ଘୋଷଯାତ୍ରାରେ ଏଥର ଭକ୍ତ ଓ ଭଗବାନଙ୍କ ମିଳନ !

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପୁରୀ (ଅନିମେଶ ପଟ୍ଟନାୟକ): ଜଗନ୍ନାଥ ପ୍ରେମିଙ୍କ ପାଇଁ ଖୁସି ଖବର । ଚଳିତବର୍ଷ ଘୋଷଯାତ୍ରା ଭକ୍ତଙ୍କ ଗହଣରେ ହେବ । ବଡଦାଣ୍ଡରେ ହେବ ଭକ୍ତ ଓ ଭଗବାନଙ୍କ ମିଳନ । ଏନେଇ ସମନ୍ଵୟ ବୈଠକରେ ଆଲୋଚନା ପରେ ହୋଇଛି ନିଷ୍ପତ୍ତି ।

ବଡଦାଣ୍ଡ ଏଥର ଭକ୍ତମୟ ହେବ । ଭକ୍ତଙ୍କ ଗହଣରେ କାଳିଆ ସାଆନ୍ତେ ଗୁଣ୍ଡିଚା ବିଜେ କରିବେ । ମହାପ୍ରଭୁ ଟାହିଆ ହଲାଇ ଭକ୍ତଙ୍କୁ ଆମନ୍ତ୍ରଣ କରୁଥିବାର ମନୋରମ ଦୃଶ୍ୟକୁ ଦେଖି ପୁଣି ବିଭୋର ହେବେ ଜଗନ୍ନାଥ ପ୍ରେମି । ସୋମବାର ସ୍ଥାନୀୟ ଟାଉନହଲରେ ରଥଯାତ୍ରା ସମନ୍ଵୟ ବୈଠକ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ସୁରେଶ ଚନ୍ଦ୍ର ଦଳାଇଙ୍କ ଅଧ୍ୟକ୍ଷତା ସମନ୍ଵୟ ବୈଠକ ହୋଇଯାଇଅଛି । ବିଶ୍ୱର କୋଣ ଅନୁକୋଣରୁ ଭକ୍ତଙ୍କ ସମାଗମ ହେବ । ତେଣୁ ଉନ୍ନତମାନର ପ୍ରଶାସନିକ ବ୍ୟବସ୍ଥା ଉପରେ ଗୁରୁତ୍ବ ଦିଆଯିବ ବୋଲି କହିଛନ୍ତି କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ।

ସେହିପରି ମହାପ୍ରଭୁଙ୍କ ଘୋଷଯାତ୍ରାକୁ ସୂଚାରୁ ରୂପେ କରିବାକୁ ସମସ୍ତଙ୍କ ସହଯୋଗ ଲୋଡିଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା । ରଥଯାତ୍ରାରେ ପାଖାପାଖି ୧୫ ଲକ୍ଷ ଲୋକଙ୍କ ସମାଗମ ହୋଇପାରେ । ସେଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଉଛି । ସୁରକ୍ଷାକୁ ନଜରରେ ରଖି ସହରରେ ଅନେକ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଯିବ । ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ସହ ଉପଯୁକ୍ତ ଟ୍ରିଟମେଣ୍ଟ ପାଇଁ ୨୦୦ରୁ ଅଧିକ ଡାକ୍ତରଙ୍କୁ ନିୟୋଜୀତ କରାଯିବ । ଆଇନ ଶୃଙ୍ଖଳା ପାଇଁ ୧୦୦ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ କରାଯିବା ନେଇ ଆଲୋଚନା ହୋଇଥିବା କହିଛନ୍ତି ଜିଲ୍ଲାପାଳ ।

ଅନ୍ୟପଟେ ତିନି ରଥର ନିର୍ମାଣ ବ୍ୟବସ୍ଥା, ରଥକନା, ଦଉଡି ଯୋଗାଣ, ସ୍ୱାସ୍ଥ୍ୟ, ପରିମଳ, ଗମନାଗମନ ଆଦି ଉପରେ ବିସ୍ତୃତ ଆଲୋଚନା କରାଯାଇଛି । ଚଳିତ ସ୍ନାନ ପୂର୍ଣ୍ଣିମାକୁ ମଧ୍ଯ ଭକ୍ତଙ୍କ ସମାଗମ ହେବ । ତେଣୁ ଦର୍ଶନର ସୁବନ୍ଦୋବସ୍ତ ଉପରେ ଗୁରୁତ୍ବ ଦିଆଯାଇ ବ୍ୟାପକ ବ୍ୟବସ୍ଥା କରାଯିବାକୁ ବୈଠକରେ ଆଲୋଚନା ହୋଇଛି ।

0
0
0
s2sdefault