-
ନୟାଗଡ଼ (କେନ୍ଦୁଝରଗଡ଼) -ଯଖପୁରା ରେଳମାର୍ଗ ନୀରିକ୍ଷଣ
-
ଭୁବନେଶ୍ୱର ନୂତନ ଷ୍ଟେସନର କାର୍ଯ୍ୟ ସମୀକ୍ଷା
କେନ୍ଦୁଝର/ଭୁବନେଶ୍ୱର: ପୂର୍ବ ତଟ ଏବଂ ଦକ୍ଷିଣପୂର୍ବ ରେଳପଥ ମହାପ୍ରବନ୍ଧକ ସୁଶ୍ରୀ ଅର୍ଚନା ଯୋଶୀଙ୍କ ଦ୍ୱାରା ଆଜି ନୟାଗଡ଼ (କେନ୍ଦୁଝର)-ଯଖପୁରା ରେଳମାର୍ଗର ବାର୍ଷିକ ନୀରିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି | ଏହି ଗସ୍ତ ସମୟରେ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ପ୍ରବନ୍ଧକ ଶ୍ରୀ ରିଂକେଶ ରାୟଙ୍କ ସହିତ ମୁକ୍ଷ୍ୟାଳୟ ତଥା ମଣ୍ଡଳର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ | ଏହି ଗସ୍ତ ସମୟରେ ମହାପ୍ରବନ୍ଧକ ବିଭିନ୍ନ ଷ୍ଟେସନ, ରେଳ କଲୋନୀ, ବ୍ରିଜ, ଲେଭଲ କ୍ରସିଂ ଗେଟ, ରନିଂ ରୁମ୍, ଦୁର୍ଘଟଣା ରିଲିଫ୍ ଟ୍ରେନ୍, ଦୁର୍ଘଟଣା ରିଲିଫ୍ ମେଡିକାଲ୍ ଉପକରଣ, ରେଲୱେ ହସ୍ପିଟାଲ୍ ସହିତ ଅନ୍ୟାନ ସୁରକ୍ଷା ଓ ନିରାପତ୍ତା ସମ୍ବନ୍ଧୀୟ କାର୍ଯ୍ୟ ଯାଞ୍ଚ୍ କାର୍ଯ୍ୟ କରିଥିଲେ |
ସେ ଏହି ଗସ୍ତ ସମୟରେ ସମସ୍ତ ରେଳ ଭିତିଭୂମିକୁ ଭଲ ଭାବରେ ଯାଞ୍ଚ୍ କରିଥିଲେ ଓ ରେଳ ସେବାରେ ଉନ୍ନତି ଆଣିବା ପାଇଁ ଆବଶ୍ୟକ ଥିବା ବିଷୟ ଉପରେ ଧ୍ୟାନ ଦେବାପାଇଁ ଉପସ୍ଥିତ ରେଳ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ମହାପ୍ରବନ୍ଧକ ଏହି ରେଳ ମାର୍ଗରେ କେନ୍ଦୁଝରଗଡ଼ ଓ ହରିଚନ୍ଦନପୁର ଷ୍ଟେସନ ସମେତ ବିଭିନ୍ନ ସ୍ଥାନରେ ରହି ଭିନ୍ନଭିନ୍ନ କାର୍ଯ୍ୟର ତଦାରଖ କରିଥିଲେ | ସେ ମଧ୍ୟ ବିଭିନ୍ନ ନିରାପତ୍ତା ବିଷୟ ଯଥା ଟ୍ରାକ୍, ଲେଭଲ କ୍ରସିଂ, ବ୍ରିଜ, ପଏଣ୍ଟ ଓ କ୍ରସିଂକୁ ଭଲ ଭାବରେ ଯାଞ୍ଚ୍ କରିଥିଲେ | ଏହି ଅବସରରେ ସେ କର୍ମଚାରୀ ବାସଗୃହ, ପିଲାମାନଙ୍କ ପାଇଁ ଚିତ୍ତବିନୋଦନ ପାର୍କ ଇତ୍ୟାଦି ଉଦ୍ଘାଟନ କରିଥିଲେ |
ସୁଶ୍ରୀ ଯୋଶୀ ତାଙ୍କର ଏହି ବାର୍ଷିକ ଗସ୍ତ ସମୟରେ ଯାତ୍ରୀ ସୁବିଧା ଯଥା ପ୍ଲାଟଫର୍ମ, ବୁକିଂ ଅଫିସ୍, ଅପେକ୍ଷା ହଲ୍, ଭିଆଇପି ଲାଉଞ୍ଜ ଇତ୍ୟାଦିର ସମୀକ୍ଷା କରିଥିଲେ ଓ କର୍ମଚାରୀମାନଙ୍କୁ ଏହା ଉପରେ କ୍ରମାଗତ ଭାବରେ ଧ୍ୟାନ ପ୍ରଦାନ କରିବାକୁ ପରାମର୍ଶ ଦେଇଥିଲେ | ସେ ମଧ୍ୟ ବିଭିନ୍ନ ଷ୍ଟେସନରେ ଲୋକମାନଙ୍କୁ ଭେଟିଥିଲେ ଓ ଯାତ୍ରୀ ସେବାରେ ଉନ୍ନତି ଆଣିବା ପାଇଁ ସେମାନଙ୍କର ଅଭିଯୋଗ ଏବଂ ପରାମର୍ଶକୁ ଗ୍ରହଣ କରିଥିଲେ |
ଅପରାହ୍ନରେ ଶ୍ରୀମତୀ ଯୋଶୀ ଭୁବନେଶ୍ୱର ନୂତନ ଷ୍ଟେସନରେ ଚାଲିଥିବା କାର୍ଯ୍ୟଗୁଡ଼ିକର ସମୀକ୍ଷା କରିଥିଲେ | ଭୁବନେଶ୍ୱର ନୂତନ ଷ୍ଟେସନକୁ ସଡକ ଯୋଗାଯୋଗ ସହିତ ଅନ୍ୟାନ୍ୟ ନିରାପତ୍ତା ଏବଂ ସୁରକ୍ଷା କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଗୁରୁତ୍ୱାରୋପ କରିଥିଲେ |