ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ରାଜଗୁରୁ ସାହିରେ ଆଗାମୀ ତା.୧୧-୫-୨୦୨୨ ରିଖରେ ହେବାକୁ ଥିବା ଏକ ବାଲ୍ୟବିବାହକୁ ବନ୍ଦ କଲା ଜିଲ୍ଲା ପ୍ରଶାସନ।
ଉକ୍ତ ବାଲ୍ୟବିବାହ ସମ୍ପର୍କରେ ବିଶ୍ବସ୍ଥ ସୂତ୍ରରୁ ଗୋଷାଣୀ ବାଲ୍ୟବିବାହ ନିଷେଧ ଅଧିକାରିଣୀ ଶ୍ରୀମତୀ ଗୌରୀ ନାୟକ ଜାଣିବାକୁ ପାଇଥିଲେ। ଶ୍ରୀମତୀ ନାୟକ ଖବର ପାଇ ବାଲ୍ୟବିବାହ ନିଷେଧ ଟାସ୍କଫୋର୍ସରେ ଥିବା ଅନ୍ୟ ସଦସ୍ୟ ମାନଙ୍କୁ ଅବଗତ କରିଥିଲେ।
ଏହାପରେ ବାଲ୍ୟବିବାହକୁ ରୋକିବା ନିମନ୍ତେ ଏକ ଟିମ୍ ଗଠନ କରାଯାଇଥିଲା। ଉକ୍ତ ଟିମ୍ ରେ ଆଇ ସି ଡ଼ି ଏସ୍ (ICDS) ସିଡ଼ିପିଓ ଗୌରୀ ନାୟକ, ମହିଳା ସୁପରଭାଇଜର ଶ୍ରୀମତୀ ଅମିତା ପାତ୍ର , ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ର ପରାମର୍ଶଦାତା ଶ୍ରୀଯୁକ୍ତ ଡ଼ି. ମଲ୍ଲିକ , ''ସଖୀ'' ୱାନ୍ ଷ୍ଟପ୍ ସେଣ୍ଟର କେନ୍ଦ୍ରର ପରାମର୍ଶଦାତ୍ରୀ ଶ୍ରୀମତି ସୁନିତା ବେହେରା , ଏକ୍ସନ ଏଡ୍ ର ଜିଲ୍ଲା ପ୍ରତିନିଧି ଶ୍ରୀଯୁକ୍ତ ବିକାଶ କୁମାର ମେହେର , UNFPA ର ଜିଲ୍ଲା ପ୍ରତିନିଧି ସୁଶ୍ରୀ ସଂଯୁକ୍ତା ତ୍ରିପାଠୀ , ଚାଇଲ୍ଡଲାଇନର ସଦସ୍ୟ ତପସ୍ବିନୀ ନାୟକ ଏବଂ ପୋଲିସ ଅଧିକାରିଣୀ ଗିରିଜା ପାଣିଗ୍ରାହୀ ପ୍ରଭୃତି ଉକ୍ତ ସ୍ଥାନକୁ ଯାଇ ହେବାକୁ ଥିବା ବାଲ୍ୟବିବାହକୁ ସ୍ଥଗିତ କରିଥିଲେ।
ଏହାପରେ ବିବାହ ହେବାକୁ ଥିବା ଝିଅର ଜନ୍ମ ପ୍ରମାଣ ପତ୍ର ଯାଞ୍ଚ କରାଯାଇଥିଲା ଏବଂ ଅଭିଭାବକଙ୍କୁ ବାଲ୍ୟବିବାହର କୁ-ପ୍ରଭାବ ଉପରେ ବିଷଦ ଭାବରେ ବୁଝାଯାଇଥିଲା। ସାହି ବାସିନ୍ଦାଙ୍କ ଉପସ୍ଥିତିରେ ଝିଅର ଅଭିଭାବକ ଝିଅଟିକୁ ୧୮ ବର୍ଷ ପୂରଣ ନହେବା ଯାଏ ବିବାହ ଦେବେ ନାହିଁ ଏବଂ ଯଦି ଏଥିରେ ତ୍ରୁଟି କରିବେ ତେବେ ଆଇନ ଅନୁଯାୟୀ ଦଣ୍ଡିତ ହେବେ ବୋଲି ଲିଖିତ ଆକାରରେ ଜଣାଇଛନ୍ତି।
ଝିଅଟିକୁ ୧୮ ବର୍ଷ ସମ୍ପୂର୍ଣ୍ଣ ହେବା ପର୍ଯ୍ୟନ୍ତ ବାଲ୍ୟବିବାହ ନିରୋଧ ଟାସ୍କଫୋର୍ସ ଦ୍ବାରା ନିୟମିତ ପରାମର୍ଶ ଦେବା ସହ ଆବଶ୍ୟକ ଥଇଥାନ ଗ୍ରହଣ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି।
ରାଜ୍ୟ
ବାଲ୍ୟବିବାହ ବନ୍ଦ କଲା ଗଜପତି ଜିଲ୍ଲା ପ୍ରଶାସନ
- Hits: 434