ହେଡଲାଇନସ୍:

୨୦୩୦ ସୁଦ୍ଧା ଫାଇଲେରିଆ ନିରାକରଣ ପାଇଁ ଭାରତର ପ୍ରତିବଦ୍ଧତା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ଦ୍ୱିତୀୟ ପର୍ଯ୍ୟାୟ ସାମୂହିକ ଔଷଧ ସେବନ (ଏମ୍‍ଡିଏ) କାର୍ଯ୍ୟକ୍ରମ ମାର୍ଚ୍ଚ ୭ରୁ ଆରମ୍ଭ  

  • ଏମ୍‍ଡିଏ ପର୍ଯ୍ୟାୟରେ ବରଗଡ, କେନ୍ଦୁଝର, କନ୍ଧମାଳ, ମୟୁରଭଞ୍ଜ, ସୋନପୁର, ସୁନ୍ଦରଗଡ ଓ ସମ୍ବଲପୁର ଜିଲ୍ଲା ସାମିଲ

ଭୁବନେଶ୍ୱର: ଲିମ୍ଫାଟିକ ଫାଇଲେରିଆସିସ୍‍ (ଏଲ୍‍ଏଫ) ନିରାକରଣ ନିମନ୍ତେ ଓଡ଼ିଶ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୭ଟି ସୀମାନ୍ତ ଜିଲ୍ଲାରେ ସାମୂହିକ ଔଷଧ ସେବନ (ଏମ୍‍ଡିଏ) ପର୍ଯ୍ୟାୟ ଆୟୋଜନ କରିବେ । ଏହି ପରିପ୍ରେକ୍ଷୀରେ ସ୍ୱାସ୍ଥ୍ୟ ବିଭାଗକ ପକ୍ଷରୁ ଗ୍ଲୋବାଲ୍‍ ହେଲ୍‍ଥ ଷ୍ଟ୍ରାଟେଜି ସହିତ ମିଶି ୨୦୨୨ ମାର୍ଚ୍ଚ ୭ ତାରିଖରେ ସମ୍ବଲପୁର ଜିଲ୍ଲାରେ ଏକ ଉଦ୍‍ଘାଟନି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ରାଜ୍ୟରୁ ଲିମ୍ଫାଟିକ ଫାଇଲେରିଆର ନିରାକରଣ କରିବା ନିମନ୍ତେ ଫାଇଲେରିଆ ନିରୋଧୀ ଔଷଧ ସେବନର ଫାଇଦା ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା । ସାମୂହିକ ଔଷଧ ସେବନ ପର୍ଯ୍ୟାୟ ୨୦୨୨ ମାର୍ଚ୍ଚ ୭ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ ଏବଂ ଏମ୍‍ଡିଏ କାର୍ଯ୍ୟକାରୀ ହେବାକୁ ଥିବା ୭ଟି ଜିଲ୍ଲା ମଧ୍ୟରେ ବରଗଡ, କେନ୍ଦୁଝର, କନ୍ଧମାଳ, ମୟୁରଭଞ୍ଜ, ସୋନପୁର, ସୁନ୍ଦରଗଡ ଓ ସମ୍ବଲପୁର ରହିଛି ।
ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଡା.ଅଜିତ କୁମାର ମହାନ୍ତି କହିଛନ୍ତି, “ଏମ୍‍ଡିଏ ପର୍ଯ୍ୟାୟଗୁଡିକ ସମୟରେ କୋଭିଡ-୧୯ ସଂକ୍ରମଣକୁ ରୋକିବା ସକାଶେ ସମସ୍ତ ସୁରକ୍ଷାମୂଳକ ସତର୍କତା ପଦକ୍ଷେପ (ହାତ ଧୋଇବା, ମାସ୍କ ପରିଧାନ ଏବଂ ସାମାଜିକ ଦୂରତା ବଜାୟ ରଖିବା)କୁ ଅନୁପାଳନ କରାଯିବ । ଏହା ମଧ୍ୟ ସୁନିଶ୍ଚିତ କରାଯିବ ଯେ ସୀମାନ୍ତ ଜିଲ୍ଲାଗୁଡିକର ସମସ୍ତ ଯୋଗ୍ୟ ହିତାଧିକାରୀ ଯେଭଳି ସ୍ୱାସ୍ଥ୍ୟକର୍ମୀଙ୍କ ଉପସ୍ଥିତିରେ ଫାଇଲେରିଆ ନିରୋଧୀ ଔଷଧ ନିଶ୍ଚିତ ଭାବରେ ସେବନ କରିବେ । କେବଳ ୨ ବର୍ଷରୁ କମ୍‍ ବୟସର ଶିଶୁ, ଗର୍ଭବତୀ ମହିଳା ଏବଂ ଗୁରୁତର ଅସୁସ୍ଥ ଥିବା ଲୋକଙ୍କୁ ବାଦ୍‍ଦେଇ ଅନ୍ୟ ସମସ୍ତେ ନିଶ୍ଚିତ ଭାବରେ ଏହି ପର୍ଯ୍ୟାୟଗୁଡିକ ସମୟରେ ତାଲିମପ୍ରାପ୍ତ ସ୍ୱାସ୍ଥ୍ୟକର୍ମୀଙ୍କ ଉପସ୍ଥିତିରେ ଧାର୍ଯ୍ୟ ମାତ୍ରାର ଔଷଧ ସେବନ କରିବାକୁ ହେବ ।” ସେ ମଧ୍ୟ ଗୁରୁତ୍ୱ ଦେଇ କହିଥିଲେ ଯେ, “ଏହି କାର୍ଯ୍ୟକ୍ରମ ଅଧୀନରେ ଗୋଷ୍ଠୀ ଅଂଶଗ୍ରହଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଫାଇଲେରିଆ ନିରାକରଣ ଦିଗରେ ପ୍ରତିବଦ୍ଧତା ସହିତ ଜନ ପ୍ରତିନିଧି, ସରକାରୀ ଅଧବକାରୀ, ସ୍ୱାସ୍ଥ୍ୟକର୍ମୀ ଏବଂ ଜନସମୁଦାୟ ଫାଇଲେରିଆ ନିରାକରଣ କାର୍ଯ୍ୟକ୍ରମକୁ ଏକ ଜନଆନ୍ଦୋଳନରେ ପରିଣତ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।” ସେ କହିଥିଲେ, “ଜନସାଧାରଣ ଏବଂ ଗଣମାଧ୍ୟମର ସମର୍ଥନ ଦ୍ୱାରା ଆମେ ଏଲ୍‍ଏଫକୁ ସମ୍ପୂର୍ଣ୍ଣ ଭାବରେ ନିରାକରଣ କରିବାରେ ସମର୍ଥ ହୋଇପାରିବୁ । ହିତାଧିକାରୀମାନେ ବହୁ ସଂଖ୍ୟାରେ ଫାଇଲେରିଆ ନିରୋଧୀ ଔଷଧ ସେବନ କଲେ ଏହା ରୋଗ ବ୍ୟାପିବା ଶୃଙ୍ଖଳକୁ ଛିନ୍ନ କରିବ ।”
ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଭେକ୍ଟର ବାହିତ ରୋଗ ରାଜ୍ୟ କାର୍ଯ୍ୟକ୍ରମ ଅଧିକାରୀ ଡା.ଶୁଭାଶିଷ ମହାନ୍ତି ସୂଚନା ଦେଇ କହିଥିଲେ, “,“୨୦୩୦ ସୁଦ୍ଧା ଫାଇଲେରିଆର ନିରାକରଣ କରିବାକୁ ଭାରତର ପ୍ରତିବଦ୍ଧତାକୁ ମନ ମଧ୍ୟରେ ରଖି ଏବଂ ଗୁରୁତ୍ୱପୂର୍ଣ୍ଣ ଜନସ୍ୱାସ୍ଥ୍ୟ ପ୍ରୟାସଗୁଡିକ ଜାରି ରଖିବାର ଗୁରୁତ୍ୱକୁ ଗ୍ରହଣ କରି, ଲିମ୍ଫାଟିକ ଫାଇଲେରିଆସିସ୍‍ ମୂଳୋତ୍ପାଟନ କାର୍ଯ୍ୟକ୍ରମ ଅଧୀନରେ ଓଡ଼ିଶା ସରକାର ରାଜ୍ୟର ୭ଟି ଏଲ୍‍ଏଫ ଚିହ୍ନଟ ଏମ୍‍ଡିଏ ପର୍ଯ୍ୟାୟଗୁଡିକ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ସମସ୍ତ କୋଭିଡ-୧୯ ନିର୍ଦ୍ଦେଶାବଳୀ ଅନୁପାଳନ କରାଯାଇ ଏମ୍‍ଡିଏ ପର୍ଯ୍ୟାୟଗୁଡିକ ଆୟୋଜନ କରାଯିବ ।”
ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡା.ନିରଞ୍ଜନ ମିଶ୍ର କହିଥିଲେ ଯେ, “ଫାଇଲେରିଆ ଏକ ଗୁରୁତର ଜନସ୍ୱାସ୍ଥ୍ୟ ସମସ୍ୟା ଯାହା ମଶା କାମୁଡିବା ଦ୍ୱାରା ବ୍ୟାପୁଛି । ବିଶ୍ୱବ୍ୟାପୀ ଦୀର୍ଘସୂତ୍ରୀ ଅକ୍ଷମତା ସୃଷ୍ଟିରେ ଫାଇଲେରିଆ ଅନ୍ୟତମ ମୁଖ୍ୟ କାରଣ ହୋଇଛି । ସାଧାରଣତଃ ପିଲାଦିନେ ଆକ୍ରାନ୍ତ କରୁଥିବା ଏହି ସଂକ୍ରମଣ ଲିମ୍ଫାଟିକ ବ୍ୟବସ୍ଥାକୁ ନଷ୍ଟ କରିଦେଉଛି ଏବଂ ଯଦି ତାହାର ଚିକିତ୍ସା କରାନଯାଏ, ତେବେ ଶରୀରର ବିଭିନ୍ନ ଅଂଶରେ ଅସ୍ୱାଭାବିକ ଫୁଲା ସୃଷ୍ଟି କରିଥାଏ । ଫାଇଲେରିଆରେ ଆକ୍ରାନ୍ତ ଲୋକମାନେ ଅନେକ ସମୟରେ ହାଇଡ୍ରୋସିଲ, ଲିମ୍ଫୋଡେମା (ଅଙ୍ଗ ପ୍ରତ୍ୟଙ୍ଗ ଫୁଲିବା) ଏବଂ ଚାଇଲୁରିଆ (ଇଷତ୍‍ ଦୁଗ୍ଧ ରଙ୍ଗର ପରିସ୍ରା) ଆଦି ସମସ୍ୟାର ଶିକାର ହୋଇଥାନ୍ତି । ଏହି ପରିସ୍ଥିତି ଲିମ୍ଫାଟିକ ଫାଇଲେରିଆରେ ଆକ୍ରାନ୍ତ ଲୋକଙ୍କର ଜୀବିକା ଉପାର୍ଜନ, ସୁବିଧା ସୁଯୋଗ ଏବଂ କାର୍ଯ୍ୟଦକ୍ଷତାକୁ ପ୍ରଭାବିତ କରିଥାଏ ଏବଂ ଅନେକ ସମୟରେ ଏହା ସେମାନଙ୍କ ପାଇଁ ଏକ କଳଙ୍କ ହୋଇଥାଏ । ଫାଇଲେରିଆ ଏକ ଅକ୍ଷମତା ସୃଷ୍ଟିକାରୀ ରୋଗ ଯାହାକୁ ତାଲିମପ୍ରାପ୍ତ ସ୍ୱାସ୍ଥ୍ୟକର୍ମୀଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ଫାଇଲେରିଆ ନିରୋଧୀ ଔଷଧ (ଡିଇସି ଏବଂ ଆଲ୍‍ବେଣ୍ଡାଜୋଲ୍‍) ସେବନ ଦ୍ୱାରା ରୋକାଯାଇପାରିବ ।” ଡା. ମିଶ୍ର ଆଉ ମଧ୍ୟ ଫାଇଲେରିଆ ନିରୋଧୀ ଔଷଧ ସେବନ ପରବର୍ତ୍ତୀ ସମୟରେ କ୍ୱଚିତ ପ୍ରକାଶ ପାଉଥିବା ପାଶ୍ୱର୍ ପ୍ରତିକ୍ରିୟା ସମ୍ପର୍କରେ ପ୍ରକାଶ କରିବା ସହିତ କହିଥିଲେ ଯେ ଏଭଳି ବିଷୟ ପ୍ରତି ଦୃଷ୍ଟିଦେବାକୁ କ୍ଷେତ୍ରସ୍ତରରେ ଆରଆର୍‍ଟିମାନେ ଉପସ୍ଥିତ ରହିଛନ୍ତି । ସେ କହିଥିଲେ, ‘ଆଲ୍‍ବେଣ୍ଡାଜୋଲ୍‍’କୁ ଚୋବେଇ ଖାଇବାକୁ ହେବ ଏବଂ ଡିଇସିକୁ ସମ୍ପୂର୍ଣ୍ଣ ଭାବରେ ଗିଳିଦେବାକୁ ପଡିବ । ଏହି ଔଷଧଗୁଡିକ ଖାଦ୍ୟ ଖାଇବା ପରେ ସେବନ କରିବା ଉଚିତ ।
ଭାରତର ରାଷ୍ଟ୍ରୀୟ ଲିମ୍ଫାଟିକ ଫାଇଲେରିଆ ନିରାକରଣ କାର୍ଯ୍ୟକ୍ରମର ଦୁଇ ସ୍ତମ୍ଭ ବିଶିଷ୍ଟ ରଣକୌଶଳ ରହିଛି:
୧. ସାମୁହିକ ଔଷଧ ସେବନ (ଏମ୍‍ଡିଏ): ସଂକ୍ରମିତ ଅଞ୍ଚଳରେ ଫାଇଲେରିଆ ବ୍ୟାପିବାକୁ ରୋକିବା ନିମନ୍ତେ ଫାଇଲେରିଆ ନିରୋଧୀ ଔଷଧ (ଡିଇସି ଏବଂ ଆଲବେଣ୍ଡାଜୋଲ) ସେବନ କରିବାକୁ ଦିଆଯାଉଛି ।
୨. ମୃତ୍ୟୁ ହାର ରୋକିବା ଏବଂ ଅକ୍ଷମତା ନିରାକରଣ (ଏମଏମଡିପି): ଲିମ୍ଫୋଡେମା ପାଇଁ ଘରେ ରହି ରୋଗୀଙ୍କର ଯତ୍ନ ଦ୍ୱାରା ମୃତ୍ୟୁହାର ରୋକିବା ଏବଂ ହାଇଡ୍ରୋସିଲ କ୍ଷେତ୍ରରେ ଅସ୍ତ୍ରୋପଚାର ଜରିଆରେ ଚିକିତ୍ସା ।

 

0
0
0
s2sdefault