ପ୍ରଧାନମନ୍ତ୍ରୀଙ୍କ ପାଖେ ଏହି ଦାବି ରଖିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲା ସମାଜବାଦୀ ପାର୍ଟି
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ ପୂର୍ବରୁ ତଥା ଅପରାହ୍ନ ୪ଟା ବେଳେ ପ୍ରଧାନମନ୍ତ୍ରୀଙ୍କ ସହିତ ବୈଠକ ସମୟରେ ମହାନଦୀ ସମସ୍ୟାର ସ୍ଥାୟୀ ସମାଧାନ ଦାବି କରି ସମାଜବାଦୀ ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଜି ଏକ ଚିିଠି ଲେଖାଯାଇ ଅନୁରୋଧ କରାଯାଇଛି । ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରାଙ୍କ ଦ୍ୱାରା ଲିଖିତ ଏହି ପତ୍ରରେ ଦର୍ଶାଯାଇଛି ଯେ, ଆପଣ ଆଜି ଦିଲ୍ଲୀ ଗସ୍ତ କରୁଛନ୍ତି । ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଅନୁମାନ କରାଯାଉଛି, ମାନ୍ୟବର ପ୍ରଧାନମନ୍ତ୍ରୀ ଆସନ୍ତା ରାଷ୍ଟ୍ରପତି ନିର୍ବାଚନ ପାଇଁ ଆପଣଙ୍କର ତଥା ବିଜେଡ଼ି ଦଳର ସମର୍ଥନ ହାସଲ ପାଇଁ ଉଦ୍ୟମ କରିପାରନ୍ତି । ତେଣୁ ଓଡ଼ିଶାର ସ୍ୱାର୍ଥକୁ ଆଖି ଆଗରେ ରଖି ବିଜେପିର ମନୋନୀତ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଆପଣଙ୍କ ସରକାରର ତଥା ବିଜେଡ଼ି ଦଳର ସମର୍ଥନ ଘୋଷଣା ପୂର୍ବରୁ ମହାନଦୀ ଜଳ ସଂକଟ ସମସ୍ୟାର ଚିରସ୍ଥାୟୀ ସମାଧାନ ପ୍ରଧାନମନ୍ତ୍ରୀଙ୍କ ପାଖରେ ଦାବି କରିବାକୁ ଆମ୍ଭେ ଅନୁରୋଧ କରୁଛୁ । ଆପଣ ଜାଣନ୍ତି ମହାନଦୀ ହେଉଛି ଓଡ଼ିଶାର ଜୀବନରେଖା । ଛତିଶଗଡ଼ର ବ୍ୟାରେଜ୍ ଯୋଗୁଁ ଆଜି ମହାନଦୀ ଶୁଖିଲା ପଡ଼ିଛି । ହୀରାକୁଦ ଜଳଭଣ୍ଡାର ମଧ୍ୟ ଶୁଖିଗଲାଣି । ମହାନଦୀ ଅବବାହିକାର ୧୫ଟି ଜିଲ୍ଲାର ୨ କୋଟି ଲୋକ ଆଗାମୀ ଦିନରେ ଘୋର ଜଳ ସଙ୍କଟର ସମ୍ମୁଖୀନ ହେବାକୁ ଯାଉଛନ୍ତି, ହୁଏତ ସମୟ ଆସିପାରେ ମହାନଦୀ ଏକ ‘ମରୁନଦୀ’, ହୀରାକୁଦ ଜଳଭଣ୍ଡାର ଏକ ‘ଶୁଷ୍କ ଜଳଭଣ୍ଡାର’ ଓ ଅର୍ଦ୍ଧାଧିକ ଓଡ଼ିଶା ମରୁଭୂମିରେ ପରିଣତ ହେବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ । କେବଳ ଜଳ ସେଚନ ନୁହେଁ ବିଦ୍ୟୁତ୍ ଉତ୍ପାଦନ, ପାନୀୟ ଜଳ ଓ ଚାଷବାସ ମଧ୍ୟ ଏହାଦ୍ୱାରା କ୍ଷତିଗ୍ରସ୍ତ ହେବେ ଏବଂ ଦୁଇ କୋଟି ଲୋକ ୧୫ଟି ଜିଲ୍ଲାରୁ ଉଦ୍ବାସ୍ତୁ ହେବାର ଆଶଙ୍କା ଦେଖାଦେଇଛି । ସେହିଭଳି ଇବ୍ ନଦୀର ଛତିଶଗଡ଼ର ବ୍ୟାରେଜ୍ ଯୋଗୁଁ ସୁନ୍ଦରଗଡ଼ ଓ ଝାରସୁଗୁଡା ଜିଲ୍ଲା ଆଗାମୀ ଦିନରେ ପାଣି ସମସ୍ୟାର ସମ୍ମୁଖୀନ ହେବାକୁ ଯାଉଛନ୍ତି । ପୁନଶ୍ଚ ଝାଡଖଣ୍ଡରୁ ବାହାରିଥିବା ବ୍ରାହ୍ମଣୀର ଶାଖା ଶଙ୍ଖ ଓ କୋଏଲ ନଦୀ ଉପରେ ଝାଡଖଣ୍ଡ ସରକାରଙ୍କର ନଦୀବନ୍ଧ ଯୋଜନା ଯୋଗୁଁ ବ୍ରାହ୍ମଣୀରେ ମଧ୍ୟ ପାଣି ଆସିବା କମିଗଲାଣି । ଫଳରେ ଇସ୍ପାତ ନଗରୀ ରାଉରକେଲା ସମେତ ଢେଙ୍କାନାଳ, ଅନୁଗୋଳ ଓ କଳିଙ୍ଗନଗର ଶିଳ୍ପାଞ୍ଚଳ ଏବଂ ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲା ଆଗାମୀ ଦିନରେ ଜଳକଷ୍ଟର ସମ୍ମୁଖୀନ ହେବାକୁ ଯାଉଛନ୍ତି । ଦକ୍ଷିଣରେ ମଧ୍ୟ ଗଞ୍ଜାମର ଜୀବନରେଖା ଋଷିକୁଲ୍ୟ ନଦୀ ଆଜି ଶୁଖିଲା ପଡ଼ିଛି । ବଂଶଧାରା ଓ ନାଗାବଳୀ ନଦୀରେ ଆନ୍ଧ୍ର ସରକାରଙ୍କର ବ୍ୟାରେଜ୍ ନିର୍ମାଣ ଯୋଗୁଁ ଏ ଦୁଇଟି ନଦୀ ଆଜି ଶୁଷ୍କ ହେବାକୁ ବସିଛି । ଫଳରେ ଓଡ଼ିଶା ଦକ୍ଷିଣ-ପଶ୍ଚିମାଞ୍ଚଳ ଆଗାମୀ ଦିନରେ ଜଳ ସଂକଟର ସମ୍ମୁଖୀନ ହେବ । ତେଣୁ ଓଡ଼ିଶାକୁ ଆଗାମୀ ଦିନରେ ଜଳ ସଂକଟରୁ ରକ୍ଷା କରିବାକୁ ଆପଣ ତୁରନ୍ତ ଆଜି ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ପାଖରେ ଛତିଶଗଡ଼, ଆନ୍ଧ୍ର, ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସହିତ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କର ଏକ ବୈଠକ ଦାବି କରିବା ସହିତ ଏହିସବୁ ନଦୀଜଳ ସମସ୍ୟାର ଆପୋଷ ସମାଧାନ ଦାବି କରିବାକୁ ଆମ୍ଭେ ଅନୁରୋଧ କରୁଅଛୁ । ବିଜେପି ଦଳର ରାଷ୍ଟ୍ରପତି ନୋମିନି ସମର୍ଥନ ଘୋଷଣା ପୂର୍ବରୁ ଏହି ବୈଠକ ଅନୁଷ୍ଠିତ ହେବା ଉଚିତ୍ ବୋଲି ଆମେ ମନେକରୁ । ତା’ ନହେଲେ ଆଗାମୀ ଦିନରେ ଓଡ଼ିଶା ଏକ ମରୁଭୂମିରେ ପରିଣତ ହେବାର ଆଶଙ୍କାକୁ ଏଡାଇ ଦିଆଯାଇପାରିବ ନାହିଁ । ରାଜ୍ୟର ଭବିଷ୍ୟତ ବଂଶଧରମାନଙ୍କର ଭବିଷ୍ୟତକୁ ଆଖି ଆଗରେ ରଖି ତୁରନ୍ତ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏହିସବୁ ମୁଖ୍ୟମନ୍ତ୍ରୀମାନଙ୍କର ବୈଠକ କରି ଜଳ ସମସ୍ୟାର ସମଧାନ ଆମ୍ଭେ ଦାବି କରୁଛୁ ବୋଲି ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା ଦାବି କରିଛନ୍ତି |