ଏବଂ ଅର୍ଜୁନ ପୁରସ୍କାର ବିଜେତା ଶ୍ରୀ ଦିଲୀପ ତିର୍କୀ ଏହି ଉତ୍ସବରେ ମୁଖ୍ୟ ଅତିଥି ଏବଂ ଶ୍ରୀ ଅର୍ଦ୍ଧେନ୍ଦୁ ମହାପାତ୍ର, ପ୍ରେସିଡେଣ୍ଟ, କର୍ପୋରେଟ ଆଫେୟାର୍ସ ଓ ଡଃ. ବିଭୁଦତ୍ତ ମହାପାତ୍ର, ଭାଇସ ପ୍ରେସିଡେଣ୍ଟ, କର୍ପୋରେଟ କମ୍ୟୁନିକେସନ୍ସ ଆଣ୍ଡ ସିଏସ୍ଆର, ଆଦିତ୍ୟ ବିର୍ଲା ଗ୍ରୁପ୍ ଯୋଗଦେଇଥିଲେ ।
ସ୍କୁଲ ପ୍ରିନସିପାଲ ଶ୍ରୀ ଏଲ.ଏନ.ଦାଶ ମୁଖ୍ୟ ଅତିଥି ଶ୍ରୀ ତିର୍କୀଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇଥିଲେ ।
ସ୍କୁଲ୍ର ନୃତ୍ୟ ଦଳ ଅତିଥିମାନଙ୍କ ସମ୍ମୁଖରେ ଆଦିତ୍ୟ ବନ୍ଦନା ସଂଗୀତକୁ ନେଇ ଆକର୍ଷଣୀୟ ନୃତ୍ୟ କାର୍ଯ୍ୟକ୍ରମ ପ୍ରଦର୍ଶନ କରିଥିଲେ ଏବଂ ସ୍କୁଲ୍ର ଛାତ୍ରଛାତ୍ରୀ ଶ୍ରୀ ଜ୍ଞାନେଶ୍ୱର ପାଣ୍ଡେ, ଶ୍ରୀମତୀ ରିଚୁପର୍ଣ୍ଣା ଚାଟାର୍ଜୀ ଏବଂ ଶ୍ରୀମତୀ ନମ୍ରତା ଗୁପ୍ତାଙ୍କ ତତ୍ତ୍ୱାବଧାନରେ ସୁମଧୁର ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ ।
ମୁଖ୍ୟ ଅତିଥି ଶ୍ରୀ ଦିଲୀପ ତିର୍କୀ ତାଙ୍କ ଅଭିଭାଷଣରେ ଫିଟ୍ନେସର ଗୁରୁତ୍ୱ ଏବଂ ଛାତ୍ରଛାତ୍ରୀଙ୍କ ଜୀବନରେ କ୍ରୀଡାର ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ । ଓଡ଼ିଶା ସରକାରଙ୍କ ପକ୍ଷରୁ ହକି ଖେଳକୁ ପ୍ରୋତ୍ସାହିତ କରିବା ନିମନ୍ତେ ଯୋଗାଇ ଦିଆଯାଉଥିବା ସୁବିଧା ସୁଯୋଗ ସମ୍ପର୍କରେ ସେ ପ୍ରକାଶ କରିବା ସହିତ ପ୍ରତିଦିନ କ୍ରୀଡା କାର୍ଯ୍ୟକ୍ରମରେ ଭାଗ ନେବାକୁ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ଛାତ୍ରଛାତ୍ରୀ ବିଶ୍ୱ କପ୍ ହକି ଏବଂ ଭାରତୀୟ ହକିଦଳର ନେତୃତ୍ୱ ନେବା ସମ୍ପର୍କରେ ତାଙ୍କର ଅନୁଭୂତି ସମ୍ପର୍କରେ ଜାଣିବାକୁ ବେଶ୍ ଆଗ୍ରହ ପ୍ରକାଶ କରିଥିଲେ ।
ଛାତ୍ରଛାତ୍ରୀଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଶ୍ରୀ ତିର୍କୀଙ୍କ ସହିତ ଏକ ପ୍ରଶ୍ନୋତ୍ତର ଅଧିବେଶନ ଆୟୋଜିତ ହୋଇଥିଲା । ଛାତ୍ରଛାତ୍ରୀ ତାଙ୍କ ସହିତ ଭାବ ବିନିମୟ କରିବା ସହିତ ସ୍କୁଲ ଦିଗୁଡିକରେ ତାଙ୍କର ସଫଳତା, ଫିଟ୍ ରହିବାର ମନ୍ତ୍ର ଏବଂ ଓଡ଼ିଶାରେ ହକିର ବିକାଶ ଆଦି ସମ୍ପର୍କରେର ପ୍ରଶ୍ନମାନ ପଚାରିଥିଲେ ।
କାର୍ଯ୍ୟକ୍ରମ ଶେଷରେ ସ୍କୁଲର ଭାଇସ୍ ପ୍ରିନସିପାଲ ଚନ୍ଦ୍ରେଶ ଶାହ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ପ୍ରଶାସନିକ ଅଧିକାରୀ ଶ୍ରୀ ଏନ୍.ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଆଦିତ୍ୟର ଛାତ୍ରଛାତ୍ରୀଙ୍କ ପାଇଁ ବାସ୍ତବରେ ଏହା ଏକ ସମ୍ପୂର୍ଣ୍ଣ ନୂଆ ଦୁନିଆର ଅନୁଭୂତି ଥିଲା ।
ରାଜ୍ୟ
ଏବିପିଏସ୍ ଭୁବନେଶ୍ୱରରେ କ୍ରୀଡା ଓ ଫିଟ୍ନେସ୍ ସପ୍ତାହ ପାଳନ
- Hits: 465