ଭୁବନେଶ୍ୱର,: ଅନିଷ୍ଟକାରୀ କୀଟଙ୍କ କବଳରୁ ଫସଲ ରକ୍ଷା କରିବା ନିମନ୍ତେ ଟ୍ରାଇକୋକାର୍ଡ ବ୍ୟବହାର କରିବା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍ଚରାଲ୍ ସାଇନ୍ସେସ୍ (ଆଇଏଏସ୍)ର ଛାତ୍ରଛାତ୍ରୀ ବିଜ୍ଞାନଗାରରେ ଏହା ପ୍ରସ୍ତୁତ କରିଛନ୍ତି । ଟ୍ରାଇକୋଗାମା ନାମକ ପରାଶ୍ରୟୀ କୀଟ ସାହାଯ୍ୟରେ ବିନା ରସାୟନିକ ସାର ବ୍ୟବହାରରେ ଅନିଷ୍ଟକାରୀ କୀଟଙ୍କ ଠାରୁ ଫସଲକୁ ରକ୍ଷା କରାଯାଇ ପାରିବ ।
ଟ୍ରାଇକୋଗାମା ମୁଖ୍ୟତଃ ଲାବୋରାଟୋରୀରେ ପ୍ରସ୍ତୁତ ହୋଇଥାଏ ଏବଂ ଅନିଷ୍ଟକାରୀ କୀଟଗୁଡ଼ିକର ଅଣ୍ଡାକୁ ନଷ୍ଟ କରିବା ନିମନ୍ତେ ବ୍ୟବହାରକରାଯାଇଥାଏ । ଏହା କୃଷକମାନଙ୍କ ପାଇଁ ଖୁବ୍ ଉପକାରୀ । କାରଣ ଏହି ପ୍ରକ୍ରିୟାରେ କୌଣସି ପ୍ରକାର ରାସାୟନିକ ସାର ବ୍ୟବହାର ନ କରି ପ୍ରାକୃତିକ ପ୍ରକ୍ରିୟାରେ ଓ ସ୍ୱଳ୍ପ ମୂଲ୍ୟରେ ଫସଲ ରକ୍ଷା କରାଯାଇଥାଏ । ଅନ୍ୟପକ୍ଷରେ କୀଟନାଶକ ବ୍ୟବହାର ଦ୍ୱାରା ପରିବେଶ ଦୂଷିତ ହୋଇଥାଏ ଓମଣିଷର ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରେ । ତେଣୁ ଜୈବିକ ଉପାୟରେ ଫସଲକୁ ଏହି ପ୍ରକ୍ରିୟାରେ ରକ୍ଷା କରାଯାଇପାରୁଛି ବୋଲି ଆଇଏଏସ୍ର ଡିନ୍ ପ୍ରଫେସର ବିଜୟ କୁମାର ସାହୁ କହିଛନ୍ତି ।
ପ୍ରତ୍ୟେକ ଟ୍ରାଇକୋକାର୍ଡରେ ୨୦ ହଜାର ପାରାସାଇଟ ଅର୍ଥାତ ପରଜୀବି କୀଟର ପ୍ୟୁପା ରହିଥାନ୍ତି ଯାହାକୁ କି ଚାଷ ଜମିରେ ଛଡା ଗଲେ ସେମାନେ ଜନ୍ମ ହାନିକାରକ କୀଟଗୁଡ଼ିକୁ ସେମାନଙ୍କ ଅଣ୍ଡାକୁ ନଷ୍ଟ କରିଥାନ୍ତି । ଏହା ଦ୍ୱାରା କେବଳ କୀଟ ନଷ୍ଟ ହୋଇ ନଥାନ୍ତି ବରଂ ରାସାୟନିକ ସାର ବ୍ୟବହାର କରିବାରୁ ପରିବେଶକୁ ମଧ୍ୟ ରକ୍ଷା କରାଯାଇପାରିଥାଏ ବୋଲି ପ୍ରଫେସର ସାହୁ କହିଛନ୍ତି ।
ଆଇଏଏସ୍ର କୀଟତତ୍ୱ ବିଭାଗର ଛାତ୍ରଛାତ୍ରୀ ଯେଉଁମାନେ କି ବାୟୋକଂଟ୍ରୋଲ ଲ୍ୟାବ୍ରେ ଟ୍ରାଇକୋକାର୍ଡକୁ ପ୍ରସ୍ତୁତ କରିଛନ୍ତି ସେମାନେ ଗୁରୁବାର ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ ଭେଟି ଏ ସମ୍ପର୍କରେ ଅବଗତ କରାଇଥିଲେ । ଏହି ଅବସରରେ ସେଠାରେ ଉପସ୍ଥିତ ଥିବା ସୋଆର ଚ୍ୟାନ୍ସେଲର ପ୍ରଫେସର ଡି.ପି. ଋାୟ ଛାତ୍ରଛାତ୍ରୀମାନଙ୍କର କାର୍ଯ୍ୟକୁ ନେଇ ଖୁସି ବ୍ୟକ୍ତ କରିଥିଲେ ।
ଟ୍ରାଇକୋକାର୍ଡର ବ୍ୟବହାର ନେଇ ଆଇଏଏସ୍ର କୀଟତତ୍ୱ ବିଭାଗର ମୁଖ୍ୟ ଡକ୍ଟର ବିଜୟ କୁମାର ମିଶ୍ର କହିଥିଲେ ଯେ ଏହା ଦ୍ୱାରା ଧାନ, ଗହମ ଓ ତୈଳ ବୀଜ ସହିତ ଆଖୁ ଓ କପା ଚାଷକୁ ସୁରକ୍ଷିତ ରଖାଯାଇପାରିବ । ୦.୪ ରୁ ୦.୭ ମିଲିମିଟର ଲମ୍ବର ଏହି କୀଟ ମୁଖ୍ୟତଃ ଅନିଷ୍ଟକାରୀ କୀଟ ଯାହାକି ଶସ୍ୟକୁ ଅନେକ ମାତ୍ରାରେ ନଷ୍ଟ କରିଥାଏ ବୋଲି ସେ କହିଛନ୍ତି ।
ଗୋଟିଏ ହେକ୍ଟର ଚାଷ ଜମିରେ ଅନିଷ୍ଟକାରୀ କୀଟକୁ ନଷ୍ଟ କରିବା ନିମନ୍ତେ କୀଟନାଶକ ସାର ବ୍ୟବହାର ନିମନ୍ତେ ୫ ହଜାର ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ଟ୍ରାଇକୋକାର୍ଡ ବ୍ୟବହାର ଦ୍ୱାରା ଏହାର ଏକ ଦଶମାଂଶ ଖର୍ଚ୍ଚରେ ଏହି କୀଟକୁ ନଷ୍ଟ କରିହେବ ବୋଲି ଡକ୍ଟର ମିଶ୍ର କହିଛନ୍ତି ।
ଏହି ଅବସରରେ ସୋଆର ପ୍ରତିଷ୍ଠାତା ସଦସ୍ୟ କୁମାରୀ ଉପାସନା ନାୟକ, ଆଡିସ୍ନାଲ୍ ଡିନ୍ (ରିସର୍ଚ୍ଚ) ପ୍ରଫେସର ପ୍ରିୟବ୍ରତ ପଟ୍ଟନାୟକ, ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଏବଂ ଆଇଏଏସ୍ର ଆଡିସ୍ନାଲ୍ ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।
ରାଜ୍ୟ
ଅନିଷ୍ଟକାରୀ କୀଟଙ୍କ କବଳରୁ ଫସଲ ରକ୍ଷା କରିବା ନେଇ ସୋଆ କୃଷି ଛାତ୍ରଛାତ୍ରୀଙ୍କ ଦ୍ୱାରା ଟ୍ରାଇକୋକାର୍ଡ ପ୍ରବର୍ତନ
- Hits: 581