ହେଡଲାଇନସ୍:

ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ମହାନ ଜନନାୟକ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୬ତମ ରାଜ୍ୟସ୍ତରୀୟ ଜୟନ୍ତୀ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର:ଆଜି ଓଡ଼ିଶାର ମହାନ ଜନନାୟକ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୬ତମ ଜୟନ୍ତୀ ଅବସରରେ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ବିଭାଗୀୟ ସମ୍ମିଳନୀ କକ୍ଷଠାରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି ।
ସ୍ୱର୍ଗତ ବିଜୁ ପଟ୍ଟନାୟକ ଥିଲେ ଓଡ଼ିଶାର ସ୍ୱାର୍ଥ ଓ ସ୍ୱାଭିମାନର ପ୍ରତୀକ, ଜଣେ ଉତ୍ତୁଙ୍ଗ ବ୍ୟକ୍ତିତ୍ୱ । ଓଡ଼ିଶା ଏବଂ ଓଡ଼ିଆଙ୍କ ଉନ୍ନତି ପାଇଁ ଦିନରାତି ସ୍ୱପ୍ନ ଦେଖୁଥିବା ଏକ ମଣିଷ ବିଜୟାନନ୍ଦ ପଟ୍ଟନାୟକ ଥିଲେ ଜଣେ ଦୁର୍ଦ୍ଦର୍ଷ ସ୍ୱାଧୀନତା ସଂଗ୍ରାମୀ, ସ୍ୱାଭିମାନୀ ଓ ଦୂରଦ୍ରଷ୍ଟା ରାଜନୀତିଜ୍ଞ, ଆଧୁନିକ ଓଡ଼ିଶାର ଅନ୍ୟତମ ନିର୍ମାତା, ଦୁଃସାହସୀ ବୈମାନିକ ଓ ଇଣ୍ଡୋନେସିଆର ଭୂମିପୂତ୍ର । ବିଜ୍ଞାନର ପ୍ରସାର ପାଇଁ ୧୯୫୧ରେ ସେ ଜାତିସଂଘର ଶିକ୍ଷା, ବିଜ୍ଞାନ ଓ ସଂସ୍କୃତିି ସଂସ୍ଥା ମାଧ୍ୟମରେ ‘କଳିଙ୍ଗ ପୁରସ୍କାର’ ସ୍ଥାପନ କରିଥିଲେ । ତାଙ୍କର କାର୍ଯ୍ୟକଳାପ ଥିଲା ବ୍ୟାପକ ଏବଂ ସେ ଆଜୀବନ ସ୍ପଷ୍ଟବାଦୀ ଥିଲେ । ନିଜର ଅଦମ୍ୟ ଦୁଃସାହସ ପାଇଁ ସେ ଈର୍ଷଣୀୟ ବିଶ୍ୱସ୍ତରୀୟ ପ୍ରସିଦ୍ଧି ହାସଲ କରିଥିଲେ । ସେ ଦୁଇଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ପଦ ଅଳଙ୍କୃତ କରିଥିଲେ । ପ୍ରବାଦପୁରୁଷ ବିଜୁ ପଟ୍ଟନାୟକ ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଗର୍ବ ଓ ଗୌରବ । ନବଉତ୍କଳର ଏହି ବିନ୍ଧାଣୀଙ୍କ ଉତ୍ତୁଙ୍ଗ ବ୍ୟକ୍ତିତ୍ୱ ଚିରକାଳ ପାଇଁ ଓଡ଼ିଆ ଜାତିର ପ୍ରେରଣାର ଉତ୍ସ ହୋଇ ରହିଥିବ ।
ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ବିଭାଗୀୟ ନିର୍ଦ୍ଦେଶକ ଶ୍ରୀଇନ୍ଦ୍ରମଣି ତ୍ରିପାଠୀ, ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁର ସଂପାଦକ ଡ. ଲେନିନ୍‌ ମହାନ୍ତି ଉପସ୍ଥିତ ରହି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସୁରେନ୍ଦ୍ରନାଥ ପରିଡ଼ା, ଯୁଗ୍ମ ସଚିବ ବିଷ୍ଣୁପ୍ରିୟା ସାହୁ, ଯୁଗ୍ମ ନିର୍ଦ୍ଦେଶକ ସନ୍ତୋଷ କୁମାର ଦାସ, ମାନସ ରଞ୍ଜନ ଖୁଣ୍ଟିଆ, ମାନସ ବିଶ୍ୱାଳଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault