ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଶରୀରକୁ ସୁସ୍ଥ , ମନକୁ ଶାନ୍ତ ଓ ଶ୍ବାସକ୍ରିୟାକୁ ନିୟନ୍ତ୍ରିତ କରିବା ପାଇଁ ସାରା ବିଶ୍ୱରେ ମଙ୍ଗଳବାର ଦିନ ଯୋଗ ଦିବସ ପାଳନ କରାଯାଉଥିବା ବେଳେ ପାରଳାଖେମୁଣ୍ଡି ସମେତ ସାରା ଗଜପତି ଜିଲ୍ଲାରେ ମଧ୍ୟ ଅଷ୍ଟମ ଆନ୍ତର୍ଜାତୀୟ ଯୋଗ ଦିବସ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପାଳିତ ହୋଇଯାଇଛି। ପାରଳାଖେମୁଣ୍ଡି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ବିଦ୍ୟାଳୟର ଛାତ୍ରଛାତ୍ରୀ , ପତଞ୍ଜଳି ମହିଳା ଯୋଗ ସମିତି, ଭାରତ ସ୍ବାଭିମାନ ଓ ଯୋଗ ପ୍ରେମୀ ବ୍ୟକ୍ତି ବିଶେଷଙ୍କ ଉପସ୍ଥିତିରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ହୋଇଯାଇଛି।
ଉକ୍ତ କାର୍ଯ୍ୟକ୍ରମ ବିଦ୍ୟାଳୟର ଯୋଗ ଶିକ୍ଷକ ଶ୍ରୀ. ମୂରଲୀ ମୋହନ ପ୍ରଧାନ , ପତଞ୍ଜଳିର ଜିଲ୍ଲା ପ୍ରଭାରୀ ସୁରେନ୍ଦ୍ର ରଥ , ଯୋଗଗୁରୁ ବିଘ୍ନେଶ୍ବର ଦାସ ପ୍ରମୁଖ ଯୋଗଦେଇ ବିଭିନ୍ନ ପ୍ରକାରର ଯୋଗଭ୍ୟାସ କରାଇଥିଲେ।
ଏହି କାର୍ଯ୍ୟକ୍ରମରେ ୩୦୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ , ଯୋଗ ପ୍ରେମୀ ବ୍ୟକ୍ତି ଅଂଶଗ୍ରହଣ କରିଥିଲେ। ସମସ୍ତ କାର୍ଯ୍ୟକ୍ରମ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ପରିଚାଳନା କରିଥିବା ବେଳେ ଗୁରୁଜୀ ଗୁରୁମାଙ୍କ ସହଯୋଗରେ ଅନୁଷ୍ଠିତ ହୋଇଥିଲା।
ସେହିପରି ସ୍ଥାନୀୟ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟରେ ଏନସିସି ନାୱାଲ ବିଭାଗ ତରଫରୁ ଯୋଗ ଅଭ୍ୟାସ ଶିବିର ଆୟୋଜିତ ହୋଇଥିଲା। ଏହି ଶିବିରରେ ମୋଟ ଶହେ ଜଣ ଏନସିସି ନୌସେନା ଛାତ୍ର ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମ ବିଦ୍ୟାଳୟର ଏନସିସି ଶିକ୍ଷକ ଶ୍ରୀ ହରିହର ଦାସଙ୍କ ତତ୍ତ୍ଵାବଧାନରେ ଆୟୋଜନ କରାଯାଇଥିଲା , ଏହି ଶିବିରରେ ଶ୍ରୀ ପ୍ରସନ୍ନ କୁମାର ରଥ ଓ କେ.ସୁରିବାବୁ ଯୋଗଗୁରୁ ହିସାବରେ ଯୋଗଦେଇ ପିଲାମାନଙ୍କୁ "ଯୋଗ ଶିକ୍ଷା "ର ଗୁରୁତ୍ଵ ବିଷୟରେ ଆଲୋଚନା କରି କେତେକ ଯୋଗ କାର୍ଯ୍ୟ ଶିଖାଇ ଥିଲେ। ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଓ ଅନ୍ୟାନ୍ୟ ଶିକ୍ଷକ ଓ ଶିକ୍ଷୟତ୍ରୀ ଯୋଗଦେଇଥିଲେ।
ସେହିପରି ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ବୟଂଶାସିତ ମହାବିଦ୍ୟାଳୟ ପରିସରରେ ମହାବିଦ୍ୟାଳୟର ଏନ୍ ସି ସି ଆର୍ମି ଉଇଙ୍ଗସ ବିଭାଗ ଓ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ଆର୍ମି ଉଇଙ୍ଗସ ବିଭାଗର ଛାତ୍ରଛାତ୍ରୀ ମାନେ ଏହି ଯୋଗଭ୍ୟାସ ତଥା ଯୋଗ-ଶିବିରରେ ଅଂଶ ଗ୍ରହଣ କରିଥିଲେ।
ସେହିପରି ''ନିୟତି'' ଭିନ୍ନକ୍ଷମ ପାଇଁ ସେବାରତ ଅନୁଷ୍ଠାନ, ରଣିପେଣ୍ଠ ,ଗୁମ୍ମା ରୋଡ ଠାରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି ଏହି ଯୋଗ ଶିବିରରେ ଯୋଗଗୁରୁ ବିଘ୍ନେଶ୍ୱର ପଣ୍ଡା , ସହଯୋଗୀ ଗୁରୁ ସୁରେନ୍ଦ୍ର ନାଥ ରଥ ଭିନ୍ନକ୍ଷମ ପିଲାଙ୍କୁ ଯୋଗର ଆବଶ୍ୟକତା ସହ ଦୈନିକ ଅଧାଘଣ୍ଟା ଯୋଗ କରିବା ଦ୍ୱାରା ମାନସିକ ଓ ଶାରିରୀକ ବିକାଶ ହୋଇପାରିବ। ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ ନିମନ୍ତେ ଏହି ଭଳି ପିଲାଙ୍କୁ ପ୍ରଥମେ ଶାରିରୀକ ସୁସ୍ଥତା ନିତାନ୍ତ ଜରୁରୀ କହିଥିଲେ।
ଅନୁଷ୍ଠାନର ସଭାପତି ଡକ୍ଟର ଅଜୟ କୁମାର ତ୍ରିପାଠୀ ଅଧ୍ୟକ୍ଷତା କରିଥିଲେ ମୁଖ୍ୟ ଅତିଥି ଭାବେ ଓଡ଼ିଶାର ଅଗ୍ରଣୀ ଅନୁଷ୍ଠାନ ''ଅରୁଣା'' ର ଜିଲ୍ଲା ପରାମର୍ଶ ଦାତା ତଥା ଶିଶୁ ସୁରକ୍ଷା ଯୋଜନା ଯୋଗଦେଇ ମାନସିକ ଅନଗ୍ରସର ଛାତ୍ର ଛାତ୍ରୀଙ୍କୁ ଖେଳ ଗୀତ , ସ୍ନେହ ଓ ଶ୍ରଦ୍ଧା ବଳରେ ତାଙ୍କୁ ଆବଶ୍ୟକୀୟ ମାନସିକ ବିକାଶରେ ସହାୟତା ପାଇଁ ଉଦବୋଧନ ଦେଇଥିଲେ।
ନିୟତିର ସମ୍ପାଦକ ବିଚିତ୍ରାନନ୍ଦ ବେବର୍ତ୍ତା ସ୍ଵାଗତ ସମ୍ଭାଷଣ ଦେଇଥିବା ବେଳେ, ଡାକ୍ତର ଅରୁଣ ନାୟକ ଫିଜିଓଥେରୋପିଷ୍ଟ , ଅଧ୍ୟକ୍ଷା ସ୍ନେହଲତା ପାଣିଗ୍ରାହୀ , ଶିଖିକ୍ଷା ଶାଶ୍ଵତୀ ବେବର୍ତ୍ତା , ପ୍ରତିମା ନାୟକ , ସୁନିତ୍ ଗମାଙ୍ଗ , ସୁଷମା ନାୟକ , ରୀତୁ ସାହୁ , ପୂର୍ଣାବାସୀ ନାୟକ , ଜୟାମ୍ମା ପ୍ରଭୃତି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଭିନ୍ନକ୍ଷମ ପିଲାମାନେ ନୃତ୍ୟ ଗୀତ ପରିବେଷଣ କରିଥିଲେ।
ସେହିପରି ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ପଦ୍ମପୁର ସ୍ଥିତ ବିନୋଦିନୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନେହୁରୁ ଯୁବ କେନ୍ଦ୍ର ଓ ବିଦ୍ୟାଳୟର ଜାତୀୟ ସେବା ଯୋଜନାର ମିଳିତ ଆନୁକୂଲ୍ୟରେ ଅଷ୍ଟମ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି।
ଏ ସମ୍ପର୍କରେ ଅଧିକ ସୂଚନା ଦେଇ ଆଶାଲତା ପାଣିଗ୍ରାହୀ , ହରିହର ଦାସ ପ୍ରମୁଖ କହିଛନ୍ତି ଯେ , ଆମର ଦୈନନ୍ଦିନ ଜୀବନରେ ନିଜର ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟକୁ ସୁସ୍ଥ ରଖିବା ପାଇଁ ଯୋଗର ଯଥେଷ୍ଟ ଆବଶ୍ୟକତା ରହିଛି। ଯୋଗ ମନ ଏବଂ ଶରୀରକୁ ସଂଯୋଗ କରିଥାଏ । ନିୟମିତ ଭାବେ ଯୋଗ କଲେ ଶରୀରର ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି ପାଇଥାଏ , ଅମ୍ଳଜାନ ସ୍ତର ବୃଦ୍ଧି ହୋଇଥାଏ ଏବଂ ସୁସ୍ଥ ସମାଜ ଗଠନରେ ସହାୟକ ହୋଇଥାଏ। ଯାହାଦ୍ୱାରା ମାଗଣାରେ ଓ ବିନା ଔଷଧରେ ଆମେ ସୁସ୍ଥ ରହି ପାରିବା। ଶରୀରରେ ଦେଖା ଦେଉଥିବା ବିଭିନ୍ନ ପ୍ରକାରର ଅସାଧ୍ୟ ରୋଗରୁ ମଧ୍ୟ ମୁକ୍ତି ପାଇପାରିବା।
ତେଣୁ ଦୈନନ୍ଦିନ ଜୀବନରେ ଯୋଗ-ପ୍ରାଣାୟମ ଅଭ୍ୟାସର ଆବଶ୍ୟକତା ଯଥେଷ୍ଟ ରହିଥିବା ଏବଂ ସମସ୍ତେ ଯୋଗଭ୍ୟାସ କରିବା ଆବଶ୍ୟକ ବୋଲି କହିଥିଲେ।
ରାଜ୍ୟ
ଅଷ୍ଟମ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ
- Hits: 509