ପୁରୀ (ଅନିମେଶ ପଟ୍ଟନାୟକ): ଜଗନ୍ନାଥ ପ୍ରେମିଙ୍କ ପାଇଁ ଖୁସି ଖବର । ଚଳିତ ରଥଯାତ୍ରା ଏଥର ଭକ୍ତଙ୍କ ଗହଣରେ ହୋଇପାରେ । ଦୀର୍ଘ ଦୁଇ ବର୍ଷପରେ ଭକ୍ତଙ୍କ ସହ ବଡଦାଣ୍ଡରେ ଲିଳା କରିବେ ତିନି ଠାକୁର । ରଥ ଯାତ୍ରା ପାଇଁ ପ୍ରସ୍ତୁତି ବୈଠକରେ ଏନେଇ ସବୁଜ ସଙ୍କେତ ମିଳିଛି ।
ଗୁରୁବାର ସ୍ଥାନୀୟ ସର୍କିଟ ହାଉସ ଠାରେ ରଥଯାତ୍ରା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଦୁଇଟି ସାମ୍ଭାବ୍ଯ ଦିଗ ଉପରେ ଆଲୋଚନା କରାଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି । ଯଦି ପରିସ୍ଥିତି ଠିକ ରହେ ତେବେ ରଥଯାତ୍ରାରେ ଭକ୍ତଙ୍କୁ ରଥ ଉପରେ ଦର୍ଶନ ଦେବେ ତିନି ଠାକୁର । ଆଉ ଯଦି କୋଭିଡ ସଂକ୍ରମଣ ବଢେ ତେବେ ପୁଣି ବିନା ଭକ୍ତରେ ମହାପ୍ରଭୁଙ୍କ ଘୋଷଯାତ୍ରା କରାଯିବ । ଏ ନେଇ ଅଧିକ ଆଲୋଚନା କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା ।
ସବୁ ବିଭାଗର ଅଧିକାରୀଙ୍କୁ ୩୦ ଦିନ ମଧ୍ୟରେ ପ୍ରସ୍ତୁତି କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଏଥିସହ ସାସ୍ଥ୍ୟ ଓ ପରିମଳ ସେବା, ପାନୀୟ ଜଳ ଯୋଗାଣ, ରାସ୍ତାଘାଟ ମରାମତି, ବିଦ୍ୟୁତ ଯୋଗାଣ ଭଳି ବିଭିନ୍ନ ବିଷୟ ସମ୍ପର୍କରେ ଆଲୋଚନା କରାଯାଇଥିଲା ।