ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଚନ୍ଦ୍ରଗିରିର କାଲିଆପଟା ସ୍ଥିତ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ପରିସରରେ ଶିଳ୍ପ ତାଲିମ କେନ୍ଦ୍ର ଏବଂ ଗଜପତି ଜିଲ୍ଲା ନିୟୋଜନ କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ପ୍ରଧାନମନ୍ତ୍ରୀ ଜାତୀୟ ଆପ୍ରେଣ୍ଟିସସିପ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଆଇଟିଆଇ ପାସ-ଆଉଟ ଛାତ୍ରଛାତ୍ରୀ ମାନଙ୍କ ଆତ୍ମନିର୍ଭର ପାଇଁ ଅଧିକ ଆପ୍ରେଣ୍ଟିସସିପ ନିଯୁକ୍ତିର ସୁଯୋଗ ସୃଷ୍ଟି କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ।
ଏହି ଅବସରରେ ଗଜପତି ଜିଲ୍ଲାର ଚନ୍ଦ୍ରଗିରି , ରାୟଗଡ ଓ ଗୁମ୍ମା ଠାରେ ଥିବା ସରକାରୀ ଆଇଟିଆଇରେ ତାଲିମ ନେଇ ପାସ-ଆଉଟ ହୋଇଥିବା ୧୨୯ ଜଣ ଏଥିରେ ଅଂଶଗ୍ରହଣ କରିଥିଲେ।
ସେମାନଙ୍କ ମଧ୍ୟରୁ ୬୬ ଜଣ ଛାତ୍ରଛାତ୍ରୀ ବିଭିନ୍ନ କମ୍ପାନୀରେ ଇଲେକଟ୍ରିକାଲ , ୱେଲଡ଼ର , ଫିଟର ଓ ଏମଏମଭି ଟ୍ରେଡ଼ରେ ଆପ୍ରେଣ୍ଟିସସିପ ଭିତ୍ତିକ ନିଯୁକ୍ତି ପାଇଁ ଦରଖାସ୍ତ କରି ନାମ ପଞ୍ଜିକରଣ କରିଥିଲେ।
ଏହି ଅବସରରେ ଏକ ସଚେତନତା ଭିତ୍ତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ପ୍ରାରମ୍ଭରେ ଶିଳ୍ପ ତାଲିମ କେନ୍ଦ୍ରର ୱାଇଡିଏମ- ଟାଟା ଷ୍ଟାଇଭ ଫେସିଲିଟେଟର ଶ୍ରୀ ସଂଜିତ କୁମାର ମିଶ୍ର କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ।
ଚନ୍ଦ୍ରଗିରି ଶିଳ୍ପ ତାଲିମ କେନ୍ଦ୍ରର ଅଧ୍ୟକ୍ଷ ଶ୍ରୀ ଜଗଦିଶ ହାଇବ୍ରୁଙ୍କ ସଭାପତିତ୍ୱରେ ଜିଲ୍ଲା ନିୟୋଜନ ଅଧିକାରୀ ଶ୍ରୀ ସୌଭାଗ୍ୟ ସ୍ମୃତି ରଞ୍ଜନ ତ୍ରିପାଠୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଆପ୍ରେଣ୍ଟିସସିପ କଣ , ଏହାର ଆବଶ୍ୟକତା ଓ ଭବିଷ୍ୟତ ଉପକାରୀତା ଏବଂ ଏଥିରେ ରହିଥିବା ସୁବିଧା ସୁଯୋଗର ବିଭିନ୍ନ ଦିଗ ସମ୍ପର୍କରେ ଉପାଦେୟ ତଥ୍ୟ ପ୍ରଦାନ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଓପିଟିସିଏଲ ଚନ୍ଦ୍ରଗିରିର ସହକାରୀ ଯନ୍ତ୍ରୀ ଶ୍ରୀ ଉମାକାନ୍ତ ଗୌଡ଼ , ଓପିଟିସିଏଲର ସହକାରୀ ପରିଚାଳକ ଶ୍ରୀ ପ୍ରଭାତ ପଟ୍ଟନାୟକ , ଜିଲ୍ଲା ଶିଳ୍ପ କେନ୍ଦ୍ରର ମୁଖ୍ୟ ପରିଚାଳକ ଶ୍ରୀ ଏସ୍. ସୁନାରାମ ସିଂହ ପ୍ରମୁଖ ଯୋଗଦେଇ ଆପ୍ରେଣ୍ଟିସସିପ ନିଯୁକ୍ତିର ଆବଶ୍ୟକତା ଉପରେ କହିଥିଲେ।
ଏହି କାର୍ଯ୍ୟକ୍ରମରେ ସନସାଇନ ହେଲଥ କେୟାର ସର୍ଭିସେସ , ଏସଆଇଏସ ସିକୁରିଟି , ରାୟମଣ୍ଡ ଗ୍ରୁପ , ଆରଏନଡି ସଫେଟେକ ପ୍ରାଇଭେଟ ଲିମିଟେଡ଼ , ହାଇଦ୍ରାବାଦ ସ୍ଥିତ ଉଷା ଇଣ୍ଟରନେସନେଲ ଲିମିଟେଡ଼, ରାନେ ମାଡ୍ରାସ ଲିମିଟେଡ଼ , ବିଷ୍ଣୁ କେମିକାଲ ଲିମିଟେଡ଼ ଏବଂ ଓପିଟିସିଏଲ ପ୍ରମୁଖ ଯୋଗ ଦେଇଥିଲେ।
ରାଜ୍ୟ
ଚନ୍ଦ୍ରଗିରି ଠାରେ ପ୍ରଧାନମନ୍ତ୍ରୀ ଜାତୀୟ ଆପ୍ରେଣ୍ଟିସସିପ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ
- Hits: 473







