ଓଡ଼ଗାଁ(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ବ୍ଳକ କଲ୍ୟାଣପୁର ଅପର ପ୍ରାଇମେରୀ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ମଞ୍ଜୁବାଳା ଦେଇଙ୍କୁ କାର୍ଯ୍ୟରେ ଅବହେଳା ଦର୍ଶାଇ ଆଜି ନିଲମ୍ବନ କରାଯାଇଛି । ନୟାଗଡ଼ ଜିଲ୍ଲା ଶିକ୍ଷାଧିକାରୀଙ୍କ ପତ୍ରସଂଖ୍ୟା ୪୬୬୧ ଅନୁସାରେ ନିଲମ୍ବନ ଆଦେଶ ବଳବତର ରହିଥିବା ଯାଏଁ ସେ ଶରଣକୁଳ ନାରାୟଣ ସରକାରୀ ହାଇସ୍କୁଲରେ କାର୍ଯ୍ୟ ଦିବସ ଗୁଡିକରେ ଉପସ୍ଥିତ ରହିବା ନିର୍ଦ୍ଦେଶରେ ସୂଚନା ରହିଛି । ବୁଧବାର ଦିନ ସକାଳ ୬.୩୦ ସମୟରେ କଲ୍ୟାଣପୁର ଅପର ପ୍ରାଇମେରି ସ୍କୁଲରେ ଅତର୍କିତ ଭାବେ ଜିଲ୍ଲା ଶିକ୍ଷାଧିକାରୀ ଅକୃର କୁମାର ବାରିକ ପହଂଚିବା ସମୟରେ ସ୍କୁଲରେ ଛାତ୍ରଛତ୍ରୀମାନଙ୍କ ଉପସ୍ଥିତ ଦେଖିଥିବା ବେଳେ କୈାଣସି ଶିକ୍ଷକ କର୍ମଚାରୀଙ୍କ ମାନଙ୍କୁ ଦେଖିବାକୁ ପାଇନଥିଲେ । ପରେ ନନ୍ଦିଘୋର ଜବାହାରଲାଲ ନୋଡାଲ ଉଚ୍ଚ ବିଦ୍ୟାଳୟ ସହିତ ଲଡୁକେଶ୍ୱର ପ୍ରାଥମୀକ ବିଦ୍ୟାଳୟ ପରିଦର୍ଶନ କରି ଓଡ଼ଗାଁ ବିଇଓଙ୍କ କାର୍ଯ୍ୟଳୟ ଓ ସେଠାରୁ ଓଡ଼ଗାଁ ବିଜୟମଣ୍ଡପ ସାହି ପ୍ରାଇମେରି ସ୍କୁଲରେ ପହଁଚି ଜନୈକ ପାଚିକାଙ୍କ ଅନୁପସ୍ଥିତ ସମ୍ପର୍କରେ ଜାଣିବାକୁ ପାଇଥିଲେ । ସରକାରୀ କାର୍ଯ୍ୟରେ ଅବହେଳା କାରଣରୁ କଲ୍ୟାଣପୁର ଅପର ପ୍ରାଇମେରୀ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ମଞ୍ଜୁବାଳା ଦେଇଙ୍କୁ କାର୍ଯ୍ୟରୁ ନିଲମ୍ବନ ସହିତ ପାଚିକାଙ୍କ ଦରମା ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ଶିକ୍ଷାଧିକାରୀଙ୍କ ଏହି କାର୍ଯ୍ୟାନୁଷ୍ଠାନ ଶିକ୍ଷକ ମହଲରେ କୋକୁଆ ଭୟ ସୃଷ୍ଟି କରିଛି ।