ରାୟଗଡ ଜିଲ୍ଲାପାଳ ଓ ରାୟଗଡ ଆରକ୍ଷୀ ଅଧିକ୍ଷକଙ୍କୁ ଦାବୀପତ୍ର ପ୍ରଦାନ କଲା ସାଇପ୍ରିୟ ୱେଲଫେୟାର ଟ୍ରଷ୍ଟ
ରାୟଗଡ(ସରୋଜ କୁମାର ସାହୁ) ରାୟଗଡ ସଦର ମହକୁମା ସ୍ଥିତ ସାଇପ୍ରିୟା ନଗରରେ ବିଭିନ୍ନ ସମୟରେ ହେଉଥିବା ଚୋରି, ଡକାୟତି, ରାହାଜାନି ଓ ଅପହରଣରେ ଅତିଷ୍ଟ ହୋଇ ବିଭିନ୍ନ ଦାବୀ ନେଇ ସାଇପ୍ରିୟ ୱେଲଫେୟାର ଟ୍ରଷ୍ଟ ତରଫରୁ ଟ୍ରଷ୍ଟର ସଭାପତି ଶ୍ରୀ ନନ୍ଦ କିଶୋର ଚୌଧୁରୀ ଓ ସମ୍ପାଦକ ଶ୍ରୀ ଦୟାନନ୍ଦ ଖାଡାଙ୍ଗାଙ୍କ ନେତୃତ୍ୱରେ ରାୟଗଡ ଜିଲ୍ଲାପାଳ ଓ ରାୟଗଡ ଆରକ୍ଷୀ ଅଧିକ୍ଷକଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ପ୍ରକାଶ ଥାଉକି, ସାଇପ୍ରିୟା ନଗରର କିଛି ଅଂଶ ରାୟଗଡ ପୌରପାଳିକାରେ ରହିଥିବା ବେଳେ ଆଉ କିଛି ଅଂଶ କୋତାପେଟା ଗ୍ରାମପଂଚାୟତ ଓ ହାଲୁଆ ଗ୍ରାମପଂଚାୟତରେ ରହିଛି । ରାୟଗଡ ସଦର ମହକୁମା ଠାରୁ ପ୍ରାୟ ୨ ରୁ ୩ କିଲୋମିଟର ଦୂରତ୍ୱରେ ସାଇପ୍ରିୟା ନଗର ଅବସ୍ଥିତ । ସାଇପ୍ରିୟା ନଗର ଦେଇ ରେଳ ଲାଇନ ଯାଇଛି ଏବଂ ଏହାର ନିକଟବର୍ତି ଅଂଚଳରେ ନିଳଗିରି ଚାଷ ଓ ନିଛାଟିଆ ଅଂଚଳ ରହିଅଛି । ଯାହା ଏଠାରେ ଅପରାଧ ଘଟାଉ ଥିବା ଅପରାଧି ମାନେ ର୍ନିଦ୍ୱନ୍ଦରେ ଅପରାଧ ଘଟାଇ ଖସି ଯାଉଛନ୍ତି । କିଛି ମାତ୍ରାରେ ଅପରାଧିଙ୍କୁ ପୋଲିସ ଧରିବାରେ ସଫଳ ହେଉଥିବା ବେଳେ କିଛି ଧରା ପଡୁ ନାହାଁନ୍ତି । ନିକଟରେ ସାଇପ୍ରିୟା ନଗରରେ ବାସ କରୁଥିବା ଜଣେ ରେଳ କର୍ମଚାରୀଙ୍କ ଘରେ ଡକାୟତ ଦଳ ପସି ଘରର ସମସ୍ତ ଲୋକଙ୍କୁ ବାନ୍ଧିବା ସହ ବନ୍ଧୁକ ଦେଖାଇ ନଗଦ ୩୦ ହଜାର ଟଙ୍କା ସହ ୨୫ ତୋଳା ସୁନା ଓ ୧ କେଜି ରୂପା ଲୁଟି ନେଇଥିବା ରାୟଗଡ ଥାନାରେ ଏକ ମାମଲା ଋଜୁ ହୋଇଛି । ଏହା ସହ ଘରେ କେହି ନଥିବା ବେଳେ ବିଭିନ୍ନ ସମୟରେ ଘରର ତାଲା ଭାଙ୍ଗି ଚୋରି ହେଉଥିବା ମଧ୍ୟ ନଜିର ରହିଛି । ଗତ ଦିନରେ ଜଣେ ନାବାଳକକୁ ମଧ୍ୟ ଅପହରଣ କରାଯାଇଥିଲା ଯାହାକୁ ପୋଲିସ ଧରିବାରେ ସଫଳ ହେବା ସହ ଅପହରଣକାରିଙ୍କ ଠାରୁ ଉକ୍ତ ନାବାଳକକୁ ଉଦ୍ଧାର କରିଥିଲା । ଏହି ସବୁ ଘଟଣାରେ ଉକ୍ତ ଅଂଚଳରେ ବସବାସ କରୁଥିବା ଲୋକେ ଭୟରେ ରହୁଥିବା ପ୍ରକାଶ କରୁଛନ୍ତି । ଉକ୍ତ ଅଂଚଳରେ ପୋଲିସ ପେଟ୍ରୋଲିଂ କଡାକଡି ହେଉନଥିବା ଅଂଚଳ ବାସୀ ପ୍ରକାଶ କରିଛନ୍ତି । ଏହି ସବୁ ଘଟଣାକୁ ଦୃଷ୍ଟିରେ ରଖି ସାଇପ୍ରିୟା ୱେଲଫର ଟ୍ରଷ୍ଟ ତରଫରୁ ରାୟଗଡ ଜିଲ୍ଲାପାଳ ଓ ରାୟଗଡ ଆରକ୍ଷୀ ଅଧିକ୍ଷକଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି । ଉକ୍ତ ଦାବୀପତ୍ରରେ ରହିଥିବା ଦାବୀ ମଧ୍ୟରେ ସାଇପ୍ରିୟା ନଗରରେ ପୋଲିସ ପେଟ୍ରୋଲିଂକୁ କଡାକଡି କରିବା ଓ ସାଇପ୍ରିୟା ନଗର ଠାରେ ଏକ ନୂତନ ପୋଲିସ ଫାଣ୍ଡି ସ୍ଥାପନ କରିବା ନେଇ ଦାବୀ ଉଲ୍ଲେଖ କରିଛନ୍ତି । ଉକ୍ତ ଦାବୀପତ୍ରକୁ ରାୟଗଡ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୋମନାଥ ପ୍ରଧାନଙ୍କୁ ପ୍ରଦାନ କରିଥିବା ବେଳେ ରାୟଗଡ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ରାମ ପ୍ରସାଦ ସାହୁଙ୍କୁ ପ୍ରଦାନ କରିଥିଲେ । ଏହି ଦାବୀପତ୍ର ପ୍ରଦାନ ସମୟରେ ଟ୍ରଷ୍ଟର କୋଷାଧକ୍ଷ ଜି. ବ୍ରହ୍ମାଜି, ସଭ୍ୟ ଲାଡି ଚନ୍ଦ୍ର ମୌଳି, ସନ୍ୟାସି ପାଣିଗ୍ରାହୀ, ଟି. ଏନ. ରାଓ, ଡଃ. ଚାନ୍ଦ, ଜି. ବାବଜି, ବିଭିଷଣ ନାୟକ, କେ. ନିଳିମା ଓ କିରଣ କୁମାର ପ୍ରମୁଖ ଉପସ୍ଥିତ ଥିଲେ ।