ହେଡଲାଇନସ୍:

କଳାମଣ୍ଡଳ ପଡିଆ : ଶୋଭା ବଢ଼ାଉଛି ଡଜନ ଡଜନ ମଦବୋତଲ ଆଉ କୁଢ଼କୁଢ଼ ଅଳିଆ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ବାୟୁ ଗଲେ ପେଟ ଉଶ୍ୱାସ 

ବିକାଶରେ କଣ୍ଟା:  ଅପାରଗ ପ୍ରଶାସନ, ଇଚ୍ଛାହୀନ ରାଜନେତା 

ନୂଆ ଜିଲ୍ଲାପାଳ ଦେଲେ ପ୍ରତିଶ୍ରୁତି, ବଦଳିବ କଳାମଣ୍ଡଳ ଚେହେରା

ବଲାଙ୍ଗୀର/ନିରୋଜ ମିଶ୍ର : କଳା ସଂସ୍କୃତି ପାଇଁ ସରକାର ଦରଦ ଦେଖାଉଛନ୍ତି | ନେତାଏ ପ୍ରବଳ ଭାଷଣ ମାରୁଛନ୍ତି | ପ୍ରଶାସନ ପ୍ରତିଶ୍ରୁତି ଦେଉଛି | ମଠଖାଇ ନାଟକ ମହୋତ୍ସବ ବେଳେ ଅଜାଡି ହୋଇ ପଡୁଛି ପ୍ରତିଶ୍ରୁତି | ହେଲେ ବାୟୁ ଗଲେ ପେଟ ଉଶ୍ୱାସ ପରି ତାପରେ ସବୁ ଭୁଲି ଯାନ୍ତି | 

 ଐତିହାସିକ କୋଶଳ କଳାମଣ୍ଡଳ ପଡ଼ିଆ ବଲାଙ୍ଗିରର ଗର୍ବ ଓ ଗୌରବ। ହେଲେ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଓ ପ୍ରଶାସନିକ ଅପାରଗତା ଯୋଗୁ ଅବହେଳିତ ହୋଇ ପଡ଼ି ରହିଛି ରାଜାରାଜୁଡ଼ା ଅମଳରୁ ନିର୍ମାଣ ହୋଇଥିବା ଏହି ପଡ଼ିଆ। କେବଳ ଭାଷଣବାଜିରେ ଚାଲିଛି ଏହାର ଉନ୍ନତିକରଣ। ହେଲେ ବାସ୍ତବ ସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ। ବହୁ ଇତିହାସର ମୂକସାକ୍ଷୀ ପାଲଟିଥିବା ଏହି ପଡ଼ିଆ ଆଜି ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡା ସ୍ଥଳରେ ପରିଣତ ହୋଇଛି। ସ୍ଥିତି ଏମିତି ହୋଇଛି, ସଞ୍ଜ ନଇଁଲେ, ସହରବାସୀ ସେଠାକୁ ଯିବାକୁ ଭୟ କରୁଛନ୍ତି। ଚାରିଆଡ଼େ ପଡ଼ିଛି କୁଢ଼ କୁଢ଼ ଅଳିଆ ଆବର୍ଜନା। ମଞ୍ଚର ଶୋଭା ବର୍ଦ୍ଧନ କରୁଛି ମେଞ୍ଚା ମେଞ୍ଚା ଖାଲି ମଦ ବୋତଲ।୧୯୪୫ ମସିହା ଫେବୃଆରୀରେ ପାଟଣାଗଡ଼ ଷ୍ଟେଟ୍‌ର ତତ୍କାଳୀନ ମହାରାଜା ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ଦ୍ୱାରା ୭ ଏକର ଜମିରେ ନିର୍ମାଣ ହୋଇଥିଲା କୋଶଳ ମଳାମଣ୍ଡଳ ପଡ଼ିଆ। ନାଟକ ପାଇଁ ଏକ ସ୍ଥାୟୀ ମଞ୍ଚ ବି ରହିଛି ଏଠାରେ। ଉଦ୍ଦେଶ୍ୟ ଥିଲା, କଳା, ସାହିତ୍ୟ, କ୍ରୀଡା, ନୃତ୍ୟ, ବାଦ୍ୟ ଓ ଚିତ୍ରାଙ୍କନର ବିକାଶ। ହେଲେ ଏହି ଲକ୍ଷ୍ୟ ଆଜି ‘ଆକାଶ କଇଁଆ, ଚିଲିକା ମାଛ’ ସଦୃଶ ହୋଇଛି। ପ୍ରତିବର୍ଷ ଏଠାରେ ଲୋକୋତ୍ସବ ଆୟୋଜନ ହେଉଛି। ‘ମଠଖାଇ ମହୋତ୍ସବ’ ଭଳି ସର୍ବଭାରତୀୟ ନାଟ୍ୟ ମହୋତ୍ସବ ମଧ୍ୟ ଅନୁଷ୍ଠିତ ହେଉଛି। ବଡ଼ ବଡ଼ ନେତା, ମନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀ ଆସୁଛନ୍ତି। ଚଳଚଞ୍ଚଳ ହୋଇ ଯାଉଛି ପଡ଼ିଆ ପରିସର। ଜୋର୍‌ ଧରୁଛି ଭାଷଣବାଜି। କିଏ କହୁଛି ଅଡିଟୋରିୟମ କରିଦେବି ତ କିଏ କହୁଛି ନିର୍ମାଣ ହେବ ଅତ୍ୟାଧୁନିକ ମଞ୍ଚ। ସରିଯାଉଛି ଉତ୍ସବ, ଚାଲି ଯାଉଛନ୍ତି ନେତା ଓ ମନ୍ତ୍ରୀ। ଭୁଲି ଯାଉଛନ୍ତି ସବୁ ପ୍ରତିଶ୍ରୁତି। ପୁଣି ଆସନ୍ତା ବର୍ଷକୁ ରହୁଛି ଅପେକ୍ଷା। ନେତା ଓ ମନ୍ତ୍ରୀ ଆସିବେ ଆଉ ସେମାନେ ଭାଷଣବାଜିରେ ସହରବାସୀଙ୍କ କଟା ଘା’ରେ ଚୂନ ମାରିବେ।ଦୀର୍ଘ ୬୩ ବର୍ଷ ପୂର୍ବେ ନିର୍ମାଣ ହୋଇଥିବା ଏହି ପଡ଼ିଆର ଉନ୍ନତିକରଣ କହିଲେ, କେବଳ ଏକ ମଞ୍ଚ ନିର୍ମାଣ କରାଯାଇଛି। ଏହାବାଦ ସବୁକିଛି ନାହିଁ ନାହିଁରେ ଚାଲିଛି।ପଡ଼ିଆର ଉନ୍ନତିକରଣ ପାଇଁ ବିଭିନ୍ନ ମହଲରୁ ଦାବି ଉଠିବାରେ ଲାଗିଛି। ବୁଦ୍ଧିଜୀବୀଙ୍କଠାରୁ ଆରମ୍ଭ କରି, ସହରର ଶିକ୍ଷିତ ଯୁବକଯୁବତୀ, କଳାକାର, କଳାସଂସ୍କୃତି ଉପରେ ଗବେଷଣା କରୁଥିବା ବହୁ ବିଶିଷ୍ଟ ବ୍ୟକ୍ତି ପଡ଼ିଆର ଏଭଳି ସ୍ଥିତିକୁ ନେଇ କ୍ଷୋଭ ପ୍ରକାଶ କାରିଛନ୍ତି। ଅତିଶୀଘ୍ର ଏହି ପଡ଼ିଆର ପୁନରୁଦ୍ଧାର କରାଯିବାକୁ ସଂସ୍କୃତି ଗବେଷକ ଘାସିରାମ ମିଶ୍ର ଦାବି କରିଛନ୍ତି।ଅଡିଟୋରିୟମ ନିର୍ମାଣ ପାଇଁ ଦୀର୍ଘ ଦିନରୁ ଦାବି ହୋଇ ଆସୁଛି। ଏନେଇ ଅଞ୍ଚଳର କଳାକାରମାନେ ଜିଲ୍ଲାପାଳ ଅରିନ୍ଦମ ଡାକୁଆଙ୍କୁ ମଧ୍ୟ ଭେଟିଛନ୍ତି। ଜିଲ୍ଲାପାଳ ମଧ୍ୟ କୋଶଳ କଳାମଣ୍ଡଳ ପଡିଆର ସ୍ଥିତି ଅନୁଧ୍ୟାନ କରିଛନ୍ତି। ଶୀଘ୍ର ପଡ଼ିଆର ସବୁ ସମସ୍ୟା ଦୂର କରାଯିବା ସହ ଅଡିଟୋରିୟମ ନିର୍ମାଣ ପାଇଁ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। କିନ୍ତୁ ଏହା ବାସ୍ତବ ରୂପ ନ ନେବା ପର୍ଯ୍ୟନ୍ତ ବଲାଙ୍ଗିରବାସୀ ଏହି ପ୍ରତିଶ୍ରୁତିକୁ ଭଲ ମନରେ ଗ୍ରହଣ କରିପାରୁନାହାନ୍ତି

0
0
0
s2sdefault