ଭିନ୍ନକ୍ଷମଙ୍କୁ ମିଳିଲା କୃତ୍ରିମ ଅଙ୍ଗ
ଭୁବନେଶ୍ୱର :: ଦୁର୍ଘଟଣାଗ୍ରସ୍ତ ଜନୈକ ଯୁବକ କ୍ଷୀରୋଦଙ୍କ ଜୀବନରେ ଘୋଟି ଆସିଥିବା ଅନ୍ଧକାରକୁ ଦୂର କଲା ଓଡ଼ିଶା-ମୋ ପରିବାର । ଜୀବନ ଜିଇବା ଦୁର୍ବିସହ ହୋଇପଡ଼ିଥିଲା ତାଙ୍କର, କ୍ଷୀରୋଦଙ୍କ ଜୀବନକୁ ସରଳପୂର୍ଣ୍ଣ କରିବା ପାଇଁ ଆଶାର ଆଲୋକ ସାଜି ଓଡ଼ିଶା-ମୋ ପରିବାର ଯୋଗାଇଦେଲା “କୃତ୍ରିମ ଅଙ୍ଗ” |
ସୂଚନା ଯୋଗ୍ୟ, କଟକ ଜିଲ୍ଲା ବାଙ୍କି ଅଞ୍ଚଳର ବାସିନ୍ଦା ୨୫ ବର୍ଷିୟ କ୍ଷୀରୋଦ ରାଉତ ୨୦୧୯ ମସିହାରେ ଏକ ଦୁର୍ଭାଗ୍ୟଜନକ ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ । ଗଣେଶ ପୂଜା ବିସର୍ଜନ ମହୋତ୍ସବରେ ହଠାତ୍ ତାଙ୍କ ଗୋଡ଼ ଖସିଯିବାରୁ ତଳେ ପଡ଼ିଯାଇଥିଲେ କ୍ଷୀରୋଦ, ତାଙ୍କ ଡାହାଣ ପାର୍ଶ୍ଵ ଗୋଡ଼ରେ ଗଭୀର ଆଘାତ ଲାଗି ଆଣ୍ଠୁର ହାଡ଼ ଖସିଯାଇଥିଲା । ତାଙ୍କୁ ସଙ୍ଗେସଙ୍ଗେ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା ଓ ସେଠାରେ ତାଙ୍କ ଆଣ୍ଠୁ ହାଡ଼କୁ ଯୋଡ଼ିବାକୁ ଚେଷ୍ଟା କରାଯାଇଥିଲା କିନ୍ତୁ ଆଣ୍ଠୁ ଯୋଡିହେବା ପରିବର୍ତ୍ତେ ଗୋଡ଼ର ଶିର ଛିଡିଯାଇଥିଲା । ଡାକ୍ତର ଅସ୍ତ୍ରୋପଚାର କରିବା ପାଇଁ ପରାମର୍ଶ ଦେଇଥିଲେ । ପ୍ରଥମତଃ ଅସ୍ତ୍ରୋପଚାର ସଫଳ ହୋଇପାରିନଥିଲା ଫଳରେ ତାଙ୍କୁ ଅନ୍ୟ ଏକ ହସ୍ପିଟାଲ ଯିବାକୁ ପଡିଥିଲା । ଦୁର୍ଭାଗ୍ୟବଶତଃ, ସେଠାରେ ମଧ୍ୟ ତାଙ୍କ ଅସ୍ତ୍ରୋପଚାର ସଫଳ ହେଲା ନାହିଁ ଏବଂ ଡାହାଣ ଗୋଡ଼ର ଆଣ୍ଠୁ ଉପର ଭାଗରୁ ସମ୍ପୂର୍ଣ୍ଣ କଟା ହୋଇଯାଇଥିଲା ।
ଓଲଟପୁର ହସ୍ପିଟାଲରୁ ପାଇଥିବା କୃତ୍ରିମ ଗୋଡ଼ ତାଙ୍କୁ ଆରାମଦାୟକ ହୋଇନଥିଲା । ଅସହାୟ ହୋଇ ସେ ବାଙ୍କି ବିଧାୟକ ଶ୍ରୀ ଦେବୀ ରଞ୍ଜନ ତ୍ରିପାଠୀଙ୍କୁ ଏକ କୃତ୍ରିମ ଗୋଡ଼ ଯୋଗାଇ ଦେବାକୁ ଅନୁରୋଧ କରିଥିଲେ । ଶ୍ରୀ ତ୍ରିପାଠୀ ଏ ସମସ୍ୟାକୁ ସମାଧାନ କରିବା ପାଇଁ ବିଜୁ ଛାତ୍ର ଜନତା ଦଳର ସଦସ୍ୟ ସୁମନ ସାହୁଙ୍କୁ କହିଥିଲେ । ସୁମନ୍ ସଙ୍ଗେସଙ୍ଗେ ଓଡ଼ିଶା ମୋ ପରିବାରକୁ ଜଣାଇଥିଲେ । ଏ ସମ୍ପର୍କରେ ସୂଚନା ପାଇବା ପରେ, ଓଡ଼ିଶା ମୋ ପରିବାର ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇ କ୍ୟାପିଟାଲ ହସ୍ପିଟାଲ ପରିସରଭୁକ୍ତ ଏ.ଆର.ସି ସହିତ ସମନ୍ଵୟ ରକ୍ଷା କରି କ୍ଷୀରୋଦଙ୍କୁ କୃତ୍ରିମ ଗୋଡ଼ ଯୋଗାଇ ଦିଆଯାଇଥିଲା ।
କୃତ୍ରିମ ଗୋଡ଼ ପାଇବା ପରେ କ୍ଷୀରୋଦଙ୍କ ମୁହଁରେ ହସର ଲହରୀ ଖେଳି ଯାଇଥିଲା ଏବଂ କୃତ୍ରିମ ଗୋଡ଼ରେ ଚାଲିବା ପରେ ସେ ରୋଜଗାରକ୍ଷମ ହୋଇପାରିବେ ବୋଲି କହିଥିଲେ ।