"କାର୍ଯ୍ୟକର୍ତା ମାନେ କଠିନ ପରିଶ୍ରମ କରିଥିବାରୁ ଧନ୍ୟବାଦ"
ଭୁବନେଶ୍ୱର - ରାଜ୍ୟରେ ଅନୁଷ୍ଠିତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ଜନତାଙ୍କ ରାୟକୁ ସମ୍ମାନ ଜଣାଇବା ସହ ରାଜ୍ୟ ବିଜେପିର ନିର୍ବାଚିତ ପ୍ରତିନିଧି ଓ କାର୍ଯ୍ୟକର୍ତାଙ୍କୁ ଟ୍ୱିଟ୍ ଜରିଆରେ ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ଯେ ଓଡ଼ିଶାର ୬୩ ଲକ୍ଷ ୨୩ ହଜାର ୭୪୬ ଭୋଟର ତଥା ମୋଟ୍ ୩୦.୦୭ ପ୍ରତିଶତ ମତଦାତା ଆମ ଦଳକୁ ସେମାନଙ୍କର ସମର୍ଥନ ଜଣାଇଥିବାରୁ କୃତଜ୍ଞତା ଜ୍ଞାପନ କରୁଛି । ନିର୍ବାଚନ ଗଣତନ୍ତ୍ରରେ ଏକ ନିରନ୍ତର ପ୍ରକ୍ରିୟା । ଆମ ଦଳର ତୃଣମୂଳ ସ୍ତରର କାର୍ଯ୍ୟକର୍ତାମାନେ କଠିନ ପରିଶ୍ରମ କରିଥିବାରୁ ସେମାନଙ୍କୁ ଧନ୍ୟବାଦ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୀଙ୍କ ପୂର୍ବ ଭାରତକୁ ଗୁରୁତ୍ୱ ତଥା ଗରିବ କଲ୍ୟାଣ ଯୋଜନାର ସର୍ବାଧିକ ଲାଭ ଓଡ଼ିଶାକୁ ଆସୁଛି । ଆମେ ଆମର ସଂଗଠନକୁ ସୁଦୃଢ଼ କରିବା ସହ “ସବକା ସାଥ-ସବକା ବିକାଶ”କୁ ମୂଳମନ୍ତ୍ର କରିଥିବା ମୋଦି ସରକାରଙ୍କ ଜନକଲ୍ୟାଣକାରୀ କାର୍ଯ୍ୟକୁ ଲୋକଙ୍କ ପାଖକୁ ନେବା ପାଇଁ ଅଧିକରୁ ଅଧିକ ପରିଶ୍ରମ କରିବୁ ବୋଲି କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରିଛନ୍ତି ।