• କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟ୍ୱିଟ୍ ପରେ ହାତୀ ମୃତ୍ୟୁ ଘଟଣାରେ କେନ୍ଦ୍ର ପରିବେଶ,ଜଙ୍ଗଲ ମନ୍ତ୍ରୀଙ୍କ କାର୍ଯ୍ୟନୁଷ୍ଠାନ ନିର୍ଦ୍ଦେଶ
• ଶିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଲେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦର ଯାଦବ
• ଓଡ଼ିଶା ସରକାରଙ୍କୁ ଆଠଗଡ଼ରେ ହାତୀ ଗୁଳିବିଦ୍ଧ ଘଟଣାର ବିସ୍ତୃତ ରିପୋର୍ଟ ଦେବାକୁ ମନ୍ତ୍ରଣାଳୟର ନିର୍ଦ୍ଦେଶ
ଭୁବନେଶ୍ୱର– ଓଡ଼ିଶାରେ ବଢ଼ୁଥିବା ହାତୀ ମୃତ୍ୟୁ ଘଟଣା ନେଇ ଉଦବେଗ ପ୍ରକାଶ କରିବା ସହ ଏହା ଚିନ୍ତାଜନକ ବୋଲି ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ ଟ୍ୱିଟ୍ ରିଛନ୍ତି ଯେ ଓଡ଼ିଶାର ଘଞ୍ଚ ଜଙ୍ଗଲ ଏବଂ ବନ୍ୟପ୍ରାଣୀ ଆମ ରାଜ୍ୟର ଅନନ୍ୟ ପରିଚୟ । ପ୍ରକୃତି ଓ ପର୍ଯ୍ୟାବରଣରେ ହାତୀ ମାନଙ୍କର ସ୍ଥାନ ସ୍ୱତନ୍ତ୍ର । ମାତ୍ର ଦୀର୍ଘ ବର୍ଷ ଧରି ରାଜ୍ୟରେ ବଢ଼ୁଥିବା ହାତୀ ମୃତ୍ୟୁ ଘଟଣା ବେଶ୍ ଉଦବେଗଜନକ । ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ଓଡ଼ିଶା ପରି ହାତୀ ବହୁଳ ରାଜ୍ୟରେ ବିଗତ 12 ବର୍ଷରେ ପ୍ରାୟ 947ଟି ହାତୀ ମୃତ୍ୟୁବରଣ କରିଛନ୍ତି । ଶୀକାରୀଙ୍କ ଗୁଳି, ବିଷ ପ୍ରୟୋଗ, ବ୍ୟବସ୍ଥାର ତ୍ରୁଟିରୁ ବିଦ୍ୟୁତ୍ ଆଘାତ ବା ଦୁର୍ଘଟଣା ଯୋଗୁଁ ଅନେକ ହାତୀଙ୍କ ମୃତ୍ୟୁ ଘଟିବା ଚିନ୍ତାର ବିଷୟ । ନିକଟ ଅତୀତରେ କଟକ ଜିଲ୍ଲାରେ ଗୁଳିବିଦ୍ଧ ହାତୀର ମୃତ୍ୟୁ ବନ୍ୟପ୍ରାଣୀ ଓ ପ୍ରକୃତିପ୍ରେମୀଙ୍କୁ ଦୁଃଖ ଦେଇଛି । ହାତୀ ସୁରକ୍ଷା ପାଇଁ ସମୟୋପଯୋଗୀ ପଦକ୍ଷେପ ନେବା ଜରୁରୀ । ରାଜ୍ୟ ସରକାର ଅବିଳମ୍ବେ ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନେବା ସହ ଶୀକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ନିତ୍ୟାନ୍ତ ଆବଶ୍ୟକ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ।
ଅପରପକ୍ଷରେ ଓଡ଼ିଶାରେ ବଢ଼ୁଥିବା ହାତୀ ମୃତ୍ୟୁ ଘଟଣା ନେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଟ୍ୱିଟ୍ କରି ଉଦବେଗ ପ୍ରକାଶ କରିବା ପରେ ଶିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ତତ୍ପରତା ପ୍ରକାଶ ପାଇଛି । କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦର ଯାଦବ ଏ ପ୍ରସଙ୍ଗରେ ଟ୍ୱିଟ୍ କରି କ୍ଷୋଭ ପ୍ରକାଶ କରିଛନ୍ତି । ଶ୍ରୀ ପ୍ରଧାନଙ୍କ ହାତୀ ମୃତ୍ୟୁ ମାମଲାର ଟ୍ୱିଟକୁ ରିଟ୍ୱିଟ୍ କରି ସେ କହିଛନ୍ତି ଯେ ହାତୀ ହେଉଛି ଆମର ଐତିହ୍ୟ ପ୍ରାଣୀ ଏବଂ ବନ୍ୟଜନ୍ତୁ ସୁରକ୍ଷା ଆଇନ ଅନୁସାରେ ହାତୀଙ୍କୁ ସର୍ବୋଚ୍ଚ ସୁରକ୍ଷା ଦିଆଯାଇଛି । କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଓଡିଶାରେ ବଢ଼ୁଥିବା ହାତୀ ମୃତ୍ୟୁକୁ ଗୁରୁତ୍ୱର ସହ ନେଇଛି । ଆମର ଐତିହ୍ୟ ବନ୍ୟଜନ୍ତୁଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଶିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି ।
ଆଠଗଡ଼ରେ ହାତୀ ଗୁଳିବିଦ୍ଧ ଘଟଣାରେ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶା ସରକାରଙ୍କ ପ୍ରିନ୍ସିପାଲ ଚିଫ୍ କନଜରଭେଟର ଅଫ୍ ଫରେଷ୍ଟ(ଓ୍ୱାଇଲ୍ଡ ଲାଇଫ) ଅଧିକାରୀଙ୍କୁ ବିସ୍ତୃତ ରିପୋର୍ଟ ପ୍ରଦାନ କରିବା ସହ ବନ୍ୟଜନ୍ତୁ ସୁରକ୍ଷା ଆଇନ-1972 ଅନୁସାରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କହିଛନ୍ତି ।