ଜଗତସିଂହପୁର/ସୁମନ୍ତ କୁମାର ଦାସ: 'ମହାପ୍ରଭୁ ଶ୍ରୀଜଗନ୍ନାଥ' ହେଉଛନ୍ତି ପ୍ରତ୍ୟେକଟି ଓଡ଼ିଆଙ୍କର ପରିଚୟ ତଥା ପରମ ଆରାଧ୍ୟ । ତାଙ୍କର ନିବାସ ‘ଶ୍ରୀମନ୍ଦିର' ହେଉଛି ସମଗ୍ର ହିନ୍ଦୁ ସମାଜର ଆସ୍ଥା, ବିଶ୍ବାସ ତଥା ସଂସ୍କୃତିର ପ୍ରାଣକେନ୍ଦ୍ର ଚାରିଧାମ ମଧ୍ୟରୁ ସର୍ବଶ୍ରେଷ୍ଠ ଧାମ ହେଉଛି 'ଶ୍ରୀକ୍ଷେତ୍ର' ପୁରୀ । ଦେଶର ପ୍ରାଚୀନ ମହାନତମ କୀର୍ତ୍ତିରାଜି ମଧ୍ୟରୁ ଅନ୍ୟତମ ଶ୍ରୀମନ୍ଦିର ଯାହାକି ନିଜର ଐତିହ୍ୟ, ପରମ୍ପରା ତଥା ଶ୍ରେଷ୍ଠତ୍ବ ମାଧ୍ୟମରେ ଦୀର୍ଘ ୧୦୦୦ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଓଡ଼ିଆଙ୍କ ଗର୍ବ ଗୌରବ ବଢ଼ାଇ ଆସିଛି । ଏଭଳି ଏକ ଗୌରବମୟ ଐତିହ୍ୟ ସମ୍ପନ୍ନ କୀର୍ତ୍ତିର ସୁରକ୍ଷା ତଥା ସଂରକ୍ଷଣ ଆମ ସମସ୍ତଙ୍କର ନୈତିକ ଦାୟିତ୍ଵ l ଦୁଃଖର ବିଷୟ, ଶ୍ରୀମନ୍ଦିରର ସୁରକ୍ଷା ଆଜି ବିପଦରେ । ଏହି ବିପଦ ସୃଷ୍ଟି ହୋଇଛି ସରକାରଙ୍କ ଦ୍ବାରା ମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ଆରମ୍ଭ କରାଯାଇଥିବା 'ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ' ଯୋଗୁଁ ବୋଲି ଅଭିଯୋଗ କରିଛି "ଶ୍ରୀମନ୍ଦିର ସୁରକ୍ଷା ସମିତି " । "ଶ୍ରୀମନ୍ଦିର ସୁରକ୍ଷା ସମିତି "ପକ୍ଷରୁ ଆଜି ଏହି ମର୍ମରେ ଅତିରିକ୍ତ ଜିଲ୍ଲାପାଳ ଙ୍କୁ ଦାବି ପତ୍ର ପ୍ରଦାନ କରା ଯାଇଛି |
ଦାବି ପତ୍ରରେ କୁହ ଯାଇଛି ଯେ "ପ୍ରକଳ୍ପ ଅନ୍ତର୍ଗତ ବହୁତଳ ପ୍ରାସାଦ ନିର୍ମାଣ ପାଇଁ ଗଭୀର ଗର୍ଭମାନ ଖନନ କାରଣରୁ ମନ୍ଦିରର ଭିଭି ଦୁର୍ବଳ ହୋଇଯାଇଛି । ଏକ ପ୍ରାଚୀନ କୀର୍ତ୍ତି ହୋଇଥିବାରୁ ଶ୍ରୀମନ୍ଦିରର ରକ୍ଷଣାବେକ୍ଷଣ ଦାୟିତ୍ବ ASI ଉପରେ ନ୍ୟସ୍ତ । ୧୦୦ ମିଟର ପରିଧୂ ମଧ୍ୟରେ କୌଣସି ସ୍ଥାୟୀ/ଅସ୍ଥାୟୀ କାର୍ଯ୍ୟ ସମ୍ପୂର୍ଣ ନିଷିଦ୍ଧ । ସେଥ୍ପାଇଁ କିଛି ନୀତି ନିର୍ଦ୍ଧାରିତ ଅଛି । କମ୍ପନ ଜନିତ ବିପଦରୁ ରକ୍ଷା କରିବା ପାଇଁ ଶ୍ରୀମନ୍ଦିର ଚାରିପଟେ DJ ବାଜା ତଥା ବାଣ ରୋଷଣୀ ମଧ୍ୟ ନିଷେଧ । ଏପରିକି ଶ୍ରୀପତିତପାବନ ବାନା'ର ଦୈର୍ଘ୍ୟକୁ ମଧ୍ଯ ଛୋଟେଇ ଦିଆଯାଇଛି ।ମେଘନାଦ ପ୍ରାଚୀରର ଖୁବ ନିକଟରେ ଉଚ୍ଚଶକ୍ତି ସଂପନ୍ନ ମେସିନ ଦ୍ବାରା ଗଭୀର ଗର୍ଭ ଖନନ ସବୁ ନିୟମାବଳୀର ଖୋଲା ଉଲଙ୍ଘନ । ଶହ ଶହ ବର୍ଷଧରି ମନ୍ଦିରର ମୂଳ ଭିତ୍ତିକୁ ଦୃଢ଼ତା ପ୍ରଦାନ କରୁଥିବା ବାଲୁକାରାଶିର ଅପସାରଣ ଫଳରେ ମୂଳଭିଭି ଆଜି ଦୁର୍ବଳ ପ୍ରାୟ । ମନ୍ଦିରର ଚତୁଃପାର୍ଶ୍ବରେ ଗଭୀରତମ ପ୍ରଦେଶରୁ କଂକ୍ରିଟ ଚାଦରର ବାଡ଼ ତିଆରି ହେବା କାରଣରୁ ମନ୍ଦିର ଭିତରେ ଥିବା କୂପ ମଧ୍ୟକୁ ଜଳ ସଞ୍ଚରଣ ମଧ୍ୟ ବାଧାପ୍ରାପ୍ତ । ଏଥ୍ଯୋଗୁଁ ଭବିଷ୍ୟତରେ ନୀତିକାନ୍ତି ମଧ୍ୟ ପ୍ରଭାବିତ ହେବାର ସମ୍ଭାବନା ଦେଖା ଦେଇଛି । ସରକାରଙ୍କର ଏଭଳି ଅପରିପକ୍ବ ତଥା ଅପରିଣାମଦର୍ଶୀ କାର୍ଯ୍ୟ ଯୋଗୁଁ କେବଳ ମନ୍ଦିରର ଢାଞ୍ଚା ନୁହେଁ ସଂସ୍କୃତି ମଧ୍ୟ ବିପଦାପନ୍ନ ଶ୍ରୀକ୍ଷେତ୍ର ପୁରୀ ଏକ ସାଂସ୍କୃତିକ ତଥା ଆଧ୍ୟାତ୍ମିକ ମହତ୍ତ୍ବଯୁକ୍ତ ସ୍ଥାନ । ଶ୍ରୀମନ୍ଦିର ଏକ ତୀର୍ଥସ୍ଥଳୀ। ଭାରତର ଭିନ୍ନ ଭିନ୍ନ ତୀର୍ଥସ୍ଥଳୀ ମାନଙ୍କର ଭିନ୍ନ ଭିନ୍ନ ବିଶେଷତା ଥାଏ । କେହି କାହା ସହ ତୁଳନୀୟ ନୁହନ୍ତି । କିନ୍ତୁ ଶ୍ରୀମନ୍ଦିରକୁ ଅନ୍ୟ ତୀର୍ଥସ୍ଥଳୀ ସହ ତୁଳନା କରି ଅନାବଶ୍ୟକୀୟ ବ୍ୟବସ୍ଥାତ୍ମକ ପରିବର୍ତ୍ତନ ଦ୍ବାରା ତାହାର ଆଧ୍ୟାତ୍ମିକ ସ୍ନାତନ୍ତ୍ର୍ୟକୁ ନଷ୍ଟ କରାଯାଉଛି । ମନ୍ଦିର ଚାରିପଟେ କୁଣ୍ଡରେ ବିଦେଶୀ ଗଛ ଲଗାଇ ପର୍ଯ୍ୟଟନସ୍ଥଳୀର ଭ୍ରମ ସୃଷ୍ଟି କରାଯାଉଛି । ନିକଟ ଅତୀତରେ ଏହି ଗଛ ମୂଳରେ ଯୁବକ ଯୁବତୀଙ୍କର ଯେଉଁ ଆପଭିଜନକ ଚିତ୍ର ସାମ୍ନାକୁ ଆସିଲା ତାହା ସମଗ୍ର ଓଡ଼ିଆ ତଥା ସଂସ୍କୃତି ପ୍ରେମୀ ହିନ୍ଦୁ ସମାଜକୁ ଗଭୀର ଆନ୍ଦୋଳିତ କରିଛି । ପରିତାପର ବିଷୟ ଏହିକି ଯେ, ଏଭଳି କାର୍ଯ୍ୟ ସରକାରକୁ ପରିଚାଳିତ କରୁଥିବା କ୍ଷମତାର ନିଶାରେ ଅନ୍ଧ ଓଡ଼ିଆ ସଂସ୍କୃତି ଉପରେ ଜ୍ଞାନ ନଥିବା ମୁଷ୍ଟିମେୟ ଅଣ ଓଡ଼ିଆ ଅହଂକାରୀ ଅଧିକାରୀ ମାନଙ୍କର ଜିଦ୍ କାରଣରୁ ହେଉଅଛି । ଏବଂ କିଛି ନ୍ୟସ୍ତସ୍ଵାର୍ଥ ଓଡ଼ିଆ ମଧ୍ୟ ଏଥ୍ରେ ସାମିଲ ଅଛନ୍ତି । ଏହି କାର୍ଯ୍ୟ ପାଇଁ କୌଣସି ପ୍ରାଧୂକୃତ କର୍ତ୍ତୃପକ୍ଷଙ୍କର ଅନୁମତି ନିଆଯାଇ ନାହିଁ ।ଶ୍ରୀମନ୍ଦିର ହେଉଛି ଆମ ପୂର୍ବପୁରୁଷ ଆତ୍ମପ୍ରତି ଏକ ଅମୁଲ୍ୟ ଉପହାର ଯାହାକୁ ପରପିଢ଼ିକୁ ପହଞ୍ଚାଇବାର ଦାୟିତ୍ୱ ଆମର ଆସନ୍ତୁ ଆମେ ସମସ୍ତେ ଏକାଠି ହେବା । ସରକାରଙ୍କର ଅବୈଧ ମନମୁଖୀ କାର୍ଯ୍ୟ ବିରୋଧରେ ସ୍ବର ଉତ୍ତୋଳନ କରି ଶ୍ରୀମନ୍ଦିର ସୁରକ୍ଷା ଅଭିଯାନରେ ସାମିଲ ହେବା । ଓଡ଼ିଆର ପରିଚୟ ତଥା ସଂସ୍କୃତିର ସୁରକ୍ଷା ପାଇଁ ନିଜ ନିଜର ଯୋଗଦାନକୁ ସୁନିଶ୍ଚିତ କରିବା ।"
ଏହି ଅଭିଯାନ ରେ ଦେବୀପ୍ରସାଦ ତ୍ରିପାଠୀ ,ପ୍ରଦୀପ କୁମାର ଲେଙ୍କା ,ମଳୟ କୁମାର ଲେଙ୍କା ,ଅରୁଣ କୁମାର ଭୁୟାଁ,ରମାକାନ୍ତ ସାହୁ,ଉପେନ୍ଦ୍ର ବିଶ୍ୱାଳ,ବିଜୟ ଦତ୍ତ ,ମାନସ କୁମାର ସ୍ବାଇଁ,ପ୍ରଦୀପ ଷଡଙ୍ଗୀ,ଶ୍ୟାମ ସୁନ୍ଦର ଭାଇ ଆଦି "ଶ୍ରୀମନ୍ଦିର ସୁରକ୍ଷା ସମିତି "ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ସଚିଦାନନ୍ଦ ସାହୁ ଙ୍କୁ ଆବେଦନ ପତ୍ର ଦାଖଲ କରିଥିଲେ l
ରାଜ୍ୟ
ଶ୍ରୀମନ୍ଦିର ସୁରକ୍ଷା ଅଭିଯାନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବି ପତ୍ର
- Hits: 558