ହେଡଲାଇନସ୍:

ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ମାନସ ମଙ୍ଗରାଜ, ସୁଲତା ଦେଓ ଓ ସସ୍ମିତ ପାତ୍ର

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ରାଜ୍ୟସଭାରେ ଓଡ଼ିଶାର ସ୍ୱରକୁ ଶାଣିତ କରିବା ପାଇଁ ବାଢିଲେ ଦୃଢୋକ୍ତି

ଭୁବନେଶ୍ବର : ନିର୍ଦ୍ବନ୍ଦ୍ବରେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି ବିଜୁ ଜନତା ଦଳର ୩ ରାଜ୍ୟସଭା ପ୍ରାର୍ଥୀ ଶ୍ରୀ ମାନସ ରଞ୍ଜନ ମଙ୍ଗରାଜ, ଶ୍ରୀମତୀ ସୁଲତା ଦେଓ ଓ ଶ୍ରୀ ସସ୍ମିତ ପାତ୍ର । ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଅବଧି ସମାପ୍ତ ହେବା ପରେ ବିଜେଡିର ୩ ପ୍ରାର୍ଥୀଙ୍କୁ ନିର୍ବାଚିତ ଘୋଷଣା କରିଛନ୍ତି ରିଟର୍ଣ୍ଣିଂ ଅଫିସର ।
ରାଜ୍ୟସଭା ପାଇଁ ବିରୋଧୀଙ୍କ ପାଖରେ ଆବଶ୍ୟକ ସଂଖ୍ୟା ନଥିବାରୁ କଂଗ୍ରେସ କିମ୍ବା ବିଜେପି ପ୍ରାର୍ଥୀ ଦେଇନଥିଲେ । ଏହି କାରଣରୁ ତିନି ବିଜେଡି ପ୍ରାର୍ଥୀ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇ ରିଟର୍ଣ୍ଣିଂ ଅଫିସର ବିଷ୍ଣୁ ପ୍ରସାଦ ମିଶ୍ରଙ୍କ ଠାରୁ ସାର୍ଟିଫିକେଟ୍ ଗ୍ରହଣ କରିଛନ୍ତି । ପ୍ରଥମ ଥର ପାଇଁ ଶ୍ରୀ ମାନସ ରଞ୍ଜନ ମଙ୍ଗରାଜ ଓ ଶ୍ରୀମତୀ ସୁଲତା ଦେଓ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ବେଳେ ସସ୍ମିତ ଦ୍ବିତୀୟ ଥର ପାଇଁ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି |
ଜଣେ ସଫଳ ସାମ୍ବାଦିକ ଭାବେ ସୁନାମ ଅର୍ଜ୍ଜନ କରିଥିବା ଶ୍ରୀ ମାନସ ରଞ୍ଜନ ମଙ୍ଗରାଜ ରାଜନୀତିରେ ପ୍ରବେଶ କରି ଇତିମଧ୍ୟରେ ନିଜକୁ ଜଣେ ଦକ୍ଷ ରାଜନେତା ଭାବରେ ପ୍ରତିପାଦିତ କରିପାରିଛନ୍ତି । ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ଭାବେ ସୂଚନା ଓ ଲୋକ ସମ୍ପର୍କ ବିଭାଗକୁ ସାମ୍ବାଦିକ ଅନୁକୂଳ କରିବା ସହ ଅନେକ ଗୁରୁତ୍ୱପୂର୍ଣ ପଦକ୍ଷେପ ହାତକୁ ନେଇଥିଲେ | ଏହାସହିତ ଦଳୀୟ ସଙ୍ଗଠନକୁ ସୁସଂଗଠିତ କରିବା ପାଇଁ ମିଳିଥିବା ଦାୟିତ୍ୱକୁ ଅତ୍ୟନ୍ତ ଦକ୍ଷତାର ସହ ନିର୍ବାହ କରିପାରିଛନ୍ତି | ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେବା ପରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହ ଓଡ଼ିଶାବାସୀଙ୍କ ସମସ୍ୟା ତଥା ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗକୁ ସଦନରେ ଦୃଢତାର ସହ ଉପସ୍ଥାପିତ କରିବେ ବୋଲି ଶ୍ରୀ ମଙ୍ଗରାଜ କହିଛନ୍ତି। ଶ୍ରୀ ମଙ୍ଗରାଜ କହିଛନ୍ତି "ରାଜ୍ୟସଭା ସାଂସଦ ଭାବରେ ନିର୍ବାଚିତ ହୋଇଥିବାରୁ ମୁଁ ମୋ ଦଳର ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ହୃଦୟରୁ କୃତଜ୍ଞତା ଓ ଧନ୍ୟବାଦ ଜଣାଉଛି | ଏଥି ସହ ରାଜ୍ୟର ସାଢେ ଚାରି କୋଟି ଓଡିଶା ବାସୀଙ୍କୁ ମୁଁ କୃତଜ୍ଞତା ଜଣାଇବା ସହ ମୋର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ କୋଟି ପ୍ରଣାମ କରୁଛି |"
ଦଳର ତୃଣମୂଳ ସ୍ତରର ପ୍ରତିନିଧିରୁ ବା ସରପଞ୍ଚରୁ ନିଜର ନିଷ୍ଠା, ପ୍ରଚେଷ୍ଟା ତଥା ଦଳ ପ୍ରତି ନିରବଛିନ୍ନ ଆନୁଗତ୍ୟ ବଳରେ ଆଜି ରାଜ୍ୟସଭା ସଦସ୍ୟ ହେବାର ଗୌରବ ହାସଲ କରିଛନ୍ତି ବିଜେଡିର ମୁଖପାତ୍ର ତଥା ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ପରାମର୍ଶଦାତା ଭାବେ କାର୍ଯ୍ୟ କରିଥିବା ଶ୍ରୀମତୀ ସୁଲତା ଦେଓ । ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ବିଜୟୀ ହେବା ପରେ ନିଜ ପ୍ରତିକ୍ରିୟାରେ ଶ୍ରୀ ଜନଗନ୍ନାଥଙ୍କ ପାଖରୁ ଆଶୀର୍ବାଦ କାମନା କରିବା ସହିତ ମୁଖ୍ୟମନ୍ତ୍ରୀଙ୍କ ଧନ୍ୟବାଦ ଦେଇଛନ୍ତି ସୁଲତା। ମୁଖ୍ୟମନ୍ତ୍ରୀଙ୍କର ରାଜ୍ୟ ପାଇଁ ଯେଉଁ ଦୂରଦୃଷ୍ଟି ରହିଛି ତା ଉପରେ ସେ କାର୍ଯ୍ୟ କରିବେ । ସାଢ଼େ ୪ କୋଟି ଓଡ଼ିଆଙ୍କ ସ୍ୱାର୍ଥ ସର୍ବୋପରି ମହିଳା ସଶକ୍ତିକରଣ ଦିଗରେ ସେ କାମ କରିବେ ବୋଲି ସୁଲତା କହିଛନ୍ତି
ପ୍ରଥମ ପାଳିରେ ରାଜ୍ୟସଭାରେ ନିଜର ଦକ୍ଷତା ପ୍ରତିପାଦନ କରିଥିବା ଶ୍ରୀ ସସ୍ମିତ ପାତ୍ର ତାଙ୍କ ଦ୍ଵିତୀୟ ପାଳିରେ ଓଡ଼ିଆଙ୍କ ସ୍ୱରକୁ ଆହୁରି ଶାଣିତ କରି ସଂସଦରେ ଉପସ୍ଥାନ କରିବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି । ଶ୍ରୀ ପାତ୍ର ମଧ୍ୟ ନିର୍ଦ୍ୱନ୍ଦ୍ୱରେ ବିଜୟୀ ହେବା ପରେ ଆଉଥରେ ସେବା କରିବାକୁ ସୁଯୋଗ ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି। ମହିଳା ଶଶକ୍ତିକରଣ, ଶିକ୍ଷା ଓ କୃଷି ଓ ସ୍ୱାସ୍ଥ୍ୟ ଆଦି ପ୍ରସଙ୍ଗରେ ଓଡ଼ିଶାର ସ୍ୱରକୁ ଅଧିକ ଶାଣିତ କରିବୁ ବୋଲି କହିଛନ୍ତି ସସ୍ମିତ |

0
0
0
s2sdefault