ପଂଚାୟତ ପ୍ରିମିୟର ଲିଗ : ନବୀନ କେବଳ,ବିରୋଧୀ ଦୁର୍ବଳ
ଟିମ ନବୀନର ଧୁଆଁଧାର ବ୍ୟାଟିଂରେ ନିଷ୍ପ୍ରଭ ବିରୋଧୀ
ବିଜେପି ୪୨, କଂଗ୍ରେସ ୩୭ , ସ୍ୱାଧୀନ ୩ ଆଉ ଅନ୍ୟ ୪
ଭୁବନେଶ୍ୱର : ପଂଚାୟତ ପ୍ରିମିୟର ଲିଗ ରେ ବାଜି ମାରିନେଇଛି ବିଜେଡି | ଭୋଟର ପରିଣାମ ପ୍ରମାଣିତ କରିଦେଇଛି ଯେ ନବୀନ କେବଳ ବା ଓନଲି ନବୀନ | ଛିନଛତ୍ର ହୋଇଯାଇଛି ବିରୋଧୀଙ୍କ ଗଡ଼ | ଲୋକଙ୍କ ମନ କିଣିବା ହେଉ ବା ସଫଳ ଭୋଟ ପରିଚାଳନା ହେଉ, ପୁଣି ବାଜିଗର ପ୍ରମାଣିତ ଶଙ୍ଖପତି | ପୂର୍ବରୁ ପଶ୍ଚିମ , ଉତ୍ତରରୁ ଦକ୍ଷିଣ.. ସବୁଠି ଶଙ୍ଖଧ୍ୱନି | ଟିମ ନବୀନର ଧୂଆଁଧାର ଖେଳରେ ମୈଦାନରେ ଝାଳନାଳ ବିରୋଧୀ | ୩୦ ଜିଲ୍ଲାରୁ ୩୦ ଜିଲ୍ଲାରେ ଜିଲ୍ଲାପରିଷଦ ଗଠନ କରିବାକୁ ଯାଉଛି ବିଜେଡି | ୨୦୧୭ ନିର୍ବାଚନ ପରେ ବିଜେପି ଗଡ଼ ବୋଲି କୁହାଯାଉଥିବା ଜିଲ୍ଲାଗୁଡିକରେ ବିଜେପି ଧରାଶାୟୀ | ୨୦୧୭ ପଂଚାୟତ ନିର୍ବାଚନରେ ହଠାତ ଦ୍ଵିତୀୟ ସ୍ଥାନକୁ ଉଠିଯାଇଥିବା ବିଜେପି ଏଥର ଭୂଇଁ ଚାଟିଛି | ତୃତୀୟ ସ୍ଥାନକୁ ପେଲି ହୋଇଯାଇଥବା କଂଗ୍ରେସ ତାର ଅସ୍ତିତ୍ବ ସାଉଣ୍ଟୁଚି | ରାଜ୍ୟରେ ମୋଟ ୮୫୩ ଜୋନ ମଧ୍ୟରୁ ଗୋଟିଏ ଆସନରେ ନିର୍ବାଚନ ବନ୍ଦ ରହିଥିବା ବେଳେ ଗୋଟିଏ ସ୍ଥାନରେ ବିଜେଡିର ଜଣେ ପ୍ରାର୍ଥୀ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିଲେ | ନିର୍ବାଚନ ହୋଇଥିବା ୮୫୧ ଜୋନରୁ ୭୬୫ ଟି ସ୍ଥାନରେ ବିଜେଡି ଜିତିଥିବା ବେଳେ ନିର୍ଦ୍ବନ୍ଦ୍ବରେ ଜିତିଥିବା ଗୋଟେ ଜୋନକୁ ମିଶାଇ ୭୬୬ ଜୋନ ହାତେଇ ବିଜେଡି ତା ଦବଦବା ଜାହିର କରିଥିବା ବେଳେ ବିଜେପି ୪୨, କଂଗ୍ରେସ ୩୭ , ସ୍ୱାଧୀନ ୩ ଆଉ ଅନ୍ୟ ୪ ଲେଖାଏ ଆସନ ହାତେଇଛନ୍ତି |
୩୦ ଜିଲ୍ଲାର ୩୧୪ ବ୍ଲକ ଅନ୍ତର୍ଗତ ୮୫୧ ଜୋନ ପାଇଁ ହୋଇଥିବା ମତଦାନରେ ମୋଟ ୨, ୧୦, ୨୮,୪୦୩ ବୈଧ ଭୋଟ ପଡିଥିଲା । ତନ୍ମଧ୍ୟରୁ ବିଜେଡି ୧, ୧୦, ୮୯, ୭୧୨ ଭୋଟ ପାଇଥିବା ବେଳେ ବିଜେପି ୬୩,୨୩,୭୪୬ । କଂଗ୍ରେସ ଭାଗରେ ପଡିଛି ୨୮, ୫୪, ୩୯୮ । ସ୍ୱାଧୀନ ପ୍ରାର୍ଥୀ ୨, ୮୧, ୨୧୩ ଭୋଟ ପାଇଥିବା ବେଳେ ଅନ୍ୟ ଦଳ ଭାଗକୁ ଯାଇଛି ୪, ୭୯, ୩୩୪ ଭୋଟ ।