ହେଡଲାଇନସ୍:

ବିଜ୍ଞାନ ସର୍ବତ୍ର ପୂଜ୍ୟତେ ସପ୍ତାହବ୍ୟାପୀ ବିଜ୍ଞାନ ମହୋତ୍ସବ ଉଦ୍‍ଯାପିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର : କିଟ୍‍ ଇଣ୍ଟରନ୍ୟାସନାଲ୍‍ ସ୍କୁଲରେ ଗତ ୨୨ତାରିଖରୁ ଚାଲିଥିବା ‘ବିଜ୍ଞାନ ସର୍ବତ୍ର ପୂଜ୍ୟତେ’ ସପ୍ତାହବ୍ୟାପୀ ବିଜ୍ଞାନ ମହୋତ୍ସବ ଓ ପ୍ରଦର୍ଶନୀ ସୋମବାର ଉଦ୍‍ଯାପିତ ହୋଇଛି । ସ୍ୱାଧିନତାର ୭୫ବର୍ଷ ପୂର୍ତ୍ତି ଆଜାଦ୍‍ କି ଅମ୍ରିତ୍‍ ମହୋତ୍ସବ ପାଳନ ଅବସରରେ ଏହି ବିଜ୍ଞାନ ମହୋତ୍ସବ ଅନୁଷ୍ଠିତ ହୋଇଥିଲା । ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ, ଭାରତ ସରକାରଙ୍କ ପ୍ରମୁଖ ସାଇଣ୍ଟିଫିକ୍‍ ଅଫିସରଙ୍କ କାର୍ଯ୍ୟାଳୟ, ବିଜ୍ଞାନ ପ୍ରସାର, ଓଡ଼ିଶା ସରକାର ଏବଂ କିଟ୍‍ ବିଶ୍ୱବିଦ୍ୟାଳୟର ମିଳିତ ଆନୁକୁଲ୍ୟରେ ଏବଂ ଭାରତ ସରକାରଙ୍କ ଡ଼ିଏସ୍‍ପି, ଡ଼ିବିଟି, ସିଏସ୍‍ଆଇଆର୍‍, ଏମ୍‍ଓଇଏସ୍‍, ଡ଼ିଏଇ, ଡ଼ିଓଏସ୍‍, ଆଇସିଏମ୍‍ଆର୍‍, ଏଆଇସିଟିଇ ଏବଂ ଡ଼ିଆର୍‍ଡ଼ିଓ ସହଯୋଗରେ ଏହି ମହୋତ୍ସବ ଆୟୋଜିତ ହୋଇଥିଲା । ଏହା ଛଡ଼ା ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ବୈଷୟିକ ବିଭାଗ, ଓଡ଼ିଶା ବିଜ୍ଞାନ ଏକାଡ଼େମୀ, ଭୁବନେଶ୍ୱର ସିଟି ନଲେଜ୍‍ ଇନୋଭେସନ କ୍ଲଷ୍ଟର ଏବଂ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ମଧ୍ୟ ଏହି ବିଜ୍ଞାନ ମହୋତ୍ସବ ଓ ପ୍ରଦର୍ଶନୀ ଆୟୋଜନରେ ସହଯୋଗ କରିଥିଲେ । ଆଜି ଅନୁଷ୍ଠିତ ଉଦ୍‍ଯାପନୀ ଉତ୍ସବରେ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଫିଜିକ୍ସ୍‍ର ନିର୍ଦ୍ଦେଶକ ଡ଼. କେ କେ ନନ୍ଦ, ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ବୈଷୟିକ ବିଭାଗର ବରିଷ୍ଠ ବୈଜ୍ଞାନିକ ଲକ୍ଷ୍ମୀନାରାୟଣ ପାଢୀ, ସିପେଟ୍‍ର ମୁଖ୍ୟ ପରିଚାଳକ ଡ଼. ପି ସି ପାଢୀ, ଚାନ୍ଦିପୁରସ୍ଥିତ ଆଇଟିଆରର ସଂଯୋଜକ ଡ଼. ଏସ୍‍ ହାଜରା, ଓଡ଼ିଶା ବିଜ୍ଞାନ ଏକାଡ଼େମୀର ସଭାପତି ଡ଼. ବିଭୂତିଭୂଷଣ ମିଶ୍ର, କିଟ୍‍ ବିଶ୍ୱବିଦ୍ୟାଳୟର ଆର୍‍ ଆଣ୍ଡ୍‍ ଡ଼ିର ମହାନିର୍ଦ୍ଦେଶକ ଡ଼. ମୃତ୍ୟୁଞ୍ଜୟ ସୁଆର ପ୍ରମୁଖ ଅତିଥିଭାବେ ଯୋଗଦେଇଥିଲେ । ଅତିଥିମାନେ ବିଜ୍ଞାନ ଓ ବୈଷୟିକ ଜ୍ଞାନ କ୍ଷେତ୍ରରେ ଭାରତର ସଫଳତା ଏବଂ ବିଜ୍ଞାନକୁ ଛାତ୍ରଛାତ୍ରୀ ଏବଂ ଗବେଷକଙ୍କ ମଧ୍ୟରେ ଲୋକପ୍ରିୟ କରାଇବା ପାଇଁ ଓଡ଼ିଶା ସରକାରଙ୍କ ବିଭିନ୍ନ କାର୍ଯ୍ୟାବଳୀ ସମ୍ପର୍କରେ ଆଲୋକପାତ କରିଥିଲେ । ସପ୍ତାହବ୍ୟାପୀ ଚାଲିଥିବା ଏହି ପ୍ରଦର୍ଶନୀ ଓ ବିଜ୍ଞାନ ମହୋତ୍ସବରେ ଓଡ଼ିଶାର ବିଭିନ୍ନ ସ୍କୁଲ୍‍ର ୧୫ହଜାରରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।

ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଜ୍ଞାନ ସମ୍ପର୍କିତ ରଚନା ଲିଖନ, ଗୀତ, ତର୍କ, ନାଟକ ଏବଂ ପୋଷ୍ଟର ତିଆରି ପ୍ରତିଯୋଗିତା ଅନୁଷ୍ଠିତ ହେବା ସହ ଉଦ୍‍ଯାପନୀ ଉତ୍ସବରେ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ମହୋତ୍ସବରେ ଗବେଷକ, ବୈଜ୍ଞାନିକ ଓ ଟେକନୋକ୍ରାଟ୍‍ ପ୍ରମୁଖ ଯୋଗଦେଇ ବିଭିନ୍ନ ବିଷୟ ଉପରେ ବକ୍ତୃତା ପ୍ରଦାନ କରିବା ସହ ପ୍ୟାନେଲ୍‍ ଆଲୋଚନାରେ ଭାଗ ନେଇଥିଲେ । ଏହି ଅବସରରେ ଆୟୋଜିତ ପ୍ରଦର୍ଶନୀରେ ସିଏସ୍‍ଆଇଆର୍‍ - ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ମିନେରାଲ୍‍ ଆଣ୍ଡ୍‍ ମେଟିରିଆଲ୍‍ ଟେକ୍‍ନୋଲୋଜି, ଜୀବବିଜ୍ଞାନ ପ୍ରତିଷ୍ଠାନ, ଓଡ଼ିଶା ସ୍ପେସ୍‍ ଆପ୍ଲିକେସନ ସେଣ୍ଟର, ନ୍ୟାସନାଲ୍‍ ଇନୋଭେସନ୍‍ ଫାଉଣ୍ଡେସନ୍‍, ଓଡ଼ିଶା ବିଜ୍ଞାନ ଏକାଡ଼େମୀ, କିଟ୍‍ ବିଶ୍ୱବିଦ୍ୟାଳୟ, ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ମାଥ୍‍ମେଟିକ୍‍ସ୍‍ ଆଣ୍ଡ୍‍ ଆପ୍ଲିକେସନ୍‍, ଚାନ୍ଦିପୁରସ୍ଥିତ ଡ଼ିଆର୍‍ଡ଼ିଓ - ଆଇଟିଆର, ଇସ୍ରୋ ଏବଂ ସ୍ରୋଷ୍ଟି ଆଦି ଭାଗ ନେଇଥିଲେ । ଡ଼ିଆର୍‍ଡ଼ିଓ - ଆଇଟିଆର ପକ୍ଷରୁ ପ୍ରଦର୍ଶିତ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଅର୍ଜୁନ୍‍ ଟ୍ୟାଙ୍କ୍‍, ଆରଟିଲାରୀ ଗନ୍‍, ମୋରର୍ଟାସ୍‍ ଏବଂ ବିଭିନ୍ନ କ୍ଷେପଣାସ୍ତ୍ରର ମଡ଼େଲ୍‍ ଏବଂ ଇସ୍ରୋ ପକ୍ଷରୁ ପ୍ରଦର୍ଶିତ ମହାକାଶଯାନ ଏବଂ ବିଭିନ୍ନ ଉପଗ୍ରହର ମଡ଼େଲ ଛାତ୍ରଛାତ୍ରୀଙ୍କୁ ବେଶ୍‍ ଆକୃଷ୍ଟ କରିଥିଲା ।

0
0
0
s2sdefault