ନିର୍ବାଚନ ଆଦର୍ଶ ଆଚରଣ ବିଧି ଅନୁପାଳନ ପୂର୍ବକ, ଅବାଧ, ମୁକ୍ତ, ନିରପେକ୍ଷ ଓ ଶାନ୍ତିଶୃଙ୍ଖଳାରେ ମତଦାନ ପ୍ରକ୍ରିୟାରେ ସହଯୋଗ କରିବାକୁ ଗୁରୁତ୍ୱ ।
ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ ସାଧାରଣ ନିର୍ବାଚନ- 2022 କୁ ଅବାଧ, ମୁକ୍ତ, ନିରପେକ୍ଷ ଓ ଶାନ୍ତିଶୃଙ୍ଖଳାର ସହିତ ଅନୁଷ୍ଠିତ କରାଯିବା ପାଇଁ ବିଭିନ୍ନ ରାଜନୈତିକ ଦଳର ସଦସ୍ୟତଥା ପ୍ରତିନିଧିମାନଙ୍କ ସହିତ ଖୋର୍ଦ୍ଧା ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର ଅନୁଷ୍ଠିତ ଏକ ବୈଠକରେ ଆଲୋଚନା କରିଛନ୍ତି । ସ୍ଥାନୀୟ ଓଡିଶା କୃଷି ବୈଷୟିକ ବିଶ୍ୱବିଦ୍ୟାଳୟରେଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାପାଳ ଶ୍ରୀ ମହାପାତ୍ର, ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶନନାମା ଅନୁସାରେ ଶୃଙ୍ଖଳିତ ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଅନୁପାଳନ ସଂପର୍କରେ ସମସ୍ତଙ୍କୁ ଅବଗତ କରାଇଛନ୍ତି । ବୈଠକରେ ବି.ଏମ.ସି ସାଧାରଣ ନିର୍ବାଚନ ପାଇଁ ନିଯୁକ୍ତ ନିର୍ବାଚନ ପର୍ଯ୍ୟବେକ୍ଷକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ, ଭୁବନେଶ୍ୱର ମହାନଗର ନିଗମ ସାଧାରଣ ନିର୍ବାଚନ ପାଇଁ ନିଯୁକ୍ତ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଫୁଲ୍ଲ କୁମାର ସ୍ୱାଇଁ, ଅତିରିକ୍ତ ଜିଲ୍ଲାପାଳ , ଖୋର୍ଦ୍ଧା ତଥା ପୌର ନିର୍ବାଚନ ନିମନ୍ତେ ନିୟୋଜିତ ଜିଲ୍ଲା ନୋଡାଲ ଅଧିକାରୀ ଶ୍ରୀ ମନୋଜ କୁମାର ପାଢୀ, ଅତିରିକ୍ତ ଡିସିପି,ଭୁବନେଶ୍ୱର ଶ୍ରୀ ପ୍ରକାଶ ଚନ୍ଦ୍ର ପାଲ, ବି.ଏମ୍.ସି ଅତିରିକ୍ତ କମିଶନର ଶ୍ରୀ ବିନୟ ଦାସ ଓ ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀ ଓ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।
ବୈଠକରେ ଜିଲ୍ଲାପାଳ ଶ୍ରୀ ମହାପାତ୍ର, ନିର୍ବାଚନ ପରିଚାଳନା କରିବା ପାଇଁ ନିର୍ବାଚନ କମିଶନ ଯେଉଁ ପ୍ରକ୍ରିୟା ସ୍ଥିର କରିଛନ୍ତି, ସେହି ଅନୁସାରେ ନିର୍ବାଚନ ପରିଚାଳନା କରି ଶୃଙ୍ଖଳିତ ନିର୍ବାଚନ ଉପରେ ଗୁରୁତ୍ୱ ଦେଇଥିଲେ । ସୂଚନା ଅନୁସାରେ ଭୁବନେଶ୍ୱର ମହାନଗର ନିଗମରେ 67ଟି ଓ୍ୱାର୍ଡ ପାଇଁ 705 ଟି ମତଦାନ କେନ୍ଦ୍ରରେ ଭୋଟ ଗ୍ରହଣ କରାଯିବ । ତନ୍ମଧ୍ୟରେ 5 ଟି ଗୋଲାପୀ ବୁଥ ରହିଛି>ପ୍ରତି ଗୋଲାପୀ ବୁଥରେ ପ୍ରିଜାଇଡିଂ ଅଧିକାରୀଙ୍କ ସମେତ 5 ଜଣ ମହିଳା ପୋଲିଂ କର୍ମଚାରୀ ରହିବେ ।ପ୍ରତି ବୁଥ୍ ରେ ମେୟର ପ୍ରାର୍ଥୀ ପାଇଁ ଗୋଟିଏ ଲେଖାଏଁ ଓ କର୍ପୋରେଟର ପ୍ରାର୍ଥୀ ପାଇଁ ଗୋଟିଏ ଲେଖାଏଁ ଅଲଗା ଅଲଗା ଇଲେକ୍ଟ୍ରୋନିକ୍ସ ଭୋଟିଂ ମେସିନ୍ ବ୍ୟବହୃତ ହେବ । ନିୟମାନୁସାରେ ଜରୁରୀସେବା ପାଇଁ 25 ପ୍ରତିଶତ ଭୋଟିଂ ମେସିନ୍ କୁ ମିଶାଇଲେ705 ଟି ମତଦାନ କେନ୍ଦ୍ର ପାଇଁ ଭଭୟ ମେୟର ଓ କର୍ପୋରେଟର ପାଇଁମୋଟ 1763 ଟି ବ୍ୟାଲଟ ୟୁନିଟ୍ ଓ 1763 ଟି କଣ୍ଟ୍ରୋଲ ୟୁନିଟ୍ ବ୍ୟବହୃତ ହେବ । ମତଦାନ ସକାଳ 8ରୁ ସଂଧ୍ୟା 5ଟା ଯାଏ ଚାଲିବ ।ମତଦାନ ସମୟରେ ମତଦାତା ମାନେ କୋଭିଡ୍ କଟକଣା ଅନୁପାଳନ ପୂର୍ବକ ମାସ୍କ ପିନ୍ଧି ମତଦାନ କରିବେ । ମାର୍ଚ୍ଚ 24 ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ ଓ 26 ରେ ଭୋଟ ଗଣତି ହେବ । 23 ତାରିଖରେ ପ୍ରିଜାଇଡିଂ ଅଫିସରଙ୍କ ସମେତ ପ୍ରତି ଗ୍ରୁପରେ ପ୍ରଥମ ପୁଲିଂ ଅଫିସର, 2ୟ ପୁଲିଂ ଅଧିକାରୀ, 3ୟ, 4ର୍ଥ ପୋଲିଂ ଅଧିକାରୀ ଓ ପୋଲିସ୍ କନଷ୍ଟେବଲଙ୍କୁ ମିଶାଇ ମୋଟ 5ଜଣିଆ ଟିମ୍ ଯିବେ । ବିଜେବି ସ୍ୱୟଂ ଶାସିତ ମହାବିଦ୍ୟାଳୟ ନୂଆ ଆର୍ଟସ୍ ବ୍ଲକରୁ ପୁଲିଂ ଅଧିକାରୀମାନେ ମାର୍ଚ୍ଚ 23 ତାରିଖରେ ବିଏମ୍ ସିର ବିଭିନ୍ନ ବୁଥ୍ କୁ ମତଦାନ ଗ୍ରହଣ ପାଇଁ ଯିବେ ଓ 24 ରେ ଭୋଟ ଗ୍ରହଣ ପରେ ଫେରିବେ । ନିର୍ବାଚନ ପରିଚାଳନା ପାଇଁ ସେକ୍ଟର ଅଫିସର ମାନେ ନିୟୋଜିତ ହୋଇଛନ୍ତି । ଭୁବନେଶ୍ୱର ବିଜେବି ସ୍ୱୟଂ ଶାସିତ ମହାବିଦ୍ୟାଳୟ ଆର୍ଟସ୍ ବ୍ଲକ ଠାରେ ଷ୍ଟ୍ରଙ୍ଗରୁମ୍ କରାଯାଇଛି। ଷ୍ଟ୍ରଙ୍ଗ ରୁମ୍ ସୁରକ୍ଷା ବ୍ୟବସ୍ଥାକୁ ବି.ଏମ୍.ସିର ବରିଷ୍ଠ ଅଧିକାରୀମାନେ ତଦାରଖ କରିଛନ୍ତି । ସେଥିରେ ଥିବା ଝରକାକୁ ସିଲ୍ କରାଯାଇଛି । ଷ୍ଟ୍ରଙ୍ଗରୁମ୍ କମିଶନିଂଠାରୁ ଭୋଟ ଗଣତି ଶେଷ ପର୍ଯ୍ୟନ୍ତ ସିସିଟିଭି ନଜରରେ ରହିବ । ପ୍ରାର୍ଥୀମାନଙ୍କର ପ୍ରତିନିଧିମାନେ ମଧ୍ୟ ଷ୍ଟ୍ରଙ୍ଗରୁମ୍ ସମ୍ମୁଖରେ ନିର୍ଦ୍ଧାରିତ ସ୍ଥାନରୁ ଷ୍ଟ୍ରଙ୍ଗରୁମ୍ କୁ ସିସିଟିଭି ମାଧ୍ୟମରେ ଦେଖି ପାରିବେ । ପ୍ରାର୍ଥୀମାନେ ସରକାରୀ ରାସ୍ତା, କୋଠା, ବିଦ୍ୟୁତ୍ ଖୁଣ୍ଟ ଆଦିରେ ପ୍ରଚାର ପତ୍ର, ପୋଷ୍ଟର ବ୍ୟାନର ଆଦି ଲଗାଇ ପାରିବେ ନାହିଁ । କେବଳ ଘରୋଇ ସ୍ଥାନରେ ଘର ମାଲିକଙ୍କ ଅନୁମତି ବା ସହମତିରେ ପ୍ରାର୍ଥୀମାନେ ଏସବୁ ଲଗାଇ ପାରିବେ । ମତଦାନ କେନ୍ଦ୍ରର 100 ମିଟର ଭିତରେ କୈାଣସି ପ୍ରାର୍ଥୀଙ୍କର ପ୍ରଚାର ପତ୍ର ବା ବ୍ୟାନର ଇତ୍ୟାଦି ଲଗାଇବେ ନାହିଁ । ନିର୍ବାଚନ ଆଚରଣ ବିଧି ଅନୁପାଳନ କରିବା ପାଇଁ ସରକାରୀ ସ୍ଥାନରେ ଏସବୁ ଲଗାଯାଇଥିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ବି.ଏମ୍.ସିରେ 3ଟି ଟିମ୍ ଗଠନ କରାଯାଇଛି । ବହୁ ସରକାରୀ ସ୍ଥାନରେ ଏସବୁ ଲାଗିଥିବା ଓ ଏହାକୁ କଢା ଯାଉନଥିବା ସଂପର୍କରେ କେତେକ ପ୍ରାର୍ଥୀ ବୈଠକରେ ଦୃଷ୍ଟି ଆକର୍ଷଣ କରିବାରୁ ଏହାକୁ ଅଧିକ ବ୍ୟାପକ କରିବାକୁ ଜିଲ୍ଲାପାଳ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଅତିରିକ୍ତ ଜିଲ୍ଲାପାଳ ତଥା ବି.ଏମ୍. ସି ପାଇଁ ନିୟୋଜିତ ନିର୍ବାଚନ ଅଧିକାରୀ ଶ୍ରୀ ସ୍ୱାଇଁ ଶୃଙ୍ଖଳିତ ନିର୍ବାଚନ ପାଇଁ ପ୍ରାର୍ଥୀଙ୍କର ନିର୍ଦ୍ଦିଷ୍ଟ ଅଭିଯୋଗ ପ୍ରତି ଗୁରୁତ୍ୱ ଦିଆଯାଇ କାର୍ଯ୍ୟାନୁଷ୍ଠାନ ନିଆଯାଉଥିବା ସଂପର୍କରେ କହିଥିଲେ ।
ସେହିପରି ଶୃଙ୍ଖଳିତ ନିର୍ବାଚନ ପାଇଁ ମୋବାଇଲ୍ ପୋଲିସ୍ ଟିମ୍ ଗଠନ କରାଯାଇଛି । ଏହି ଟିମ ନିର୍ବାଚନ ପ୍ରକ୍ରିୟା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସବୁ ଅଂଚଳ ଗସ୍ତ କରି ଶାନ୍ତିପୂର୍ଣ୍ଣ ନିର୍ବାଚନ ପାଇଁ ତଦାରଖ କରିବେ । ପୂର୍ବରୁ ରାଜନୈତିକ ହିଂସା, ଗଣ୍ଡଗୋଳ ଓ ଅପରାଧରେ ଜଡିତ ଥିବା ବ୍ୟକ୍ତିଙ୍କ ଉପରେ ଡିସିପିଙ୍କ ତରଫରୁ କଡା ନଜର ରହିବ । ତେବେ ଭୁବନେଶ୍ୱର ରାଜ୍ୟର ରାଜଧାନୀ ଓ ଏହାର ଭୋଟର ଶିକ୍ଷିତ, ସଚେତନ । ଏଣୁ ଏଠାରେ ଶୃଙ୍ଖଳିତ ମତଦାନ ଉପରେ ସମସ୍ତଙ୍କର ନଜର ରହିଛି । ଏଣୁ ସମସ୍ତ ପ୍ରାର୍ଥୀ, ରାଜନୈତିକ ଦଳ ଓ ଭୋଟରମାନେ ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନରେ ସହଯୋଗ ପୂର୍ବକ ମୁକ୍ତ ,ଅବାଧ, ନିରପେକ୍ଷ ନିର୍ବାଚନ କରି ଭୁବନେଶ୍ୱର ମହାନଗର ନିଗମରେ ଗଣତନ୍ତ୍ରର ସୁନାମ ଆଣିବାକୁ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ ।
ବିଏମ୍ ସି ନିର୍ବାଚନ ସାଧାରଣ ପର୍ଯ୍ୟବେକ୍ଷକ ଶ୍ରୀ ତ୍ରିପାଠୀ ଉପସ୍ଥିତ ସମସ୍ତ ରାଜନେୈତିକ ଦଳର ପ୍ରାର୍ଥୀ, ପ୍ରତିନିଧିମାନଙ୍କୁ ନିର୍ବାଚନ ଆଦର୍ଶ ଆଚରଣ ବିଧି ସଂପର୍କରେ ଅବଗତ କରାଇ ନିର୍ବାଚନ ସମୟରେ କୁସଂସ୍କାରାତ୍ମକ ପ୍ରଚାରକୁ ନିବୃତ୍ତ ରହିବା, ଜାତି, ଧର୍ମ ଓ ବ୍ୟକ୍ତିଗତ ଆକ୍ଷେପରୁ ଦୂରରେ ରହିବା ଓ ସରକାରୀ ଅନୁଷ୍ଠାନ ମାନଙ୍କରେ ପ୍ରଚାର ପତ୍ର ନ କରିବା ଉପରେ ଗୁରୁତ୍ୱାରୋପ କରି ଏ ଦିଗରେ ସମସ୍ତେ ସଚେତନ ହେବା ଉପରେ ଗୁରୁତ୍ୱାରୋପ କରିଥିଲେ । ପ୍ରାର୍ଥୀମାନଙ୍କର ନିର୍ବାଚନ ପ୍ରଚାର ଖର୍ଚ୍ଚ ତଦାରଖ କରିବା ପାଇଁ ଖର୍ଚ୍ଚ ପର୍ଯ୍ୟବେକ୍ଷକ ନିଯୁକ୍ତ ରହିଛନ୍ତି । ନିର୍ବାଚନ ପାଇଁ ଏକ ହ୍ୱାଟସ ଆପ୍ ନଂ-8144537792 ପ୍ରଶାସନ ତରଫରୁ ଖୋଲାଯାଇଛିଏବଂ ଲ୍ୟାଣ୍ଟ ଲାଇନ୍ ନଂ- 0674-2913440କାର୍ଯ୍ୟକରୁଛି । ଏଥି ସହିତ ଡିସିପିଙ୍କ ପୋଲିସ୍ କଣ୍ଟ୍ରୋଲ୍ ରୁମ୍ ଟେଲିଫୋନ୍ ନଂ- 8093028107 କାର୍ଯ୍ୟ କରୁଛି । ତତ୍ ସହିତ ସ୍ଥାନୀୟ ସବୁ ପୋଲିସ୍ ଷ୍ଟେସନରେ ନିର୍ବାଚନ ସଂକ୍ରାନ୍ତୀୟ ଅଭିଯୋଗ ଗ୍ରହଣ କରାଯାଇପାରିବ । ଆସନ୍ତା କାଲି17 ତାରିଖ ଠାରୁ ଷ୍ଟ୍ରଙ୍ଗ ରୁମ୍ ର ପରିଚାଳନା ଆରମ୍ଭ ହେବ । ଇଭିଏମ୍ କମିଶନିଂ ଆରମ୍ଭ ହୋଇ ଷ୍ଟ୍ରଙ୍ଗ ରୁମ୍ ରେ ରହିବ । ମତଦାନ ପୂର୍ବରୁ ଜିଲ୍ଲାପାଳ ଶ୍ରୀ ମହାପାତ୍ର ଇଭିଏମ୍ କମିଶନିଂ ସମୟରେ ପ୍ରାର୍ଥୀ କିମ୍ବା ସେମାନଙ୍କର ପ୍ରତିନିଧିମାନେ ଉପସ୍ଥିତ ରହିପାରିବା ଓ ପୋଲିଂ ପୂର୍ବରୁ ମକ୍ ପୋଲିଂ ସମୟରେ ପୋଲିଂ ଏଜେଣ୍ଟ ଉପସ୍ଥିତ ରହିବା ସଂପର୍କରେ ଅବଗତ କରାଇଥିଲେ ।
ନିର୍ବାଚନ ପ୍ରକ୍ରିୟାରେ ନିର୍ବାଚନ ଅଧିକାରୀଙ୍କ ଠାରୁ ଆରମ୍ଭ କରି ନିର୍ବାଚନ ପ୍ରକ୍ରିୟାରେ ନିୟୋଜିତ ସମସ୍ତେ ନିଜ ନିଜର ଦାୟିତ୍ୱ ସୁଚାରୁରୂପେ ସଂପାଦନ କରିବେ ବୋଲି ଜିଲ୍ଲାପାଳ ଆଶା ପ୍ରକାଶ କରିବା ସହିତ ସେହିପରି ସମସ୍ତ ପ୍ରାର୍ଥୀ, ରାଜନୈତିକ ଦଳର ସଦସ୍ୟ, ସଦସ୍ୟା ଓ ପ୍ରତିନିଧିମାନେ ଶୃଙ୍ଖଳିତ ନିର୍ବାଚନ ନେଇ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି ।