ହେଡଲାଇନସ୍:

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ: ସର୍ବୋଚ୍ଚ ନ୍ୟାୟାଳୟରେ ମାମଲା ଖାରଜ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଦୁଇ ଆବେଦନକାରୀଙ୍କ ଉପରେ ୧ଲକ୍ଷ ଟଙ୍କା ଲେଖାଏଁ ଜୋରିମାନା

ପୁରୀ (ଅନିମେଶ ପଟ୍ଟନାୟକ): ସର୍ବୋଚ୍ଚ ନ୍ୟାୟାଳୟରେ ଖାରଜ ହୋଇଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିରୋଧ ମାମଲା । ଉଭୟ ଆବେଦନକାରୀଙ୍କ ମାମଲାକୁ ରଦ୍ଦ କରିଛନ୍ତି ମାନ୍ୟବର ଖଣ୍ଡପୀଠ । ଏଥି ସହ ଆବେଦନକାରୀଙ୍କ ଉପରେ ୧ଲକ୍ଷ ଟଙ୍କା ଲେଖାଏଁ ଜୋରିମାନା ଲଗାଯାଇଛି ।
ଆବେଦନକାରୀମାନେ ଅଭିଯୋଗ କରିଥିଲେ ଯେ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ବେଆଇନ ଭାବେ କରାଯାଉଛି ଓ ଏହା ଶ୍ରୀଜଗନ୍ନାଥଙ୍କ ମନ୍ଦିର ପ୍ରତି ବିପଦ ସୃଷ୍ଟି କରିଛି । ସୂଚନାଯୋଗ୍ୟ ଯେ ଏହି ନିର୍ମାଣ ବନ୍ଦ କରିବା ପାଇଁ ହାଇକୋର୍ଟରେ ପୂର୍ବରୁ ଆଗତ ହୋଇଥିବା ମାମଲା ରାୟରେ ନିର୍ମାଣ କାର୍ଯ୍ୟ ବନ୍ଦ କରି ନ ଥିଲେ ଅଦାଲତ । ହାଇକୋର୍ଟଙ୍କ ଏହି ଆଦେଶ ବିରୋଧରେ ଗତମାସ ୨୭ ତାରିଖରେ ଅର୍ଧେନ୍ଦୁ କୁମାର ଦାସ ଏବଂ ସୁମନ୍ତ କୁମାର ଘଡ଼େଇ ନାମକ ଦୁଇ ବ୍ୟକ୍ତି ସୁପ୍ରିମକୋର୍ଟରେ ଦୁଇଟି ଏସଏଲପି ଦାଖଲ କରିଥିଲେ । ଶ୍ରୀଜଗନ୍ନାଥ ପ୍ରକଳ୍ପ କରିଡ଼ରରେ ବେଆଇନ ନିର୍ମାଣ କରାଯାଉଥିବା ସେମାନେ ଅଭିଯୋଗ ବାଢ଼ି ଏହାକୁ ବନ୍ଦ କରିବା ପାଇଁ ଆବେଦନ କରିଥିଲେ ।
ଗତକାଲି ହୋଇଥିଲା ମାମଲାର ଶୁଣାଣି । ଜଷ୍ଟିସ୍ ବି.ଆର୍ ଗଭାଇ ଓ ଜଷ୍ଟିସ ହିମା କୋହଲିଙ୍କୁ ନେଇ ଗଠିତ ୨ ଜଣିଆ ଖଣ୍ଡପୀଠ ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ରାୟ ସଂରକ୍ଷିତ ରଖିଥିଲେ । ପ୍ରଥମ ଆବେଦନକାରୀ ଅଦେ୍ର୍ଧନ୍ଦୁ ଦାସଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ମହାଲକ୍ଷ୍ମୀ ପାବନୀ ଏବଂ ଦ୍ୱିତୀୟ ଆବେଦନକାରୀ ସୁମନ୍ତ ଘଡ଼େଇଙ୍କ ପକ୍ଷରୁ ଆଇନଜୀବୀ ବିନୟ ନଭା ଖଣ୍ଡପୀଠଙ୍କ ଆଗରେ ନିଜ ନିଜ ପକ୍ଷ ରଖିଥିଲେ । ଓଡ଼ିଶା ସରକାରଙ୍କ ପକ୍ଷରୁ ଆଡଭୋକେଟ୍ ଜେନେରାଲ ଅଶୋକ ପରିଜା ଏବଂ ବରିଷ୍ଠ ଆଇନଜୀବୀ ପିନାକୀ ମିଶ୍ର ପ୍ରକଳ୍ପ ସପକ୍ଷରେ ଦୃଢ ଯୁକ୍ତି ଉପସ୍ଥାପିତ କରିଥିଲେ | ଆଜି ରାଏ ଆସିବା ପରେ ପ୍ରକଳ୍ପ ବିରୋଧିଙ୍କୁ ଲାଗିଛି ବଡ଼ ଝଟକା । ଲୋକଙ୍କ ହିତରେ କାମ କରାଯାଉଥିବାରୁ ମାମଲାକୁ ରଦ୍ଦ କରିଛନ୍ତି ମାନ୍ୟବର ଖଣ୍ଡପୀଠ । କୋର୍ଟର ସମୟ ନଷ୍ଟ କରାଯାଇଥିବା ଦର୍ଶାଇ ଉଭୟ ଆବେଦନକାରୀଙ୍କୁ ୧ଲକ୍ଷ ଟଙ୍କା ଲେଖାଏଁ ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଖଣ୍ଡପୀଠ ।

0
0
0
s2sdefault