-
ପଂଚାୟତ ପ୍ରିମିୟର ଲିଗ : ଟିମ ନବୀନର ଧୁଆଁଧାର ବ୍ୟାଟିଂ ଜାରି, ନିସ୍ତେଜ ବିରୋଧୀ
-
ପ୍ରତିପକ୍ଷ ବୋଲିଂ ଓ ଫିଲଡିଂ ଛିନଛତ୍ର, ଘୋଷିତ ୩୧୪ ଆସନରୁ ବିଜେଡି ହାତେଇଲା ୨୮୧
-
୧୫ଟିରେ ବିଜେପି ଏବଂ କଂଗ୍ରେସ ଜିତିଲା ୧୪ ଜୋନରେ
ଭୁବନେଶ୍ୱର : ଟିମ ନବୀନ ନିଦ ହଜାଇଦେଇଛି ପ୍ରତିପକ୍ଷର | ଟିମ ନବୀନର ଧୂଆଁଧାର ବ୍ୟାଟିଂ ଆଗରେ ନିସ୍ତେଜ ଆଉ ଧରାଶାୟୀ ହୋଇଯାଇଛି ପ୍ରତିପକ୍ଷଙ୍କ ବୋଲିଂ ଆଉ ଫିଲଡିଂ | ପଂଚାୟତ ପ୍ରିମିୟର ଲିଗ (ପିପିଏଲ) ପ୍ରଥମ ଦିନର ଫଳାଫଳ ଏକ ତରଫ ଯାଇଛି ଟିମ ନବୀନ ସପକ୍ଷରେ | ପାସଂଗ ପଡୁନାହାନ୍ତି ବିରୋଧୀ | ଶଙ୍ଖ ଧ୍ୱନିରେ ଉଛୁଳୁଛି ମୈଦାନ | ଦ୍ଵିତୀୟ ଦିନ ଗଣତିରେ ବି ଅନୁରୂପ ସ୍ଥିତି | ପଂଚାୟତିରାଜ ନିର୍ବାଚନର ପ୍ରଥମ ଦିନର ଭୋଟ ଗଣତି ଚୂଡାନ୍ତ ଫଳ ଆସି ଯାଇଥିବା ବେଳେ ବିଜେଡି ଏକ ତରଫ ବିଜୟ ଲାଭ କରି ବିରୋଧୀଙ୍କ ଧଯିଆ ଉଡାଇ ଦେଇଛି | ଗତକାଲି ଗଣତି ହୋଇଥିବା ୩୧୫ ମଧ୍ୟରୁ ଖବର ପ୍ରସ୍ତୁତ ହେବ ବେଳକୁ ୩୧୪ ଜିଲ୍ଲା ପରିଷଦର ଫଳାଫଳ ଘୋଷିତ ହୋଇଛି। ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ମୁତାବକ ୩୧୪ (ନିଆଳିର ଗୋଟିଏ ଜୋନକୁ ଛାଡି) ଜୋନର ଫଳାଫଳ ଆସିଥିବା ବେଳେ ୨୮୧ ଆସନରେ ବିଜେଡି ବାଜିମାତ କରିଛି । ପ୍ରଥମ ଦିନର ଗଣତିରେ ବିଜେଡି ଆଗୁଆ ରହିଛି। ତଥ୍ୟ ମୁତାବକ, ୨୬୮ ଜୋନରେ ବିଜେଡି ବିଜୟ ହୋଇଛି । ୧୫ ଟି ଜୋନରେ ବିଜେପି ଜିତିଥିବା ବେଳେ କଂଗ୍ରେସ୧୪ଟିରେ ବିଜୟୀ ହୋଇଛି | ଦୁଇଟି ସ୍ଥାନରେ ସ୍ୱାଧୀନ ଓ ଅନ୍ୟ ଦଳକୁ ୨ ଟି ଜୋନ୍ ଯାଇଛି ।