ହେଡଲାଇନସ୍:

ସଠିକ୍ କୌଶଳ, ମନୋଭାବ ଓ ନିପୁଣତା ଛାତ୍ରଛାତ୍ରୀମାନଙ୍କୁ ବୃତ୍ତିଗତ ସୁଯୋଗଆଣିଦେବ – ଅସିତ୍ ତ୍ରିପାଠୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କ କଳାହାଣ୍ଡି ଜିଲ୍ଲା ଗସ୍ତ

  • ଯୁବ ଉଦ୍ୟୋଗୀ ଓ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ହିତାଧିକାରୀଙ୍କ ସହିତ ଆଲୋଚନା

  • 2.5 କୋଟି ଟଙ୍କା ବ୍ୟୟରେ ନିର୍ମାଣାଧିନ ଭବାନୀପାଟଣା ଟାଉନ ହଲର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ।

  • ଭବାନୀ ପାଟଣା ବି.ଏମ୍ ହାଇସ୍କୁଲର ଛାତ୍ରାବାସ ନିର୍ମାଣ ପାଇଁ ଶିଳାନ୍ୟାସ

ଭୁବନେଶ୍ୱର (ଶାସକ ପ୍ରଶାସକ): ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀ ଅସିତ୍ ତ୍ରିପାଠୀ 2 ଦିନିଆ ନୂଆପଡା ଜିଲ୍ଲାଗସ୍ତ ପରେ  କଳାହାଣ୍ଡି ଜିଲ୍ଲାରେ ପହଁଚି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ବୈଠକରେ ଯୋଗଦେଇ ଜିଲ୍ଲାରେ ପ୍ରଥମେ କୃଷି ଓ କୃଷି ଉଦ୍ୟୋଗ ଗୁଡିକର ସ୍ଥିତି ସମୀକ୍ଷା କରିଛନ୍ତି । 30 ରୁ ଊର୍ଦ୍ଧ୍ୱ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜାନା ହିତାଧିକାରୀ ଓ କୃଷି ଉତ୍ପାଦକ ସଂସ୍ଥାମାନଙ୍କ ସହିତ ଅଧ୍ୟକ୍ଷ ଶ୍ରୀ ତ୍ରିପାଠୀ ଆଲୋଚନା କରି ବିଭିନ୍ନ ସମସ୍ୟା ସଂପର୍କରେ ଅବଗତ ହୋଇଥିଲେ । ବିଭିନ୍ନ ପ୍ରକାର କୃଷି-ବାଣିଜ୍ୟିକ କାର୍ଯ୍ୟକ୍ରମ ଯଥା କୁକୁଡାପାଳନ (ଲେୟାର, ବ୍ରଏଲର), ବିହନ ପ୍ରକ୍ରିୟାକରଣ, ବଟନ ଛତୁ ଚାଷ, କୃଷି-ସେବା କେନ୍ଦ୍ର, ଛେଳି ପାଳନ, ଡାଲି ପ୍ରକ୍ରିୟାକରଣ ୟୁନିଟ୍, କାଜୁ ପ୍ରକ୍ରିୟାକରଣ, ସୋୟା ବିଡି ପ୍ରସ୍ତୁତି, ପାଉଁରୁଟି ଏବଂ ଇସ୍ପାତ ଶିଳ୍ପ ପାଇଁ ବ୍ୟବହାର ହେଉଥିବା ଧାନକଳର ପାଉଁଶ ଆଦି ବ୍ୟବହାର ସଂପର୍କରେ ଜିଲ୍ଲାରେ ପଦକ୍ଷେପ ନିଆଯାଇଛି । କେତେକ ସମସ୍ୟା ଯଥା ନୂଆ ଷ୍ଟାର୍ଟ ଅପ୍ ଗୁଡିକୁ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ, ସେମାନେ ନେଇଥିବା ଋଣ ଉପରେ ସୁଧ ବାବଦରେ ରହିଥିବା ଅସଙ୍ଗତିକୁ ଦୂର କରିବା ପାଇଁ ଶ୍ରୀ ତ୍ରିପାଠୀ ଗୁରୁତ୍ୱ ଦେଇଥିଲେ । ଏ ସଂପର୍କରେ ଜିଲ୍ଲାପାଳଙ୍କ ଦ୍ୱାରା ଆଗୁଆ ପଦକ୍ଷେପ ନିଆଯାଇ ବହୁ ସମସ୍ୟାର ସମାଧାନ କରାଯାଇଥିବାରୁ ଶ୍ରୀ ତ୍ରିପାଠୀ ସନ୍ତୋଷବ୍ୟକ୍ତ କରିଥିଲେ । ଆଲୋଚନା ସମୟରେ ବିଭିନ୍ନ ଷ୍ଟାର୍ଟ ଅପ୍ ୟୁନିଟଗୁଡିକରେ ଯେଉଁ ସବୁ ସମସ୍ୟା ଦୃଷ୍ଟିକୁ ଆସିଛି, ସଂପୃକ୍ତ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହ ଏକ ସ୍ୱତନ୍ତ୍ର ବୈଠକ ଡାକି ସମସ୍ୟାର ସମାଧାନ କରିବାକୁ ଶ୍ରୀ ତ୍ରିପାଠୀ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିଲେ ।
ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଶ୍ରୀ ତ୍ରିପାଠୀ ଆଜି ସକାଳେ ଭବାନୀପାଟଣା ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ପରିଦର୍ଶନ କରି ବୈଜ୍ଞାନିକମାନଙ୍କ ସହିତ ଆଲୋଚନା କରିଥିଲେ । କୃଷି ବିଜ୍ଞାନ କେନ୍ଦ୍ରରେ ଉତ୍ତମ କୃଷି କାର୍ଯ୍ୟ କରିବା ପାଇଁ ଇଚ୍ଛୁକ ଥିବା କୃଷକମାନଙ୍କ ପାଇଁ ପ୍ରଦର୍ଶନୀ ଓ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି । ଅଧ୍ୟକ୍ଷ ଶ୍ରୀ ତ୍ରିପାଠୀ ବୈଜ୍ଞାନିକ ଓ କୃଷି ବିଭାଗୀୟ ଅଧିକାରୀମାନଙ୍କୁ ଚିରାଚରିତ ଭାବେ କାର୍ଯ୍ୟ ନ କରି ଅଂଚଳର ପରିବର୍ତ୍ତନଶୀଳ ପରିବେଶକୁ ଦୃଷ୍ଟିରେ ରଖି ଗବେଷଣା ଓ ତାଲିମ ପ୍ରଦାନ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଫଳରେ ଏହା କୃଷକମାନଙ୍କ ପାଇଁ କୃଷି ଉତ୍ପାଦନ ଓ ଏହାର ଗୁଣାତ୍ମକ ମାନ ବୃଦ୍ଧିରେ ସହାୟକ ହେବ ବୋଲି ଶ୍ରୀ ତ୍ରିପାଠୀ କହିଥିଲେ । ଏହାପରେ ଶ୍ରୀ ତ୍ରିପାଠୀ ଭବାନୀପାଟଣା ପୌରାଂଚଳସ୍ଥିତ ଭଙ୍ଗାବାଡି ଠାରେ ନିର୍ମାଣାଧିନ ସରକାରୀ ମେଡିକାଲ କଲେଜର କାର୍ଯ୍ୟ ଅଗ୍ରଗତି ଅନୁଧ୍ୟାନ କରିଥିଲେ । ଏହି ମେଡିକାଲ କଲେଜ ନିର୍ମାଣର ଗୁଣାତ୍ମକମାନ ପ୍ରତି ଦୃଷ୍ଟି ଦେବା ଓ ମୂଲ୍ୟାୟନ ପାଇଁ ନିୟୋଜିତ 3ୟ ପକ୍ଷ ମୂଲ୍ୟାୟନକାରୀଙ୍କ ସହିତ ବିଷଦ ଭାବେ ଆଲୋଚନା କରିଥିଲେ । 650 ଶଯ୍ୟା ବିଶିଷ୍ଟ ଏହି ଭେଷଜ ମହାବିଦ୍ୟାଳୟ ନିର୍ମାଣର ମୂଲ୍ୟ 220 କୋଟି ରହିଛି । ଦୀର୍ଘ ଦିନରୁ ଅଂଚଳବାସୀଙ୍କର ରହିଥିବା ଏହି ସ୍ୱପ୍ନର ପ୍ରକଳ୍ପ ସଂପୂର୍ଣ୍ଣ ହେଲେ ଭବାନୀପାଟଣା ସମେତ ଏହାର ଆଖପାଖରେ ରହୁଥିବା ଜନସାଧାରଣ ଗୁଣାତ୍ମକ ଚିକିତ୍ସା ସୁବିଧା ପାଇପାରିବେ । ଏହି ପ୍ରକଳ୍ପ ଚଳିତ ବର୍ଷ ଶେଷ ସୁଦ୍ଧା ସଂପୂର୍ଣ୍ଣ ହେବାର ଲକ୍ଷ୍ୟ ରହିଛି ।
ଏହି ଅବସରରେ ଶ୍ରୀ ତ୍ରିପାଠୀ ପଶ୍ଚିମ ଓଡିଶା ବିକାଶ ପରିଷଦ ପାଣ୍ଠିରେ 2କୋଟି 50 ଲକ୍ଷ ଟଙ୍କା ଅନୁଦାନରେ ନିର୍ମାଣାଧିନ ଭବାନୀପାଟଣା ଟାଉନହଲର ନିର୍ମାଣ କାର୍ଯ୍ୟ ତଦାରଖ କରିଥିଲେ । ଟାଉନ୍ ହଲରେ ଶବ୍ଦ ବ୍ୟବସ୍ଥା, ଶୀତତାପ ନିୟନ୍ତ୍ରକ ବ୍ୟବସ୍ଥା, ବସିବା ବ୍ୟବସ୍ଥା ଆଦି ଅନୁଧ୍ୟାନ କରିଥିଲେ । ଏହାର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି ଓ ଚଳିତ ଜୁନ୍ ମାସ ଶେଷ ସୁଦ୍ଧା ଏହା ସରିବ । ଅଧ୍ୟକ୍ଷ ଶ୍ରୀ ତ୍ରିପାଠୀ ଏହାକୁ ବ୍ୟବହାର କରିବାକୁ ଥିବା ଅଂଶୀଦାରମାନେ ୟୁଜର ଫି ଦେଇ ବ୍ୟବହାର କରିବେ ଓ ଭବାନୀ ପାଟଣା ମ୍ୟୁନିସିପାଲିଟି ଦ୍ୱାରା ଏହା ପରିଚାଳିତ ହେବା ନେଇ ଆବଶ୍ୟକ ପରାମର୍ଶ ଦେଇଥିଲେ ।
ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଭବାନୀପାଟଣା ସ୍ଥିତବ୍ରଜମୋହନ ହାଇସ୍କୁଲ ପରିଦର୍ଶନ କରି 88 ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା 100 ଆସନ ବିଶିଷ୍ଟ ଛାତ୍ରାବାସର ଶିଳାନ୍ୟାସ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ମାନ୍ୟବର ସାଂସଦ, କଳାହାଣ୍ଡି, ଜିଲ୍ଲା ପରିଷଦ ସଭାପତି, ପୁରାତନ ଛାତ୍ରସଂସଦର କର୍ମକର୍ତ୍ତା ଓ ବହୁ ପୁରାତନ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଏହି ଛାତ୍ରାବାସ ନିର୍ମାଣ ଫଳରେ ଛାତ୍ରମାନଙ୍କର ଦୀର୍ଘଦିନରୁ ରହିଥିବାସମସ୍ୟା ଦୂର ହେବ ଓଜିଲ୍ଲାର ବିଭିନ୍ନଦୁର୍ଗମ ଅଂଚଳରୁ ଆସୁଥିବା ଛାତ୍ରମାନେ ଏହାଦ୍ୱାରା ଉପକୃତ ହେବେ । ଅଧ୍ୟକ୍ଷ ଶ୍ରୀ ତ୍ରିପାଠୀ ମଧ୍ୟ 5-ଟିସ୍କୁଲ ରୂପାନ୍ତରିକରଣ ଆଧାରରେ ଏଠାରେ ଆଧୁନିକ ସୁବିଧାର ଉପଯୋଗ କରାଇ ବିଦ୍ୟାଳୟର ଗୌରବ ଫେରାଇ ଆଣିବା ପାଇଁ ଶିକ୍ଷକଶିକ୍ଷୟିତ୍ରୀମାନଙ୍କୁ ସଚେତନ ତଥା ଉତ୍ସାହିତ କରିଥିଲେ । ପୂର୍ତ୍ତ ବିଭାଗ ଦ୍ୱାରା ନିର୍ମିତ ହେବାକୁ ଥିବା ଏହି ପ୍ରକଳ୍ପକୁ 18 ମାସ ମଧ୍ୟରେ ଶେଷ କରାଯିବାକୁ ଧାର୍ଯ୍ୟ ଲକ୍ଷ୍ୟ ରହିଛି । ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀ ତ୍ରିପାଠୀ ଆଜି ମଧ୍ୟ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ପରିଦର୍ଶନ କରି ଉଜ୍ଜ୍ୱଳ ଭବିଷ୍ୟତ ଥିବା ଉଦ୍ୟୋଗୀ ଛାତ୍ରଛାତ୍ରୀମାନଙ୍କ ସହିତ ଆଲୋଚନା କରିଥିଲେ । ବିଶ୍ୱବିଦ୍ୟାଳରେ ରହିଥିବା ବିଭିନ୍ନ ସମସ୍ୟା ସଂପର୍କରେ କୁଳପତି ଉପସ୍ଥାପନ କରିଥିଲେ । ଶୈକ୍ଷିକ ପରିବେଶ ପାଇଁ ବିଶ୍ୱ ବିଦ୍ୟାଳୟ ତରଫରୁ ଯେଉଁ ଦାବୀ ରହିଛି, ସେଥିପ୍ରତି ଦୃଷ୍ଟି ଦେବେ ବୋଲି ଅଧ୍ୟକ୍ଷ ଶ୍ରୀ ତ୍ରିପାଠୀ ପ୍ରକାଶ କରିଥିଲେ । ଗୁଣାତ୍ମକ ଶିକ୍ଷା କିପରି ଛାତ୍ରଛାତ୍ରୀଙ୍କୁ ସଶକ୍ତ କରିଥାଏ ସେ ସଂପର୍କରେ ଅବତାରଣା କରିଥିଲେ । ଛାତ୍ରଛାତ୍ରୀମାନଙ୍କୁ ଶିଳ୍ପୋଦ୍ୟୋଗୀ ହେବା ଭଳି ମନୋବୃତ୍ତି ରଖିବାକୁ କହିଥିଲେ । ଶିଳ୍ପୋଦ୍ୟୋଗୀ ହେବା ପାଇଁ ସରକାର ସବୁବେଳେ ଗୁରୁତ୍ୱ ଦେଉଛନ୍ତି । ସଠିକ୍ କୌଶଳ, ମନୋଭାବ ଓ ନିପୁଣତା ଛାତ୍ରଛାତ୍ରୀମାନଙ୍କୁ ନିଜ ରାଜ୍ୟ ତଥା ଜିଲ୍ଲାରେ ବୃତ୍ତିଗତ କାର୍ଯ୍ୟ କରିବା ପାଇଁ ସୁଯୋଗ ଆଣିଦେବ ବୋଲି ଶ୍ରୀ ତ୍ରିପାଠୀ ପ୍ରକାଶ କରି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ପରିବର୍ତ୍ତିତ ସମୟକୁ ଦେଖି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏହିଭଳି ଛାତ୍ରଛାତ୍ରୀଙ୍କୁ ସୁଯୋଗ ଦେବା ପାଇଁ ଧ୍ୟାନ ଦେବା ଆବଶ୍ୟକ ବୋଲି କହିଥିଲେ ।
ଏହାପରେ ଶ୍ରୀ ତ୍ରିପାଠୀ ତୃଣମୂଳସ୍ତରରେ କାର୍ଯ୍ୟ କରୁଥିବା ଏମଏସଏମଇ ଏବଂ କୃଷି ଉଦ୍ୟୋଗୀମାନଙ୍କ ସହିତ ଆଲୋଚନା କରି ସେମାନଙ୍କର ସମସ୍ୟା ସଂପର୍କରେ ଅବଗତ ହେବା ଓ ସେମାନଙ୍କୁ ଉତ୍ସାହିତ କରିବା ପାଇଁ କେସିଙ୍ଗା ଗସ୍ତ କରିଥିଲେ । ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଓ ଯୁବ ଉଦ୍ୟୋଗୀମାନଙ୍କ ସହିତ ଆଲୋଚନା କରିଥିଲେ । କାର୍ଯ୍ୟାନୁଷ୍ଠାନ ନେବା ଭଳି ଅନେକଗୁଡିକ ସମସ୍ୟା ସଂପର୍କରେ ଅବଗତ ହୋଇ ସରକାରୀସ୍ତରରେ ପ୍ରକୃତ କର୍ତ୍ତୃପକ୍ଷଙ୍କ ଠାରେ ଉପସ୍ଥାପନ କରି ସେସୁବୁର ସମାଧାନ କରିବାକୁ ଶ୍ରୀ ତ୍ରିପାଠୀ ପ୍ରତିଶ୍ରୁତି ଦେଇଥିଲେ । ପଶ୍ଚିମ ଓଡିଶାର ଉଦ୍ୟୋଗ କ୍ଷେତ୍ରରେ ସାମର୍ଥ୍ୟ ରହିଥିବା ଯୁବକମାନଙ୍କୁ ଉତ୍ସାହିତ କରିବା ପାଇଁ ଶ୍ରୀ ତ୍ରିପାଠୀ କଳାହାଣ୍ଡି ସରକାରୀ ପଲି ଟେକନିକ ସ୍ଥିତ ଦକ୍ଷତା ବିକାଶ ଓ ସଂପ୍ରସାରଣ କେନ୍ଦ୍ର ପରିଦର୍ଶନ କରିଥିଲେ । ସେ ଦିନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନାରେ ପ୍ରଶିକ୍ଷଣ ନେଉଥିବା 2ୟ ବ୍ୟାଚର ପ୍ରଶିକ୍ଷାର୍ଥୀଙ୍କ ସହିତ ଆଲୋଚନା କରି ତାଲିମ ନେଉଥିବା 35 ଜଣ ପ୍ରଶିକ୍ଷଣ ପରେ ବେଙ୍ଗାଲୁରୁରେ କର୍ମ ନିଯୁକ୍ତି ପାଇବାକୁ ଯାଉଥିବା ଜାଣି ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ ।
ଶ୍ରୀ ତ୍ରିପାଠୀ ମଧ୍ୟ କେସିଙ୍ଗା ବିଜ୍ଞପିତ ଅଂଚଳ ପରିଷଦର ବୋରିଙ୍ଗପଦର ଠାରେଜାଗା ମିଶନରେ ଯୋଗାଇ ଦିଆଯାଇଥିବା ପୁନଃ ସଂସ୍ଥାନ ପ୍ରକଳ୍ପ ବୁଲି ଦେଖିଥିଲେ । କେସିଙ୍ଗା ରେଳ ଷ୍ଟେସନ ପ଼ଡାରେ ରହୁଥିବା 44 ପରିବାରଙ୍କୁ ଆଦର୍ଶମାନର ଗୃହ ସୁବିଧା ଏଠାରେ ପ୍ରଦାନ କରାଯାଇଛି । ଏଠାରେ ଶ୍ରୀ ତ୍ରିପାଠୀ ସୌନ୍ଦର୍ଯ୍ୟକରଣ ପାଇଁ ଗଛ ଲଗାଇବାକୁ କେସିଙ୍ଗା ଏନଏସସି କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମରେ ପଶ୍ଚିମ ଓଡିଶା ବିକାଶ ପରିଶଦର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଡଃ, ଅଜିତ୍ କୁମାର ମିଶ୍ର, କଳାହାଣ୍ଡି ଜିଲ୍ଲାପାଳ ଡଃ. ଗାଭାଲି ପରାଗ ହର୍ଷଦ, ପ୍ରକଳ୍ପ ନିର୍ଦ୍ଦେଶକ ଡି.ଆର.ଡି.ଏ ଶ୍ରୀ ସୌମେଶ କୁମାର ଉପାଧ୍ୟାୟ ଏବଂ ଅନ୍ୟ ଜିଲ୍ଲାସ୍ତରୀୟ ପଦାଧିକାରୀ ଉପସ୍ଥିତ ଥିଲେ ।
ପଶ୍ଚିମ ଓଡିଶା ଗସ୍ତ ପରିପ୍ରେକ୍ଷୀରେ ବିକାଶ ପରିଷଦ ଅଧ୍ୟକ୍ଷ ଶ୍ରୀ ତ୍ରିପାଠୀ, ଅଚାନକ ବଲାଙ୍ଗୀର ଟିଟିଲାଗଡ ହାଇସ୍କୁଲ ପରିଦର୍ଶନ କରିଥିଲେ । ଏଠାରେ ପଶ୍ଚିମ ଓଡିଶା ବିକାଶ ପରିଷଦ ପାଣ୍ଠିରୁ 92 ଲକ୍ଷ ଟଙ୍କା ବ୍ୟୟରେ 6ଟି ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ କରାଯାଇଛି । ଆଗାମୀ ଜୁଲାଇ ମାସରେ ଉଦ୍ଘାଟନ ହେବାକୁ ଥିବା ଏହି ଶ୍ରେଣୀଗୃହର ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରିବା ସହ ବିଦ୍ୟାଳୟର ଅନ୍ୟ ସବୁ ଆବଶ୍ୟକତା ସଂପର୍କରେ ଆଲୋଚନା କରିଥିଲେ । ଏହି ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣର ଜରୁରୀ ଆବଶ୍ୟକତା ରହିଥିଲା ଏବଂ ପଶ୍ଚିମ ଓଡିଶା ବିକାଶ ପରିଷଦରୁ ଏହି ସହଯୋଗ ମିଳିଥିବାରୁ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକମାନେ ସନ୍ତୋଷ ବ୍ୟକ୍ତକରିଥିଲେ ।

0
0
0
s2sdefault