-
ଅଙ୍ଗନବାଡ଼ି କର୍ମୀଙ୍କ ପାଇଁ କାର୍ଯ୍ୟକ୍ରମ
-
ଦିବ୍ୟାଙ୍ଗ ଚିହ୍ନଟ ଓ ପ୍ରମାଣପତ୍ର ପ୍ରଦାନରେ ସହାୟତା ଏବଂ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ଯୋଜନା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ
-
ସବଳ କେନ୍ଦ୍ର ସହାୟତାରେ ୫୦ ଜଣ ଅଙ୍ଗନବାଡ଼ି ଓ ଆଶା କର୍ମୀଙ୍କୁ ପ୍ରଶିକ୍ଷଣ ପ୍ରଦାନ ଏବଂ ୧୦୦ ଜଣ ଦିବ୍ୟାଙ୍ଗ ବ୍ୟକ୍ତି ଚିହ୍ନଟ
ସୁକିନ୍ଦା : ଟାଟା ଷ୍ଟିଲ ଫାଉଣ୍ଡେସନ୍ (ଟିଏସ୍ଏଫ୍) ର ଦକ୍ଷତା ବିକାଶ ପଦକ୍ଷେପର ଅଂଶବିଶେଷ ଭାବେ ସୁକିନ୍ଦାସ୍ଥିତ ସବଳ କେନ୍ଦ୍ରରେ ସୁକିନ୍ଦାଠାରେ ଟାଟା ଷ୍ଟିଲ ମାଇନିଂ ଲିମିଟେଡ଼ର ପାଶ୍ୱର୍ବର୍ତୀ ଗ୍ରାମର ଅଙ୍ଗନବାଡ଼ି କର୍ମୀଙ୍କ ପାଇଁ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।
ଟିଏସ୍ଏଫ୍ ଅଧିନରେ କାର୍ଯ୍ୟ କରୁଥିବା ସବଳ କେନ୍ଦ୍ର ଦିବ୍ୟାଙ୍ଗ ବ୍ୟକ୍ତି (ପିଡବ୍ଲୁଡି) ଙ୍କ ସହାୟତା ପାଇଁ ଉଦ୍ଦିଷ୍ଟ । ଏହାସହିତ ଏହା ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଚିହ୍ନଟ ଏବଂ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନୀତି ଉପରେ ସଚେତନତା ସୃଷ୍ଟି କରିବା ଦିଗରେ କାର୍ଯ୍ୟ କରୁଛି । ସୁକିନ୍ଦା ବ୍ଲକ୍ର କଂସ, ରାସୋଁଳ ଏବଂ କାଳିଆପାଣି ଗ୍ରାମ ପଂଚାୟତର ଅଙ୍ଗନବାଡ଼ି କର୍ମଚାରୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ସୁକିନ୍ଦା ବ୍ଲକ୍ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ସଂଯୁକ୍ତା କାନୁନ୍ଗୋ ଏବଂ ଟାଟା ଷ୍ଟିଲ ମାଇନିଂ ଲିିମିଟେଡ଼ର ସହକାରୀ ମହା ପ୍ରବନ୍ଧକ (ଅଣ୍ଡରଗ୍ରାଉଣ୍ଡ ମାଇନିଂ) ହରିଦ୍ରୁମତ ବେହେରା ଉପସ୍ଥିତ ଥିଲେ ।
ଚଳିତ ବର୍ଷ ଫେବୃଆରୀ ମାସରେ ସଫଳତାପୂର୍ବକ ପ୍ରାଥମିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସମାପ୍ତ ହେବା ପରେ ଏହି ଦ୍ୱିତୀୟ ସ୍ତରୀୟ କର୍ମଶାଳାର ଆୟୋଜନ କରାଯାଇଥିଲା । ବର୍ତମାନ ସୁଦ୍ଧା ୫୦ ଜଣ ଅଙ୍ଗନବାଡ଼ି ଓ ଆଶା କର୍ମୀ ଏହି କେନ୍ଦ୍ରରେ ପ୍ରଶିକ୍ଷଣ ହାସଲ କରିସାରିଛନ୍ତି । ପରବର୍ତୀ ପଦକ୍ଷେପସ୍ୱରୁପ ମୂଲ୍ୟାଙ୍କନ ଆବଶ୍ୟକ କରୁଥିବା ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ଚିହ୍ନଟ, ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ପ୍ରମାଣପତ୍ର ପ୍ରଦାନ ନିମନ୍ତେ ସହାୟତା, ସ୍ୱତନ୍ତ୍ର ଦିବ୍ୟାଙ୍ଗ ଚିହ୍ନଟ କାର୍ଡ଼ ଏବଂ ଅନ୍ୟ ସରକାରୀ ଯୋଜନା ପାଇଁ ସହାୟତା ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି ।
ସବଳ କେନ୍ଦ୍ର ୨୦୨୧ ମସିହା ଡିସେମ୍ବର ମାସଠାରୁ ସୁକିନ୍ଦାଠାରେ କାର୍ଯ୍ୟ କରୁଛି । ଖୁବ କମ ସମୟ ମଧ୍ୟରେ ଉକ୍ତ କେନ୍ଦ୍ର ସୁକିନ୍ଦା ବ୍ଲକ୍ର ବିଭିନ୍ନ ପଂଚାୟତର ପ୍ରାୟ ୧୦୦ ଜଣ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ଚିହ୍ନଟ କରିସାରିଛି । ଭବିଷ୍ୟତରେ ଏହି କେନ୍ଦ୍ରରେ ପ୍ରଶିକ୍ଷକଙ୍କ ପାଇଁ ପ୍ରଶିକ୍ଷଣ, ଦିବ୍ୟାଙ୍ଗ ସଚେତନତା କର୍ମଶାଳା, ଡିଜିଟାଲ ସ୍ୱାକ୍ଷର କାର୍ଯ୍ୟକ୍ରମ, କ୍ୟାରିୟର ସଚେତନତା କର୍ମଶାଳା, ମୌଳିକ କମ୍ପ୍ୟୁଟର ଶିକ୍ଷା ଓ ନିଯୁକ୍ତି ପ୍ରଶିକ୍ଷଣ ସମ୍ପର୍କିତ ବିଭିନ୍ନ ପାଠ୍ୟକ୍ରମ ପ୍ରଦାନ କରିବାର ଯୋଜନା ରହିଛି । ଏହାବ୍ୟତୀତ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ସରକାରଙ୍କ ଲୋକକଲ୍ୟାଣ ପଦକ୍ଷେପ ସହିତ ଯୋଡ଼ିବା ପାଇଁ ବର୍ତମାନ କାର୍ଯ୍ୟ ଜାରି ରହିଛି ।
ଅନୁକୂଳ ପରିବେଶ ଏବଂ ଦକ୍ଷତା ବିକାଶ, ନିଯୁକ୍ତିକ୍ଷମ ଓ ଆର୍ଥିକ ସ୍ୱାଧିନତାରେ ପରିପୂର୍ଣ୍ଣ ଅନ୍ତର୍ଭୁକ୍ତକାରୀ ଭିତିଭୂମି ମାଧ୍ୟମରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ସହାୟତା ପ୍ରଦାନ କରିବା ହେଉଛି ଏହାର ମୁଖ୍ୟ ଲକ୍ଷ୍ୟ । “ଦକ୍ଷତା ମାଧ୍ୟମରେ ମର୍ଯ୍ୟାଦା ପ୍ରଦାନ” ଭଳି ଏକ ଉଦ୍ଦେଶ୍ୟ ନେଇ ଟାଟା ଷ୍ଟିଲ ଫାଉଣ୍ଡେସନ ଦ୍ୱାରା ପରିଚାଳିତ ସବଳ ଏହାର କାର୍ଯ୍ୟ ଜାରି ରଖିଛି । ଶିକ୍ଷାର ବିକାଶ ପାଇଁ ଏକ ସହଯୋଗୀ ରୂପେ ଏକ ସମର୍ଥ ଭାରତ ନିମନ୍ତେ ୨୦୧୭ ମସିହାରେ ଟାଟା ଷ୍ଟିଲର ନୋଆମୁଣ୍ଡି ଶାଖା ପକ୍ଷରୁ ଏଭଳି ପ୍ରଥମ କେନ୍ଦ୍ର ଆରମ୍ଭ କରାଯାଇଥିଲା ।