ଭୁବନେଶ୍ବର: ନିରଵୀଗଲା ସ୍ୱର, ସମସ୍ତଙ୍କୁ ଶୋକ ସାଗରରେ ଭସାଇ ଦେଇ ଓ ସଂଗୀତ ସାମ୍ରାଜ୍ୟରେ ବିରାଟ ଶୁନ୍ୟତା ସୃଷ୍ଟି କରିଦେଇ ଅଫେରା ରାଇଜକୁ ଫେରିଗଲେ "କମଳ ଦେଶ ରାଜକୁମାର " | ଓଡ଼ିଆ ସଂଗୀତ ଜଗତରେ ନିଜର ନିଆରା ସଂଗୀତ ସର୍ଜନା ମାଧ୍ୟମରେ ମୋହାଛନ୍ନ କରି ରଖିଥିବା ସ୍ଵରର ଯାଦୁକର ସ୍ୱର ବାଦଶାହ ପ୍ରଫୁଲ୍ଲ କର ତାଙ୍କ ସଂଗୀତ ଜୟଯାତ୍ରା ଶେଷ କରି ୮୩ ବର୍ଷ ବୟସରେ ଆରପାରିକୁ ଚାଲିଯାଇଛନ୍ତି | ଓଡ଼ିଶା ସଙ୍ଗୀତ ଜଗତ ସ୍ତବ୍ଧ, ସାରସ୍ୱତ ଜଗତ ମ୍ରିୟମାଣ ଆଉ ଅଗଣିତ ସଂଗୀତ ପ୍ରେମୀ ଓ କଳାକାର ବାକରୁଦ୍ଧ । ଓଡ଼ିଶାର ମାଟିର ଏହି ବରପୁତ୍ରଙ୍କ ଅବର୍ତ୍ତମାନରେ ସବୁ ମହଲରେ ଶୋକର ଛାୟା ଖେଳିଯାଇଛି | ଖବର ପାଇବା ମାତ୍ରକେ ବନ୍ଧୁ, ଶୁଭେଚ୍ଛୁ ଓ ପ୍ରଶଂସକ ମାନେ ତାଙ୍କ ସତ୍ୟନଗରସ୍ଥିତ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ | ଆସନ୍ତାକାଲି ପୁରୀ ସ୍ବର୍ଗଦ୍ବାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ |
ସବୁ ଦିନ ପରି ଆଜି ଦିନର ସ୍ୱାଭାବିକ କ୍ରିୟା ପରେ ରାତି ୯ଟାରେ ରାତ୍ରିଭୋଜନ କରି ବିଶ୍ରାମ ନେଇଥିଲେ। ପ୍ରାୟ ସାଢ଼େ ୯ଟା ବେଳକୁ ସେ ଅସୁସ୍ଥ ଅନୁଭବ କରିଥିବା ବେଳେ ଅମ୍ଳଜାନ ସ୍ତର ହ୍ରାସ ପାଇବାରେ ଲାଗିଥିଲା | କିଛି ସମୟ ପରେ ପରିବାର ଲୋକ ଡାକିଲା ବେଳକୁ ନିସ୍ତେଜ ହୋଇଯାଇଥିଲା ଶରୀର | ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ପତ୍ନୀ ମନୋରମା କର, ଦୁଇ ପୁଅ ମହାଦୀପ ଓ ମହାପ୍ରସାଦଙ୍କ ସମେତ ପରିବାରର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। ।
୧୯୩୯ ଫେବୃଆରୀ ୧୬ରେ ପୁରୀରେ ବୈଦ୍ୟନାଥ କର ଓ ସୁଶିଳା କରଙ୍କ ଔରସରୁ ଜନ୍ମିତ ଡ଼ ପ୍ରଫୁଲ୍ଲ କରଙ୍କ ପରିବାର ଥିଲା ସଂଗୀତ ସମ୍ପନ୍ନ । ପୁରୀର ଗଦାଧର ହାଇସ୍କୁଲ ଓ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟରୁ ସେ ଶିକ୍ଷାଗ୍ରହଣ କରିଥିଲେ। ଉତ୍କଳ ବିଶ୍ୱବିଦ୍ୟାଳୟରୁ କଳା ଓ ଆଇନରେ ସ୍ନାତକ ଉପାଧି ଲାଭ କରିଥିଲେ। ପରବର୍ତ୍ତୀ ସମୟରେ ସେ ଅଖିଳ ଭାରତୀୟ ଗନ୍ଧର୍ବ ମହାବିଦ୍ୟାଳୟ, ମହାରାଷ୍ଟ୍ରରୁ ଗୁରୁ ମାର୍କଣ୍ଡେୟ ମହାପାତ୍ର, ପଣ୍ଡିତ କେ. ଆଦିନାରାୟଣ, ପଣ୍ଡିତ ଜେ ଭି ଏସ ରାଓ ପ୍ରମୁଖଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସଂଗୀତ ବିଶାରଦ ଉପାଧି ପ୍ରାପ୍ତ କରିଥିଲେ।
ମାତ୍ର ୨୧ ବର୍ଷ ବୟସରେ ଆକାଶବାଣୀର ସ୍ବୀକୃତିପ୍ରାପ୍ତ କଣ୍ଠଶିଳ୍ପୀର ମାନ୍ୟତା ପାଇଥିବା ଶ୍ରୀ କରଙ୍କ ‘ଶ୍ରୀ ଶ୍ରୀ ପତିତପାବନ’ ଚଳଚ୍ଚିତ୍ରରେ କଣ୍ଠଶିଳ୍ପୀ ଭାବେ ସେ ଚଳଚ୍ଚିତ୍ର ଦୁନିଆରେ ପ୍ରବେଶ ହୋଇଥିଲା ବେଳେ ପ୍ରଶାନ୍ତ ନନ୍ଦଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ମମତା’ରେ ସେ ସଙ୍ଗୀତ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ | ଛଅ ଦଶନ୍ଧି ଧରି ତାଙ୍କ ସଂଗୀତମୟ ଜୀବନ ଭିତରେ
ପ୍ରାୟ ୭୦ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେବା ସହ ସେ ଚାରିଟି ବଙ୍ଗଳା ଚଳଚ୍ଚିତ୍ରରେ ମଧ୍ୟ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ଓଡ଼ିଆ ସଙ୍ଗୀତରେ ବହୁ ପରୀକ୍ଷାନିରୀକ୍ଷା କରିବାରେ ସିଦ୍ଧହସ୍ତ ଥିଲେ ପ୍ରଫୁଲ୍ଲ କର। ବହୁ ପ୍ରସିଦ୍ଧ ସାହିତ୍ୟିକଙ୍କ କାଳଜୟୀ କବିତାକୁ ସେ ଗୀତର ରୂପ ଦେଇ ସଙ୍ଗୀତରେ ସଜାଇଥିଲେ। ସେ " ରେ ଆତ୍ମନ" ହେଉ କି "ଆହେ ଦୟାମୟ ବିଶ୍ୱବିହାରୀ" ହେଉ କି "କି ସୁନ୍ଦର ଆହା କିଆନନ୍ଦ ମୟ" ହେଉ, ନିଜର ମହୁ ବୋଳା ସଂଗୀତ ମାଧ୍ୟମରେ ଓଡ଼ିଶାର ଘରେ ଘରେ ପାଇଥଲେ ବେଶ ପରିଚିତି | ଶ୍ରୀ କର ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଭାବେ ୬ ଥର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିବା ବେଳେ ରାଜ୍ୟ ସରକାର ତାଙ୍କୁ ୨୦୦୪ ମସିହାରେ ଓଡ଼ିଆ ଚଳଚ୍ଚିତ୍ର ଜଗତର ସର୍ବୋଚ୍ଚ ସମ୍ମାନ ‘ଜୟଦେବ ପୁରସ୍କାର’ରେ ମଣ୍ଡିତ କରିଥିଲେ | ୨୦୧୫ ମସିହାରେ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଥିଲେ |
ରାଜ୍ୟ
ନିରଵୀଗଲା ସ୍ୱର, ଅଫେରା ରାଇଜକୁ ଫେରିଗଲେ "କମଳ ଦେଶ ରାଜକୁମାର"
- Hits: 410