ହେଡଲାଇନସ୍:

ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀ ଅସିତ୍ ତ୍ରିପାଠୀଙ୍କ ନୂଆପଡା ଜିଲ୍ଲା ଗସ୍ତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 
  • ନୂଆପଡା ଟାଉନ ହଲର ଶିଳାନ୍ୟାସ ଓ ଜିଲ୍ଲାର ବିକାଶମୂଳକ କାର୍ଯ୍ୟ ସଂପର୍କରେ ସମୀକ୍ଷା

  • ଛାତ୍ରଛାତ୍ରୀମାନଙ୍କୁ ଭବିଷ୍ୟତରେ ଶିଳ୍ପଦ୍ୟୋଗୀ ହେବାକୁ ପରାମର୍ଶ ।

ଭୁବନେଶ୍ୱର :ଆଜି ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀ ଅସିତ ତ୍ରିପାଠୀ ନୁଆପଡା ଜିଲ୍ଲା ଗସ୍ତ ପରିପ୍ରେକ୍ଷୀରେ ସେ ନୂଆପଡା ଜିଲ୍ଲା ସଦର ମହକୁମାରେ ପଶ୍ଟିମ ଓଡିଶା ବିକାଶ ପରିଷଦ ପାଣ୍ଠିରୁ 7 କୋଟି 78 ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହେବାକୁ 500 ଆସନ ବିଶିଷ୍ଟ ଏକ ଟାଉନ ହଲ ତଥା ପ୍ରେକ୍ଷାଳୟ(ଅଡିଟୋରିଅମ)ର ଶିଳାନ୍ୟାସ କରିଛନ୍ତି । ଏହି ପ୍ରେକ୍ଷାଳୟରେ ଅତ୍ୟାଧୁନିକ ବ୍ୟବସ୍ଥା ସହ ଶୀତତାପ ନିୟନ୍ତ୍ରକ ବ୍ୟବସ୍ଥା ଉପଲବଧ ହେବ । ଜିଲ୍ଲା ସଦରମହକୁମା ପାଇଁ ଏକ ବଡ ଅଡିଟୋରିଅମରଆବଶ୍ୟକତା ରହିଥିଲା । ଏ ସମ୍ପର୍କରେ ସ୍ଥାନୀୟ ମାନ୍ୟବର ବିଧାୟକ ବାରମ୍ବାର ଦାବୀ କରିଆସୁଥିଲେ ଓ ଜିଲ୍ଲାପ୍ରଶାସନ ତରଫରୁ ମଧ୍ୟ ଅନୁରୂପଭାବେ ପ୍ରସ୍ତାବ ଆସିଥିଲା । ଏହି ପ୍ରେକ୍ଷାଳୟ ପରିଚାଳନା ଦାୟିତ୍ୱ ଜିଲ୍ଲା ପ୍ରଶାସନ ଦାୟିତ୍ୱରେ ରହିବ । କିନ୍ତୁ ନ୍ୟାସନାଲ କଲେଜ ନୂଆପଡାର ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ଦେୟମୁକ୍ତ ରହିବ । ଜିଲ୍ଲାର ଦୁଇ ବିଜ୍ଞପିତ ଅଂଚଳ ପରିଷଦ ନୂଆପଡା ଓ ଖରିଆର ରୋଡବାସୀ ଏହାଦ୍ୱାରା ଉପକୃତ ହେବେ । ବିଭିନ୍ନ କାର୍ଯ୍ୟକ୍ରମରେ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ତଥା ବିଧାୟକ ନୂଆପଡା ଶ୍ରୀ ରାଜେନ୍ଦ୍ର ଢୋଲକିଆ ଓ ଜିଲ୍ଲାପାଳ , ନୂଆପଡା ଶ୍ରୀମତୀ ସ୍ୱଧାଦେବ ସିଂ, ମାନ୍ୟବର ନୂଆପଡା ସାଂସଦଙ୍କ ପ୍ରତିନିଧି, ସ୍ଥାନୀୟ ଏନଏସିର ଅଧ୍ୟକ୍ଷ ଓ ଅନ୍ୟ ଜନପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ ।
ଶ୍ରୀ ତ୍ରିପାଠୀ ତାଙ୍କ ଗସ୍ତ ପରିପ୍ରେକ୍ଷୀରେ ନ୍ୟାସନାଲ କଲେଜ, ନୂଆପଡା ପରିଦର୍ଶନ କରି ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ସହିତ ଆଲୋଚନା କରି ସେମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ ।ଛାତ୍ରଛାତ୍ରୀମାନଙ୍କୁ ଶିଳ୍ପଦ୍ୟୋଗୀ ହେବାପାଇଁ ଉତ୍ସାହିତ କରିଥିଲେ । ମହାବିଦ୍ୟାଳୟରେ ରହିଥିବା ପାନୀୟ ଜଳ ସମସ୍ୟାର ସମାଧାନ ଓ ଛାତ୍ରୀମାନଙ୍କ ନିମନ୍ତେ ଏକ ଓ୍ୱାସରୁମ ନିର୍ମାଣ ସୁବିଧା କରାଯିବାପାଇଁ ପ୍ରତିଶୃତି ଦେଇଥିଲେ । ପୂର୍ବରୁ ପଶ୍ଚିମ ଓଡିଶା ବିକାଶ ପାଣ୍ଠି ସହାୟତାରେ 40 ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏକ ସମ୍ମିଳନୀ କକ୍ଷରେ ଏହି ଆଲୋଚନା ବୈଠକ ଅନୁଷ୍ଠିତ ହୋଇଥିଲା ।କଲେଜ ପରିସର ବ୍ୟବସ୍ଥିତ ନଥିବାରୁ ଆନୁଷଙ୍ଗିକ ବ୍ୟବସ୍ଥା କରି ଏହାର ପରିବେଶର ଉନ୍ନତି କରଣ ପାଇଁ ଶ୍ରୀ ତ୍ରିପାଠୀ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ପରେ ପରେ ଶ୍ରୀ ତ୍ରିପାଠୀ, ନୂଆପଡା ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକରେ ଯୋଗଦେଇ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା କରିଥିଲେ । ଶ୍ରୀ ତ୍ରିପାଠୀ ଜିଲ୍ଲାରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ବହୁ ହିତାଧିକାରୀଙ୍କ ସହିତ ଆଲୋଚନା କରି କୃଷି ଓ କୃଷି ଉଦ୍ୟୋଗଗୁଡିକର ସ୍ଥିତି ଯାଂଚ କରିଥିଲେ ।ଜିଲ୍ଲାରେ କୁକୁଡାପାଳନ ଲାଭଦାୟକ ହେଉଛି । ବିଶେଷ କରି ଜିଲ୍ଲାରେ କୁକୁଡା ଚାଷ କରୁଥିବା ଚାଷୀମାନଙ୍କ ପାଇଁ ନିରବିଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ଏବଂ ଗୁଣାତ୍ମକ ବିଦ୍ୟୁତ ଯୋଗାଣ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାରେ କାର୍ଯ୍ୟରତ ଫାର୍ମ ପ୍ରଡ୍ୟୁସର ଅର୍ଗାନାଇଜେନ ମାନଙ୍କର କାର୍ଯ୍ୟ ସମୀକ୍ଷା କରାଯାଇଥିଲା । ସେହିପରି ଜିଲ୍ଲାରେ ମତ୍ସ୍ୟ ଉତ୍ପାଦନ କ୍ଷେତ୍ରର ମଧ୍ୟ ବହୁ ସୁବିଧା ରହିଛି । ଜିଲ୍ଲାରେ ବିଭିନ୍ନ ପ୍ରକାର ଫସଲ ଯଥା ତୁଳା, ମକା ଓ ପିଆଜ ଚାଷ ପାଇଁ ପଦକ୍ଷେପ ନିଆଯାଉଛି । ଯଥାକ୍ରମେ ପ୍ରାୟ 12 ହଜାର, 6 ହଜାର ଓ 5 ହଜାର ହେକ୍ଚର ଜମିରେ ଏସବୁ ଚାଷ କରାଯିବ । ଜିଲ୍ଲାରେ ପିଆଜ ଚାଷ ପାଇଁ ଚାଷୀମାନଙ୍କୁ ପ୍ରୋତ୍ସାହନ ଦେବା ଓ ଚାଷ ପରେ ତାହାକୁ ସଂରକ୍ଷିତ ରଖି ଠିକ୍ ସମୟରେ ବିକ୍ରୟ କରି ଲାଭବାନ ହେବେ ସେଥିପ୍ରତି ଧ୍ୟାନ ଦେଇ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।ସେହିପର ଶ୍ରୀ ତ୍ରିପାଠୀ ନୂଆପଡା ଜିଲ୍ଲା ସଦର ମହକୁମା ଚିକିତ୍ସାଳୟ ଅଚାନକ ପରିଦର୍ଶନ କରି ଚିକିତ୍ସାଧିନ ଅନ୍ତେବାସୀମାନଙ୍କ ସହିତ ସେମାନେ ପାଉଥିବା ଚିକିତ୍ସା ସଂପର୍କରେ ଆଲୋଚନା କରିଥିଲେ । ସେମାନେ ପାଉଥିବା ଚିକିତ୍ସାସେବା ସନ୍ତୋଷଜନକ ରହିଛି ବୋଲି ପ୍ରକାଶ କରିଥିଲେ । ସ୍ୱତନ୍ତ୍ର କୋଭିଡ୍ -19 ସହାୟତା ଅନୁଦାନରୁ ସ୍ୱତନ୍ତ୍ର ଭାବେ 20 ଶଯ୍ୟା ବିଶିଷ୍ଟ ଆଇ.ସି.ୟୁ ବେଡ୍ ଓ ଆଉ 50ଟି ଶଯ୍ୟାକୁ ଅକ୍ସିଜେନ୍ ପାଇପ୍ ଲାଇନ୍ ସଂଯୋଗୀକରଣ କାର୍ଯ୍ୟ ପଶ୍ଚିମ ଓଡିଶା ବିକାଶ ପରିଷଦ ପାଣ୍ଠିରୁ କରାଯାଇଛି ।ନୂଆପଡା ଗସ୍ତ ସମୟରେ ପଶ୍ଚିମ ଓଡିଶା ଅଧ୍ୟକ୍ଷ ଶ୍ରୀ ତ୍ରିପାଠୀ ବିଧାୟକ ନୂଆପଡା ଙ୍କ ସହିତ ଖରିଆର ରୋଡ ରେଳ ଷ୍ଟେସନ ପରିଦର୍ଶନ କରିଥିଲେ । ସେଠାରେ ଇମ୍ପାକ୍ଟ ଇଣ୍ଡିଆ ଫାଉଣ୍ଡେସନ ସର୍ଭିସ୍ ତରଫରୁ ପ୍ରଦାନ କରାଯାଉଥିବା ସେବା ସମ୍ପର୍କରେ ଅନୁଧ୍ୟାନ କରିଥିଲେ । ଶ୍ରୀ ତ୍ରିପାଠୀ ତାଙ୍କର ଚାକିରୀ କାର୍ଯ୍ୟକାଳ ସମୟରେ ନୂଆପଡା ଜିଲ୍ଲାରେ ପ୍ରଥମେ ଜିଲ୍ଲାପାଳ ଭାବେ ଯୋଗଦାନ କରିଥିଲେ । ସେ ଦୃଷ୍ଚିରୁ ଜିଲ୍ଲାର ଉନ୍ନତି ପାଇଁ ସେ ସ୍ୱତନ୍ତ୍ର ଦୃଷ୍ଟି ଦେଉଥିବାରୁ ଜିଲ୍ଲାବାସୀ ଆନନ୍ଦ ପ୍ରକାଶ କରିଛନ୍ତି ।

 

0
0
0
s2sdefault