ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଟିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କ 2 ଦିନିଆ ନୂଆପଡା ଜିଲ୍ଲା ଗସ୍ତ
-
ଖରିଆର ଠାରେ 9.8 କୋଟି ଟଙ୍କା ବ୍ୟୟରେ 500 ଆସନ ବିଶିଷ୍ଟ ଟାଉନ ହଲ ନିର୍ମାଣ ପାଇଁ ଶିଳାନ୍ୟାସ ।
-
ମହିଳା କୃଷକ, କୃଷି ଉଦ୍ୟୋଗୀ ଓ ଛାତ୍ରଛାତ୍ରୀମାନଙ୍କ ସହିତ ଆଲୋଚନା
ଭୁବନେଶ୍ୱର/ ନୂଆପଡା(ଶାସକ ପ୍ରଶାସକ): ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶ ଦାତା ତଥା ପଶ୍ଟିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷଙ୍କ ଶ୍ରୀ ଅସିତ୍ ତ୍ରିପାଠୀ ତାଙ୍କର ଦୁଇ ଦିନିଆ ନୂଆପଡା ଗସ୍ତ ପରିପ୍ରେକ୍ଷୀରେ ଆଜି ସକାଳେ ନୂଆପଡା ଜିଲ୍ଲାର ବିଜୁ ଏକ୍ସପ୍ରେସ୍ ଓ୍ୱେ ଯାଇଥିବା ସଡକ ପଥ ପାର୍ଶ୍ୱରେ କୋମନା ବ୍ଲକର ଇଛାପୁରଠାରେ ମିଲେଟ୍ ପ୍ରକ୍ରିୟାକରଣ ୟୁନିଟ୍ ପରିଦର୍ଶନ କରିଛନ୍ତି । ଏଠାରେ ନୂତନ ଭାବେ ମିଲେଟ୍ ପ୍ରକ୍ରିୟାକରଣ ପାଇଁ ସ୍ଥାପିତ ଯନ୍ତ୍ରପାତି ଓ ସେଗୁଡିକ କିପରି କାର୍ଯ୍ୟ କରୁଛି, ସେ ସଂପର୍କରେ ସବିଶେଷ ଅନୁଧ୍ୟାନ ଓ ଆଲୋଚନା କରାଯାଇଥିଲା । ପଶ୍ଚିମ ଓଡିଶା ବିକାଶ ପରିଷଦ ଏଥିପାଇଁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଏହି ଗସ୍ତ ଅବସରରେ ଶ୍ରୀ ତ୍ରିପାଠୀ ‘ମା’ ସୁନାଦେଇ ଉତ୍ପାଦନ କମ୍ପାନୀ’ ଓ ଅନ୍ୟ ଅଂଶୀଦାରମାନଙ୍କ ନେତୃତ୍ୱରେ ପରିଚାଳିତ କୃଷି ଉତ୍ପାଦନକାରୀ ସଂସ୍ଥା (ଏଫ୍ ପି ଓ ) ମାନଙ୍କ ସହିତ ଆଲୋଚନା କରିଛନ୍ତି । ଜିଲ୍ଲାର ମିଲେଟ ଉତ୍ପାଦନକାରୀ ସଂସ୍ଥାଗୁଡିକୁ ଆବଶ୍ୟକ କଂଚାମାଲ ଯୋଗାଇ ଦିଆଯାଇ କିପରି ଜିଲ୍ଲାରେ ଲଗାତାର ଭାବରେ ମିଲେଟ ଉତ୍ପାଦନ ବୃଦ୍ଧି ଘଟିବ, ସେ ଦିଗରେ ବ୍ୟାପକ ଆଲୋଚନା କରାଯାଇଥିଲା ।
ବୈଷୟିକଜ୍ଞାନ ଏବଂ ଆଧୁନିକ ଜ୍ଞାନକୌଶଳର ଉପଯୋଗ କରି କୃଷି ଉତ୍ପାଦନକାରୀ ସଂସ୍ଥାଗୁଡିକ ଦକ୍ଷତା ବୃଦ୍ଧି ପୂର୍ବକ କିପରି ଉପଲବ୍ଧ ଆଧୁନିକ ଉପକରଣ ଗୁଡିକର ଯଥାଯଥ ବ୍ୟବହାର କରିବେ, ସେ ସମ୍ପର୍କରେ ଶ୍ରୀ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀ ତ୍ରିପାଠୀ ଉପରୋକ୍ତ ସଂସ୍ଥାର କର୍ମକର୍ତ୍ତାମାନଙ୍କୁ ସଚେତନ ତଥା ଉତ୍ସାହିତ କରିଥିଲେ ।
ଶ୍ରୀ ତ୍ରିପାଠୀ ଜିଲ୍ଲା ପ୍ରଶାସନ ତରଫରୁ ନିଆଯାଇଥିବା ଏହି ଅଭିନବ ଉଦ୍ୟମକୁ ପ୍ରଶଂସା କରିବା ସହିତ ଏହି ମିଲେଟ ପ୍ରକ୍ରିୟା କରଣ ୟୁନିଟ ସହିତ ଯେଉଁ ଫାର୍ମ ପ୍ରଡୁସର ଅର୍ଗାନାଇଜେନମାନେ ସଂପୃକ୍ତ ରହିଛନ୍ତି, ୟୁନିଟଗୁଡିକର ସୁପରିଚାଳନା ପାଇଁ ନିଜେ ସୁଦୃଢ ଓ ସଶକ୍ତ ହେବା ଏବଂ କାର୍ଯ୍ୟରେ ନିରନ୍ତରତା ଆଣିବା ପାଇଁ କହିଥିଲେ । ଏହି ପରିଦର୍ଶନ ସମୟରେ ପଶ୍ଚିମ ଓଡିଶା ବିକାଶ ପରିଷଦର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଡଃ. ଅଜିତ୍ କୁମାର ମିଶ୍ର ଓ ଜିଲ୍ଲାପାଳ ନୂଆପଡା ଶ୍ରୀମତୀ ସ୍ୱଧା ଦେବ ସିଂ ଉପସ୍ଥିତ ଥିଲେ ।
ଶ୍ରୀ ତ୍ରିପାଠୀ ଏହାପରେ ଜିଲ୍ଲାର ଭୋଜପୁର ଖରିଆର ତହସିଲ ଅନ୍ତର୍ଗତ ଭାଲୁଡୁଙ୍ଗୁରୀ ଗ୍ରାମ ପରିଦର୍ଶନ କରି ସତ୍ୟ ସାଇ ପ୍ରଡ୍ୟୁସର ଗ୍ରୁପର ମହିଳା କୃଷକମାନଙ୍କ ସହିତ ଆଲୋଚନା କରିଥିଲେ । ତ୍ରିପାଠୀ ସେମାନଙ୍କ ସହିତ ଆଲୋଚନା କରି କହିଥିଲେ ଯେ, ଏହି ଅଂଚଳରେ ମହିଳାମାନେ କୃଷି ଉତ୍ପାଦନ ପୁଞ୍ଜରେ ପ୍ରତିବଦ୍ଧତାର ସହ କାର୍ଯ୍ୟକରୁଥିବା ଦେଖିବାକୁ ମିଳୁଛି । ଏଠାରେ ସେମାନେ ବିଭିନ୍ନ ପ୍ରକାର ପନିପରିବା ଚାଷ କରୁଛନ୍ତି । ସେଥିପାଇଁ ସେମାନଙ୍କ ପାଇଁ ଦୃଢ ବଜାର ସଂଯୋଗୀକରଣ ବ୍ୟବସ୍ଥା ରହିଛି । ସେଥିପାଇଁ ଉଭୟ ଖରିଆର ଓ ବୋଡେନ୍ ବ୍ଲକର ପାଖାପାଖି ଛଅ ହଜାର ନାମମାତ୍ର ଚାଷୀମାନଙ୍କର ଆର୍ଥିକ ରୋଜଗାର ଦ୍ୱିଗୁଣିତ ହୋଇଛି ।
ବହୁମୁଖୀ ଜୀବିକା ନିର୍ବାହ ପାଇଁ ଏଠାରେ 8 ଶହ ହେକ୍ଟର ଜଳସେଚନ ଜମି ଓ 4 ଶହ ହେକ୍ଟର ଜମିରେ ଅର୍କିଡ୍ ଚାଷ ପାଇଁ ସୁବିଧା କରାଯାଇଛି, ଯାହାକି ସେମାନଙ୍କ ପାଇଁ ଆଶାଜନକ ଆର୍ଥିକ ଲାଭ ପାଇବାରେ ସହାୟକ ହେବ । କୃଷି ସଂଗଠନ ମାନେ ଏଠାରେ ପିଆଜ ଚାଷ ପାଇଁ ଏକ ପ୍ୟାକିଂ ହାଉସର ସୁବିଧା କରିବାକୁ ଦାବୀ କରିଥିଲେ, ଯାହାକି ପଶ୍ଚିମ ଓଡିଶା ବିକାଶ ପରିଷଦ ତରଫରୁ କରାଯିବା ନେଇ ବିଚାରକୁ ନିଆଯିବ ବୋଲି ଶ୍ରୀ ତ୍ରିପାଠୀ ପ୍ରତିଶ୍ରୁତି ଦେଇଥିଲେ । ଏଥି ସହିତ ଖରିଆରରେ ସତେଜ ଫଳ ଓ ପରିପରିବା ବିକ୍ରିକୁ ପ୍ରୋତ୍ସାହନ ଦେବା ପାଇଁ ତାପମାତ୍ରା ନିୟନ୍ତ୍ରକ ଆନୁଷଙ୍ଗିକ ବ୍ୟବସ୍ଥା ଯୋଗାଇଦିଆଯିବ । କୃଷକମାନଙ୍କ ସହିତ ଆଲୋଚନା କରି ଶ୍ରୀ ତ୍ରିପାଠୀ କହିଲେ ଯେ. ମୁଁ ଦେଖିପାରୁଛି ଯେ କୃଷକମାନଙ୍କ ମଧ୍ୟରେ କୃଷି ପାଇଁ ବହୁ ଉତ୍ସାହ ରହିଛି । କୃଷି ଆନୁଷଙ୍ଗିକ କ୍ଷେତ୍ରରେ ବ୍ୟବସାୟ ପାଇଁ ସୁଯୋଗ ରହିଥିବା ସେମାନେ ଅନୁଭବ କରୁଛନ୍ତି । ତନ୍ମଧ୍ୟରେ କୁକୁଡାପାଳନ ଅତ୍ୟନ୍ତ ଲାଭଦାୟକ । ଏହାକୁ ନିଶ୍ଟିତ କରିବାକୁ ହେଲେ ଏଥିପାଇଁ ଆବଶ୍ୟକୀୟ ସରଂଜାମ ଯୋଗାଇ ଦିଆଯିବାର ଆବଶ୍ୟକ ରହିଛି । ସେହିଭଳି ମାଛ ଚାଷରେ ମଧ୍ୟ ଆର୍ଥିକ ଅଭିବୃଦ୍ଧିରେ ସୁଯୋଗ ରହିଛି । ଏଥିପାଇଁ ସବୁବେଳେ ପାଣିର ସୁବିଧାକୁ ନିଶ୍ଚିତ କରିବା ଆବଶ୍ୟକ । ଏଥିପାଇଁ ଛୋଟ ଛୋଟ ନଦୀମାନଙ୍କରେ ଆଡିବନ୍ଧ (ଚେକ୍ ଡ୍ୟାମ) ନିର୍ମାଣ ଦରକାର । ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଭୋଜପୁର ଗ୍ରାମରେ ଲୋୟର ଇନ୍ଦ୍ରା ଜଳସେଚନ ପ୍ରକଳ୍ପ ଅନ୍ତର୍ଗତ ଭୂତଳ ପାଇପ ଲାଇନ୍ କାର୍ଯ୍ୟ ଅନୁଧ୍ୟାନ କରିଥିଲେ । ଏହି କାର୍ଯ୍ୟ ଶୀଘ୍ର ସଂପୂର୍ଣ୍ଣ ହେଲେ ସେଚାଂଚଳର ବହୁ ଚାଷୀ ଉପକୃତ ହେବେ । ଏ ସଂପର୍କରେ ସେ ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ ସହିତ ଆଲୋଚନା କରିଥିଲେ । ଅଂଚଳରେ ଅର୍ଥକରୀ ଫସଲ ଯଥା ତୂଳା, ମକା, ମିଲେଟ୍ ଆଦି ଚାଷର ଚାହିଦା ରହିଛି । କିନ୍ତୁ ଗୁଣାତ୍ମକ ମଞ୍ଜି, ତୈଳବୀଜ ଓ ଡାଲି ଯଥେଷ୍ଟ ପରିମାଣରେ ଉପଲବ୍ଧ ହେଉନାହିଁ । ଭାରତରେ ଏହାର ଆମଦାନୀ ଆବଶ୍ୟକତାକୁ କମାଇବାକୁ ହେଲେ ଆମକୁ ଏ ଦିଗରେ ବଜାର ସୁବିଧା ସୁଯୋଗ ସୃଷ୍ଟି ପ୍ରତି ତୁରନ୍ତ ଧ୍ୟାନ ଦେବାକୁ ହେବ । ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନର ସହଯୋଗରେ କୃଷି ଉତ୍ପାଦନକାରୀ ପୁଞ୍ଜଗୁଡିକ ସେମାନଙ୍କର କାର୍ଯ୍ୟଧାରାକୁ ବିକଶିତ କରିଛନ୍ତି । ଏହା ସେମାନଙ୍କୁ କୃଷକମାନଙ୍କୁ ବଜାର ସହିତ ଯୋଡି ସେମାନେ କିପରି ସେମାନଙ୍କର ଉତ୍ପାଦ ବାବଦରେ ଅପେକ୍ଷାକୃତ ଅଧିକ ଅର୍ଥ ପାଇପାରିବେ ତାହା ସେ ସଂପର୍କରେ ଶ୍ରୀ ତ୍ରିପାଠୀ ଆଲୋଚନା କରିଥିଲେ ।
ଏହି ଅବସରରେ ଶ୍ରୀ ତ୍ରିପାଠୀ ଜିଲ୍ଲାର ଅରେଡା(ତାରପୁର) ଠାରେ ନୀଳମାଧବ ମାଛ ଯାଆଁଳ ହାଚେରୀ ପରିଦର୍ଶନ କରିଥିଲେ । ଏହି ହାଚେରୀ କରିଥିବା ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ଉଦ୍ୟୋଗୀ ଶ୍ରୀ ସୁଶାନ୍ତ କୁମାର ସାହୁଙ୍କ ସହିତ କଥା ହୋଇଥିଲେ । ସେ ମାଛ ଯାଆଁଳ ଉତ୍ପାଦନ କରି ବିକ୍ରୟ ବ୍ୟବସାୟ କରୁଛନ୍ତି । ସେ ନିଜର 35 ଏକର ବିଶିଷ୍ଟ ଜମିରେ ମାଛ ପୋଖରୀ କରିଛନ୍ତି ଓ ଅତିରିକ୍ତ 50 ଏକର ଜଳ ଅଂଚଳକୁ ଲିଜ୍ ସୂତ୍ରରେ ନେଇ ମାଛ ଚାଷ କରୁଛନ୍ତି । ଏହା ଦ୍ୱାରା ଗତ ବର୍ଷ 16ଟି ହାଚେରୀରୁ ରେକର୍ଡ ସଂଖ୍ୟକ 25 କୋଟି ଜାଆଁଳ ଉତ୍ପାଦନ କରିଛନ୍ତି । ତାଙ୍କ ଫାର୍ମରେ ସମସ୍ତ ପ୍ରକାର ମାଛ ଜାଆଁଳ ରହିଛି । ଜଣେ ପଂଜୀକୃତ ମାଛ ମାଛ ଯାଆଁଳ ଉତ୍ପାଦନକାରୀ ଭାବେ2020-2021ରେ ସେ ରାଜ୍ୟର 07ଟି ଜିଲ୍ଲାକୁ ବଡ ମାଛ ଯାଆଁଳ ଯୋଗାଇପାରିଛନ୍ତି । ଖରାଦିନେ ରୌଦ୍ରତାପ ସମୟରେ ପାଣିର ଘୋର ଅଭାବ ବେଳେ ଏହି ମାଛ ହାଚେରୀ ଅନ୍ୟ ମାଛ ଉତ୍ପାଦନକାରୀ କୃଷକମାନଙ୍କ ପାଇଁ ଆଶା ସଂଚାର କରିଥାଏ ଏବଂ ଉତ୍ସାହ ଦେଇଥାଏ । ଏଠାରେ କେତେକ ମାଛ ପୋଖରୀ ଶୁଖିଲା ପଡିଥିବାରୁ ଜଳ ଅଭାବ ଦୂର କରିବା ପାଇଁ ମାନ୍ୟବର ଅଧ୍ୟକ୍ଷ ଶ୍ରୀ ତ୍ରିପାଠୀ ନିକଟରେ ଥିବା ନାଳରୁ ଏକଚେକ୍ ଡ୍ୟାମ ସମ୍ଭାବନା ବ୍ୟବସ୍ଥା କରିବାକୁ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିଲେ ।
ଏହି ପରିପ୍ରେକ୍ଷୀରେ ଶ୍ରୀ ତ୍ରିପାଠୀ ପଶ୍ଚିମ ଓଡିଶା ବିକାଶ ପରିଷଦ ପାଣ୍ଠି ସହାୟତାରେ 9.8 କୋଟି ଟଙ୍କା ବ୍ୟୟରେ 500 ଆସନ ବିଶିଷ୍ଟ ଅତ୍ୟାଧୁନିକ ଖରିଆର-ଟାଉନ ହଲ ନିର୍ମାଣ ପାଇଁ ଶିଳାନ୍ୟାସ କରିଥିଲେ । ଏହା ଦ୍ୱାରା ଉଭୟ ଖରିଆର ସହରର ଜନସାଧାରଣ ଏବଂ ଖରିଆର ସ୍ୱୟଂ ଶାସିତ ମହାବିଦ୍ୟାଳୟ ଉପକୃତ ହେବେ, ଯାହାକି ଅଂଚଳ ପାଇଁ ପ୍ରମୁଖ ଆବଶ୍ୟକତା ରହିଥିଲା । ଏ ସଂପର୍କରେ ମାନ୍ୟବର ବିଧାୟକ ,ଖରିଆର ଓ ଜିଲ୍ଲାପ୍ରଶାସନ ତରଫରୁ ଦୀର୍ଘ ଦିନ ଧରି ଦାବୀ ଏବଂ ପ୍ରସ୍ତାବ ରହିଥିଲା । ଏହି ଟାଉନ ହଲ ଉତ୍କୃଷ୍ଟ ନିର୍ମାଣ ଡିଜାଇନ୍ ସହ 18 ମାସ ମଧ୍ୟରେ ପୂର୍ତ୍ତ ବିଭାଗ ଦ୍ୱାରା ଶେଷ ହେବା ପାଇଁ ସମୟ ଧାର୍ଯ୍ୟ କରାଯାଇଛି । ପ୍ରକାଶ ଥାଉକି, ଶ୍ରୀ ତ୍ରିପାଠୀ ଗତକାଲି ନୂଆପଡା ସହରରେ 7.78 କୋଟି ଟଙ୍କା ବ୍ୟୟରେ ନୂଆପଡା ଟାଉନ ହଲ ତଥା ପ୍ରେକ୍ଷାଳୟ ନିର୍ମାଣ ପାଇଁ ଶିଳାନ୍ୟାସ କରିଥିଲେ ।
ଶ୍ରୀ ତ୍ରିପାଠୀ ଆହୁରି ମଧ୍ୟ ଆଜି ଖରିଆର ସ୍ୱୟଂ ଶାସିତ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ । ନୂଆପଡା ଜିଲ୍ଲା ଦେଇ ବିଜୁ ଏକ୍ସପ୍ରେସ୍ ଓ୍ୱେ ଯାଉଥିବା ହେତୁ ଏହି ଅଂଚଳ ଏକ ସବୁଜ କରିଡର ଭାବେ ବିବେଚନା କରାଯାଉଥିବାରୁ ଛାତ୍ରଛାତ୍ରୀମାନଙ୍କୁ ଆଗାମୀ ଦିନରେ ଶିଳ୍ପୋଦ୍ୟୋଗୀ ବା କୃଷି-ବ୍ୟବସାୟ ବୃତ୍ତି କରିବାକୁ ସେ ଉତ୍ସାହିତ କରିଥିଲେ । କେତେକ ଛାତ୍ରଛାତ୍ରୀ ମହାବିଦ୍ୟାଳୟର ସମସ୍ୟା ସଂପର୍କରେ ଉପସ୍ଥାପନ କରିଥିଲେ । ପଶ୍ଟିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଶ୍ରୀ ତ୍ରିପାଠୀ ସେମାନଙ୍କର ରହିଥିବା ଦାବୀ ଯଥା କଲେଜ ଜିମ୍ନାସିୟମ ହଲ ଓ ଖେଳ ପଡିଆର ଉନ୍ନତିକରଣ, ଛାତ ଉପରେ ସୋଲାର ସିଷ୍ଟମ, ଗାର୍ଲସ କମନ ରୁମ୍ ବ୍ୟବସ୍ଥା ଆଦି ସମସ୍ୟାର ସମାଧାନ ପାଇଁ ଉଚିତ୍ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ । ଏହି ଗସ୍ତ ଅବସରରେ ଶ୍ରୀ ତ୍ରିପାଠୀ ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସହିତ ବିଭିନ୍ନ ସମସ୍ୟା ଓ ପଶ୍ଟିମ ଓଡିଶା ବିକାଶ ପରିଷଦ ତରଫରୁ ନିଆଯାଇଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା କରିଥିଲେ ।
ସୂଚନା ଯୋଗ୍ୟ ଯେ. ନୂଆପଡା ଜିଲ୍ଲା ଗସ୍ତ ପରେ ଆଜି ଅପରାହ୍ଣରେ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଶ୍ରୀ ତ୍ରିପାଠୀ କଳାହାଣ୍ଡି ଜିଲ୍ଲା ଗସ୍ତ କରିଛନ୍ତି । କଳାହାଣ୍ଡି ସଦରମହକୁମା ଠାରେ ସେ ପ୍ରଥମେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଓ ଏମ୍.ଏସ୍ଏମଇ ହିତାଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି । ଏହି ଆଲୋଚନା ସମୟରେ ପଶ୍ଚିମ ଓଡିଶା ବିକାଶ ପରିଷଦ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଡଃ. ମିଶ୍ର, ଜିଲ୍ଲାପାଳ କଳାହାଣ୍ଡି, ଆରକ୍ଷୀ ଅଧିକ୍ଷକ,କଳାହାଣ୍ଡି ଓ ସମ୍ପୃକ୍ତ ଜିଲ୍ଲାସ୍ତରୀୟ ପଦାଧିକାରୀ ଉପସ୍ଥିତ ଥିଲେ ।