ଭୁବନେଶ୍ୱର: ସିଏସ୍ଆଇଆର୍ - ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମିନେରାଲ୍ସ ଆଣ୍ଡ ମ୍ୟାଟେରିଆଲ୍ସ ଟେକ୍ନୋଲୋଜି ପକ୍ଷରୁ ୧୫ଦିନ ଧରି ସ୍ୱଚ୍ଛତା ଅଭିଯାନ ଆରମ୍ଭ ହୋଇଯାଇଛି । କ୍ୟାମ୍ପସ୍ର ଚିଲ୍ଡରେନ୍ସ ପାର୍କରେ ଆଇଏମ୍ଏମ୍ଟିର ନିର୍ଦ୍ଦେଶକ ପ୍ରଫେସର ଏସ୍. ବାସୁ ଅଭିଯାନର ଶୁଭାରମ୍ଭ କରିଥିଲେ । ସମସ୍ତ ଆଇଏମ୍ଏମ୍ଟିର କର୍ମଚାରୀବୃନ୍ଦ ଏବଂ ସେମାନଙ୍କ ପରିବାରଙ୍କ ଠାରୁ ସରକାରଙ୍କ ନିୟମ ଅନୁସାରେ ସ୍ୱଚ୍ଛତା ରଖିବା ପାଇଁ ପ୍ରଫେସର ବାସୁ ପ୍ରତିଜ୍ଞା ନେଇଥିଲେ । ତତ୍ ସହିତ ସ୍ୱଚ୍ଛତା ସଚେତନତା କରିବା ନିମନ୍ତେ ପ୍ରଭାତ ପରିକ୍ରମାରେ ଆର୍ଆର୍ଏଲ୍ ପ୍ରୋଜେକ୍ଟ ସ୍କୁଲର ଛାତ୍ରଛାତ୍ରୀ, ଆଇଏମ୍ଏମ୍ଟିର ସମସ୍ତ କର୍ମଚାରୀ, ବୈଜ୍ଞାନିକ, ଟେକ୍ନିସିଆନ୍ ଏବଂ ସେମାନଙ୍କ ପରିବାର ସଦସ୍ୟ ସମେତ ୧୫୦ଜଣ ଅଂଶଗ୍ରହଣ କରିଥିଲେ । ଆଇଏମ୍ଏମ୍ଟିର କର୍ମଚାରୀଙ୍କ ପିଲାମାନେ ଫ୍ୟାନ୍ସିଡ୍ରେସ୍ରେ ପ୍ଲାଷ୍ଟିକ୍ ଗାର୍ଲ ଏବଂ ସ୍ୱଚ୍ଛତା ଗାର୍ଲ ଭାବେ ମଧ୍ୟ ଯୋଗ ଦେଇଥିଲେ ।
ସିଏସ୍ଆଇଆର୍ - ଆଇଏମ୍ଏମ୍ଟିର ନିଦ୍ଦେର୍ଶକ ପ୍ରଫେସର ଏସ୍. ବାସୁ କ୍ୟାମ୍ପସ୍ ପରିଭ୍ରମଣ କରିବା ସହ ସ୍ୱଚ୍ଛତା ସମ୍ବନ୍ଧରେ ସ୍ଲୋଗାନ୍ ଦେବା ଏବଂ ସେମାନଙ୍କୁ ଏହାର ପରିଭାଷା ସମ୍ବନ୍ଧରେ ବର୍ଣ୍ଣନା କରି କହିଛନ୍ତି, “ସ୍ୱଚ୍ଛତା ହେଉଛି ସୁସ୍ଥ ରହିବାର ମୂଳ ମନ୍ତ୍ର । ଆମ ପରିବେଶକୁ ସର୍ବଦା ସଫା ରଖିବା ଏହି ୧୫ଦିନ ବ୍ୟାପୀ କାର୍ଯ୍ୟକ୍ରମର ଲକ୍ଷ୍ୟ ।” ୧୫ ଦିନ ପରେ ମଧ୍ୟ ଏହି ଅଭିଯାନ ଜାରି ରହିବ ବୋଲି ସେ କହିଛନ୍ତି ଏବଂ ଆଇଏମ୍ଏମ୍ଟିର କର୍ମଚାରୀ ଓ ସେମାନଙ୍କ ପରିବାରର ସମସ୍ତ, ଛାତ୍ରଛାତ୍ରୀମାନଙ୍କ ସହ ଯୋଗ ଦେଇ ଏହି ଅଭିଯାନକୁ ସଫଳ କରିବା ପାଇଁ ସେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।
୧ ତାରିଖରୁ ଆରମ୍ଭ ହୋଇଥିବା ଏହି ଅଭିଯାନରେ ସ୍କୁଲର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସ୍ୱଚ୍ଛତା ସମ୍ବନ୍ଧୀୟ ରଚନା, କୁଇଜ, ନାଚ, ଗୀତ, ଚିତ୍ରାଙ୍କନ ଏବଂ ଫ୍ୟାନ୍ସି ଡ୍ରେସ୍ ଆଦିର ଆୟୋଜନ କରାଯାଉଛି ଓ ସମସ୍ତ ବିଭାଗ ମଧ୍ୟରେ ସ୍ୱଚ୍ଛତା ନିମନ୍ତେ ପ୍ରତିଯୋଗିତା ମଧ୍ୟ କରାଯାଉଛି । ଏହାର ଉଦ୍ଯାପନୀ ଦିବସରେ ପୁରସ୍କାର ଏବଂ ମାନପତ୍ର ବିତରଣ କରାଯିବାର ଆୟୋଜନ କରାଯାଇଛି । ଏହି ସ୍ୱଚ୍ଛତା ଅଭିଯାନ ଅନ୍ତର୍ଗତ ପ୍ରଭାତ ପରିକ୍ରମା ଏବଂ ସମସ୍ତ ପ୍ରତିଯୋଗୀତାମାନ ସଫଳ ଭାବେ ନୋଡାଲ ଅଫିସର ଡ଼ ବିଭୁଦତ ପ୍ରଧାନ ଆୟୋଜନ କରିଛନ୍ତି । ଡ଼ ବର୍ଷା ଦାସ, ଡ଼ ସନ୍ତୋଷ ବେହେରା, ଡ଼ ସୀମାନ୍ତିନୀ ନାୟକ ଏବଂ ସେମାନଙ୍କ ଦଳର ସଦସ୍ୟମାନେ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଛନ୍ତି ।
ରାଜ୍ୟ
ସ୍ୱଚ୍ଛତା ଅଭିଯାନ ଦିଗରେ ସିଏସ୍ଆଇଆର୍ - ଆଇଏମ୍ଏମ୍ଟି : ୧୫ଦିନ ବ୍ୟାପୀ ସ୍ୱଚ୍ଛତା ଦିବସ ପାଳିତ
- Hits: 538