ଭୁବନେଶ୍ୱର : ଅସମାନତାଭିତ୍ତିକ ସମାଜ ବ୍ୟବସ୍ଥାରେ ସବୁବର୍ଗର ଲୋକଙ୍କୁ ଭାରତୀୟ ଗଣତନ୍ତ୍ର ଓ ଶାସନ ବ୍ୟବସ୍ଥାରେ ଅଂଶୀଦାର କରିବା ଭାରତୀୟ ସମ୍ବିଧାନର ମୂଳଲକ୍ଷ୍ୟ ଥିଲା । ଏହି ଲକ୍ଷ୍ୟ ପୂରଣ ପାଇଁ ଦଳିତ ଓ ଆଦିବାସୀଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ ମଧ୍ୟ ସାମାଜିକ ସମାନତା ଓ ଅର୍ଥନୈତିକ କ୍ଷେତ୍ରରେ ପଛରେ ଥିବା ଦେଶ ଲୋକସଂଖ୍ୟାର ୫୨ଭାଗ ଲୋକଙ୍କ ପାଇଁ କୌଣସି ସଂରକ୍ଷଣ ବ୍ୟବସ୍ଥା କରାଯାଇ ନଥିଲା । ମଣ୍ଡଳ କମିଶନ ଗଠନ ହୋଇ ଯେଉଁ ସୁପାରିଶ କରିଥିଲେ ତାହାକୁ ପ୍ରଥମେ ୧୯୯୦ ଲାଗ କରି ପଛୁଆ ବର୍ଗଙ୍କ ପାଇଁ ୨୭ ଭାଗ ସଂରକ୍ଷଣ ବ୍ୟବସ୍ଥା ନିଷ୍ପତ୍ତି ନେଲେ ଯାହା ଲୋକସଂଖ୍ୟା ଠାରୁ ବହୁତ୍ କମ୍ । ହେଲେ ସୁପ୍ରିମକୋର୍ଟ ୫୦ ଭାଗରୁ ଅଧିକ ସଂରକ୍ଷଣ ହୋଇପାରିବ ନାହିଁ ବୋଲି କହିବା ଫଳରେ ସଂରକ୍ଷଣ ବ୍ୟବସ୍ଥା ୨୭ ପ୍ରତିଶତରେ ସୀମିତ ରହିଲା । କିନ୍ତୁ ଓଡ଼ିଶା ଭଳି ବହୁ ରାଜ୍ୟରେ ଯେଉଁଠାରେ ଆଦିବାସୀ, ଦଳିତ ସଂଖ୍ୟା ଯଥେଷ୍ଟ ଅଧିକ, ସେହିସବୁ ରାଜ୍ୟରେ ବିଶେଷକରି ଓଡ଼ିଶାରେ ପଛୁଆବର୍ଗ ସଂରକ୍ଷଣ ୧୧ ପ୍ରତିଶତରେ ସୀମିତ ରହିଲା ଯାହା ୫୨ ଭାଗ ଜନସାଧାରଣଙ୍କ ପାଇଁ ସମ୍ପୂର୍ଣ୍ଣ ଅନ୍ୟାୟ । ୧୯୩୧ ପରେ ପଛୁଆବର୍ଗର ଜନଗଣନା ହୋଇନଥିବାରୁ ଅଦାଲତ ପଛୁଆବର୍ଗ ଦାବିକୁ ଗ୍ରହଣ କଲେ ନାହିଁ ବୋଲି ବିଶିଷ୍ଟ ଅତିଥିଭାବେ ମତବ୍ୟକ୍ତ କରିଥିଲେ ।
ଭାଗବତ ବେହେରା ସ୍ମୃତି ସଂସଦ ଓ ଉତ୍କଳ ଯାଦବ ମହାସଭା, ଭୁବନେଶ୍ୱର ଜିଲ୍ଲା ଆନୁକୁଲ୍ୟରେ ବିଶିଷ୍ଟ ରାଜନୀତିଜ୍ଞ, ସାମାଜିକ ନ୍ୟାୟ ଆନ୍ଦୋଳନର କର୍ଣ୍ଣଧାର, ପୂର୍ବତନ ମନ୍ତ୍ରୀ ତଥା ବିଶିଷ୍ଟ ଜନନେତା ସ୍ୱର୍ଗତ ଭାଗବତ ବେହେରାଙ୍କ ୨୦ତମ ଶ୍ରାଦ୍ଧବାର୍ଷିକୀ ଉତ୍ସବ ଜୟଦେବ ଭବନରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭିନ୍ନକ୍ଷମ ଓ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଭୁବନେଶ୍ୱର ମେୟର ସୁଲୋଚନା ଦାସ, ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଧର୍ମଗଡ଼ ବିଧାୟକ ମହୋସଧି ବାଗ ଏବଂ ବରି ବିଧାୟିକା ସୁନନ୍ଦା ଦାସ ପ୍ରଖୁମ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅଖିଳ ଭାରତୀୟ ଯାଦବ ମହାସଭାର ରାଷ୍ଟ୍ରୀୟ ସଚିବ ସଂଗ୍ରାମ ପଲାଇ ଯାଦବ ଉପସ୍ଥିତ ଥିଲେ ।
ଅପର ପକ୍ଷରେ ଜାତିଭିତ୍ତିକ ଜନଗଣନା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିବା ପାଇଁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଯାଇଥିଲା । ଏହି ଶ୍ରେଣୀ ଲୋକମାନଙ୍କ ବିକାଶ ପାଇଁ ଏହି ତଥ୍ୟ ଅତି ଆବଶ୍ୟକ ହୋଇପଡ଼ିଛି । କେନ୍ଦ୍ର ସରକାର ଏହା ନ କରିଥିବାରୁ ବିହାର ସରକାର ଜାତିଭିତ୍ତିକ ଜନଗଣନା ପାଇଁ ନିଷ୍ପତ୍ତି ନେଇଛନ୍ତି । ଓଡ଼ିଶାରେ ସେହି ଧାରାରେ ଜାତିଭିତ୍ତିକ ଜନଗଣନା ପାଇଁ ସଭାରେ ଆଲୋଚନା ହୋଇ ସର୍ବସମ୍ମତିକ୍ରମେ ଗୃହିତ ହୋଇଥିଲା । ଜଗତି କରଣ ଅର୍ଥନୀତିର ସୁଯୋଗ ନେଇ ଗତ କେତେବର୍ଷ ହେଲା କେନ୍ଦ୍ର ଓ ରାଜ୍ୟ ସରକାରମାନେ ସରକାରୀ ଉଦ୍ୟୋଗ ସବୁ ଦ୍ରୁତଗତିରେ ଘରୋଇ କାରଖାନା କରି ଚାଲିଛନ୍ତି । ଫଳରେ ଯେଉଁ ସଂରକ୍ଷଣ ସୁବିଧା ଦଳିତ, ଆଦିବାସୀ ଓ ପଛୁଆବର୍ଗଙ୍କ ପାଇଁ ସରକାରୀ ଓ ବେସରକାରୀ ଉଦ୍ୟୋଗରେ ରହିଛି । ଏହା ଘରେଇ ଉଦ୍ୟୋଗ ପାଇଁ ନଥିବାର ଏହି ବର୍ଗର ଲକ୍ଷ ଲକ୍ଷ ଯୁବକ ଯୁବତୀ ନିଯୁକ୍ତିରୁ ବଞ୍ôଚତ ହେଉଛନ୍ତି । ଏଣୁ ଆଜିର ଏହି ସଭାରେ ଦାବି କରାଯାଉଛି ଯେ ଭାରତରେ ଘରୋଇ ଉଦ୍ୟୋଗ ଯେଉଁମାନେ ସାଧାରଣ ଲୋକଙ୍କର ବା ସରକାରୀ ଜମି, ଖଣିଜ ସମ୍ପଦ ଓ ଅନ୍ୟାନ୍ୟ ସୁବିଧା ଉପଭୋଗ କରୁଛନ୍ତି ସେଗୁଡ଼ିକରେ ସଂରକ୍ଷଣ ବ୍ୟବସ୍ଥା ପୁରା ମାତ୍ରାରେ କାର୍ଯ୍ୟକାରୀ ହେବା ପାଇଁ ଆଜିର ସଭାରେ ଦାବି କରାଯାଇଛି ।
ଏହି ଅବସରରେ ଓଡ଼ିଶାର ୩୦ ଜିଲ୍ଲାର ପଞ୍ଚାୟତ ଓ ପୌର ନିର୍ବାଚାନରେ ନବନିର୍ବାଚିତ ହୋଇଥିବା ୪୦୦ରୁ ଉର୍ଦ୍ଧ୍ୱ ଜନପ୍ରତିନିଧିମାନଙ୍କୁ ‘ଭୁବନେଶ୍ୱର ଗୌରବ’ ଓ ‘ଓଡ଼ିଶା ଗୌରବ’ ସମ୍ମାନରେ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମକୁ ସାଧାରଣ ସମ୍ପାଦକ ଅକ୍ଷୟ ପ୍ରସାଦ ବେହେରା ପରିଚାଳନା କରିଥିବା ବେଳେ ଦୀପକ ବେହେରା ଯାଦବ, ବିଚିତ୍ରାନନ୍ଦ ଖୁଣ୍ଟିଆ, ପୂର୍ଣ୍ଣଚନ୍ଦ୍ର ନାୟକ ଓ ମହେଶ୍ୱର ବେହେରା ପ୍ରମୁଖ ସଂଯୋଜନା କରିଥିଲେ