ଦ୍ବିତୀୟ ଥର ପାଇଁ ପ୍ରତିନିଧିତ୍ବ କରିବେ ଶସ୍ମିତ
ଭୁବନେଶ୍ୱର : ସ୍ୱାମୀ ଯିବେ, ସୋନୁ ଯିବେ, ଜିନ୍ଦଲ ଯିବେ, ଅମୁକ ଯିବେ ସମୁକ ଯିବେ, ବିଜେପି ନବ ଇତ୍ୟାଦି ଇତ୍ୟାଦି କଳ୍ପନା ଜଳ୍ପନାର ଅବସାନ ଘଟାଇ ବିଜେଡି ସୁପ୍ରିମୋ ଖୋଲିଛନ୍ତି ତାଙ୍କ ପେଡି | ଆଉ ଅନୁମୋଦନ କରିଛନ୍ତି ରାଜ୍ୟସଭାକୁ ଯିବାକୁ ଥିବା ୪ ପ୍ରାର୍ଥୀଙ୍କ ନାମ ତାଲିକା | ଦଳର ଗଣମାଧ୍ୟମ ବିଭାଗ ପାଇଛି ଗୁରୁତ୍ୱ, ଆଉ ଗଣମାଧ୍ୟମ ବିଭାଗରୁ ତିନିଜଣ ଯାଉଛନ୍ତି ରାଜ୍ୟସଭା | ୪ ରାଜ୍ୟ ସଭା ଆସନ ପାଇଁ ବିଜେଡିର ପ୍ରାର୍ଥୀ ଭାବେ ରାଜ୍ୟ ସଭାକୁ ଯିବେ ବରିଷ୍ଠ ନେତ୍ରୀ ତଥା ଜଣାଶୁଣା ଗଣମାଧ୍ୟମ ଚେହେରା ଶ୍ରୀମତୀ ସୁଲତା ଦେଓ , ଦଳର ସାଧାରଣ ସମ୍ପାଦକ(ଗଣମାଧ୍ୟମ ବ୍ୟାପାର) ତଥା ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ଶ୍ରୀ ମାନସ ରଞ୍ଜନ ମଙ୍ଗରାଜ, ବିଦାୟୀ ରାଜ୍ୟସଭା ସଭ୍ୟ ତଥା ଜାତୀୟ ମୁଖପାତ୍ର ଶସ୍ମିତ ପାତ୍ର ଓ ନିରଂଜନ ବିଶି | ସୂଚନାଯୋଗ୍ୟ ଯେ ପ୍ରସନ୍ନ ଆଚାର୍ଯ୍ୟ , ଏନ୍ ଭାସ୍କର ରାଓ ଏବଂ ସସ୍ମିତ ପାତ୍ରଙ୍କ ରାଜ୍ୟ ସଭା କାର୍ଯ୍ୟକାଳ ଶେଷ ହେବା ପରେ ତିନିଟି ଆସନ ଓ ମେୟର ଭାବେ ବିଜୟୀ ହେବା ପରେ କଟକ ମେୟର ସୁବାସ ସିଂ ସାଂସଦ ପଦରୁ ଇସ୍ତଫା ଦେବା ପରେ ଖାଲି ପଡିଥିବା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି | ବିଧାୟକଙ୍କ ସଂଖ୍ୟା ଦୃଷ୍ଟିରୁ ୪ ଟି ଯାକ ଆସନ ବିଜେଡି ଅକ୍ତିଆର କରିବା ନିଶ୍ଚିତ ବୋଲି ଜଣାପଡିଛି |