ହେଡଲାଇନସ୍:

କାଳିଆପାଣିରେ ସଜା, ମଉନେ ମୌନି ରାଜା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭଗବାନଙ୍କ ଭାରୋସେ ଚାଲିଛି ଜୀବନ 

ଯାଜପୁର (ବ୍ୟୁରୋଚିଫ ଜୟଶଙ୍କର ଦାଶ, ସୁବାସ ନାୟକ ଏବଂ ସନାତନ ମହାନ୍ତଙ୍କ ରିପୋର୍ଟ)

ଖଣି ଖୋଳା ହେବ...କାରଖାନା ହେବ...ଲୋକଙ୍କ ବିକାଶ ହେବ...ଅଂଚଳ ହସି ଉଠିବ...ଦ୍ରୁତ  ଶିଳ୍ପାୟନ ଆଣିଦେବ ସେମାନଙ୍କ ମୁହଁରେ ହସ...ସେମାନେ ହସିବେ...ଆଉ ଓଡିଶା ବି ହସିବ | ଶିଳ୍ପ ହେଲା...ଖଣି ଖୋଳା ହେଲା... ହେଲେ.....!!!

ସେମାନଙ୍କ ବିକାଶ ହେଲାନି.....ଅଂଚଳ ହସିଲାନି....ସେମାନଙ୍କ ମୁହଁରେ ହସ ଫୁଟିଲାନି...ଓଡିଶା ହସିଲା କି ନାହିଁ ସେମାନଙ୍କୁ ଜଣ ନାହିଁ |" ଢ଼ୋଲ  ଖାଏ ପାହାର,,,ଆଉ ବଜେଇବା ଲୋକ ଖାଏ ପଇସା" ପରି ହୋଇଯାଇଛି ସେମାନଙ୍କ ଭାଗ୍ୟ | କତିପୟ ଶିଳ୍ପପତି ଖାଇଲେ  ପଇସା...ସେମାନଙ୍କ କୋଷ ବଢ଼ିଲା..ସେମାନେ ହସିଲେ.. ଆଉ ଅଞ୍ଚଳବାସୀଙ୍କୁ ଏମିତି ହସାଇଲେ ଯେ ସେମାନଙ୍କ ହସି ହସି ପେଟ ଦରଜ | ଭବିଷ୍ୟତ ଏତେ ବିକଶିତ ଯେ ଖାଲି ଆଖିରେ ନଦେଖିଲେ ବିଶ୍ୱାସ କରି ହେବନି | ସତରେ ଏଇମାନେ ତ ଶିଳ୍ପାୟନର ବ୍ରାଣ୍ଡ ଆମ୍ବାସଡର !!! 

କାହାଣୀ ବେଶୀ ବାଟର ନୁହେ | ଏଇ ଆମ କାଳିଆପାଣି ଅଂଚଳର | ଆଗରୁ ବ୍ରିଟିଶ ଅମଳରେ ଦେଶ ପ୍ରେମୀଙ୍କୁ କଳାପାଣି ସଜା ଦିଆ ଯାଉଥିଲା | ହେଲେ ଏବେ ଆମେ କହି ପାରିବ ଏ କାଳିଆପାଣି ଅଂଚଳରେ ଜୀବନ କୌଣସି ଗୁଣରେ ଯନ୍ତ୍ରଣାଠାରୁ କିଛି କମ ନୁହେଁ | ବ୍ରିଟିଶ ସରକାର ପରି ଆମ ସରକାର ସେମାନଙ୍କୁ ସେ ଅଂଚଳରେ ଛାଡିଦେଇଛନ୍ତି ସେମାନଙ୍କ ଭାଗ୍ୟ ଆଉ କର୍ମକୁ ଆଦରି ବଂଚିବା ପାଇଁ | ଭଗବାନ ଭାରୋସେ ଚାଲିଛି ଜୀବନ |

  ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ କ୍ରୋମାଇଟ୍ ଉତ୍ପାଦନ  କ୍ଷେତ୍ରରେ ବିଶ୍ୱରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ଏ ଯାହାର ଉତ୍ପାଦନ  ଭାରତର ସମୁଦାୟ କ୍ରୋମାଇଟ୍ ଧାତୁର ଶତକଡ଼ା ୯୭ ଭାଗ ଏହି ସୁକିନ୍ଦା ଅଞ୍ଚଳରୁ ଉତ୍ତୋଳନ କରାଯାଉଛି । କହିବାକୁ ଗଲେ ଭାରତର କ୍ରୋମ ଧାତୁର ସିଂହଭାଗ ଏହି ଅଞ୍ଚଳରୁ ଉତ୍ତୋଳନ କରାଯାଉଛି । ଏହା ଉପରେ ନିର୍ଭର କରି ସୁକିନ୍ଦା ଅଞ୍ଚଳର ୧୨ଟି ଶିଳ୍ପସଂସ୍ଥା ଯଥା ଓଡିଶା ଖଣି ନିଗମ,  ଟିସ୍କୋ, ତୈଳଙ୍ଗି, ଫେକର, ଇଡକଲ, ଏମ୍ଏମ୍ପିଏଲ୍, ବିସି ମହାନ୍ତି ଆଣ୍ଡ୍ ସନ୍, ଇଶା, ଜିନ୍ଦଲ ଆଦି ଦ୍ୱାରା କ୍ରୋମ ଉତ୍ତୋଳନ କରାଯାଉଛି । ଏହି ସମସ୍ତ ଖଣି ଓ ଶିଳ୍ପସଂସ୍ଥା ମାଲିକମାନେ ଖଣିଆଇନ୍, ଶିଳ୍ପଆଇନ୍, ପରିବେଶ ପ୍ରଦୂଷଣ ଆଇନ ଉଲ୍ଲଙ୍ଘନ କରି ଅଧିକ ଲାଭ ଆଶାରେ ଅଞ୍ଚଳର ପରିବେଶ ଓ ଜନଜୀବନ ନଷ୍ଟ କରୁଛନ୍ତି । ଯାହାକୁ ସହିବାକୁ ସ୍ଥାନୀୟ ବାସିନ୍ଦା ଏକ ପ୍ରକାର ବାଧ୍ୟ ହୋଇଛନ୍ତି । ତାଙ୍କ ପାଖରେ ଅନ୍ୟ କୌଣସି ବିକଳ୍ପ ନାହିଁ । ଏହି ଶିଳ୍ପସଂସ୍ଥାଗୁଡ଼ିକ ଯୋଗୁଁ ଅଞ୍ଚଳରେ ଅକାଳ ବାର୍ଦ୍ଧକ୍ୟ, ପ୍ରଦୂଷଣ ଜନିତ ରୋଗ ଆଦି ବ୍ୟାପୁଥିବାର ଲକ୍ଷ୍ୟ କରାଯାଇଛି । ସୁକିନ୍ଦା କ୍ରୋମ ଉପତ୍ୟକାରେ ମୁଖ୍ୟତଃ ଆଦିବାସୀ ସଂପ୍ରଦାୟ ଯଥା ମୁଣ୍ଡା, କୋହ୍ଲ, ଜୁଆଙ୍ଗ, ମାଙ୍କିଡିଆ, ସାନ୍ତାଳ ଆଦି କାହିଁ କେଉଁ କାଳରୁ ବସତି ସ୍ଥାପନ କରିଆସିଛନ୍ତି । ଏମାନଙ୍କର ଜୀବନଧାରଣର ମୂଳ ଉତ୍ସ ଜଙ୍ଗଲୀ ଝରଣା ପାଣି, ମୁକ୍ତାକାଶ ବାୟୁ ଓ ମୁଣ୍ଡ ଗୁଞ୍ଜିବା ପାଇଁ ଝାଟିମାଟି ଘରଟିଏ ।  ଏମାନଙ୍କ ଜୀବନ ଜୀବିକା ଓ ସ୍ୱାସ୍ଥ୍ୟ ଶିଳ୍ପସଂସ୍ଥା ଯୋଗୁଁ ବିଶେଷ ଭାବେ ପ୍ରଭାବିତ ହେଉଛି । ଉଦାହରଣ ସ୍ୱରୂପ ଟେଷ୍ଟି ମାଙ୍କିଡିଆ, ପିତା : ଶମ୍ଭୁ ମାଙ୍କିଡ଼ିଆ (କାଳିଆପାଣି ମାଙ୍କିଡ଼ିଆ ସାହି), ଆଶା ଦୁଲାଙ୍କ ପରି ଅନେକ ଲୋକ ବର୍ତ୍ତମାନ ଚର୍ମରୋଗରେ ପୀଡ଼ିତ । ଏହାର ମୁଖ୍ୟ କାରଣ ଦୂଷିତ ଜଳ ଓ ବାୟୁର ବ୍ୟବହାର । ଯୁବାବସ୍ଥାରେ ଅକାଳ ବାର୍ଦ୍ଧକ୍ୟ ମାଡ଼ିବସୁଛି । ଓପନ କାଷ୍ଟ ମାଇନ୍ସରୁ ନିର୍ଗତ ଜଳ (କ୍ରୋମିୟମ ମିଶା) ନିକଟସ୍ଥ ନଦୀ ଉପରେ ନିର୍ଭର କରୁଥିବା ୬୦ରୁ ଉର୍ଧ୍ଵ  ଗ୍ରାମବାସୀ ସ୍ନାନ ଓ ପାନୀୟ ଜଳ ଭାବେ ବ୍ୟବହାର କରି ରୋଗାକ୍ରାନ୍ତ ହେଉଛନ୍ତି । ଶ୍ୱାସଜନିତ ସମସ୍ୟା ଭୋଗ କରୁଛନ୍ତି ସ୍ଥାନୀୟ ବାସିନ୍ଦା । ସେମାନଙ୍କୁ ରୋଗ ହେଲେ ମୁଖ୍ୟତଃ ଚେରମୂଳି ଉପରେ ନିର୍ଭର କରିଥାନ୍ତି । ହେଲେ ବର୍ତ୍ତମାନ ଔଷଧୀୟ ବୃକ୍ଷ ଜଙ୍ଗଲରୁ ବିଲୁପ୍ତପ୍ରାୟ । ଅନ୍ୟପଟେ ଡାକ୍ତରଖାନା ଯିବାକୁ ସେମାନଙ୍କ ପାଖରେ ଅର୍ଥ ନାହିଁ । କେବଳ ଭଗବାନଙ୍କୁ ଭରସା କରି ଏମାନେ ବଞ୍ଚିଛନ୍ତି  । ଅଧିକାଂଶ ଲୋକ ଆଖି, ଚର୍ମ, ଶ୍ୱାସଜନିତ ରୋଗରେ ପୀଡ଼ିତ । ଏଠାକାର ଗମନାଗମନ କଥା ନ କହିବା ଭଲ । ସ୍ଥାନୀୟ ପ୍ରଶାସନ ସବୁ ସମସ୍ୟା ସମ୍ପର୍କରେ ଅବଗତ ଥାଇ ମଧ୍ୟ ଅଜଣା ରହୁଛନ୍ତି । ପ୍ରଦୂଷଣ ବିଭାଗ, ଜିଲ୍ଲା ପ୍ରଶାସନ, ସରକାର ଓ ଖଣିମାଲିକ ସ୍ଥାନୀୟ ଲୋକଙ୍କ ସମସ୍ୟା ପ୍ରତି ସତେ ଯେମିତି ଆଖି ବୁଜିଦେଇଛନ୍ତି । ଅନ୍ୟପକ୍ଷରେ ସ୍ଥାନୀୟ ବିଧାୟକ ଖଣିମାଲିକମାନଙ୍କୁ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରୁଥିବାରୁ ସାଧାରଣ ଜନତା କଷ୍ଟ ଭୋଗ କରୁଛନ୍ତି ବୋଲି ଅଭିଯୋଗ ହେଉଛି  । ମୁନାଫାଖୋର କମ୍ପାନୀ ତଥା ଖଣିମାଲିକମାନେ ପ୍ରଶାସନର ଛତ୍ରଛାୟା ତଳେ ରହି ସ୍ଥାନୀୟ ଲୋକଙ୍କ ଧନଜୀବନ ଓ ଜୀବିକାକୁ ଲୁଟି ଚାଲିଛନ୍ତି । ଜିଲ୍ଲା ପ୍ରଶାସନ, ସ୍ଥାନୀୟ ଜନପ୍ରତିନିଧି ଏ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।

ସୂଚନାଯୋଗ୍ୟ ଯେ ସରଜମିନ ଅନୁଧ୍ୟାନ କରିବା ପାଇଁ  ଶାସକ ପ୍ରଶାସକ ଟିମ୍ ସହିତ ସ୍ୱେଚ୍ଛାସେବୀ ଅନୁଷ୍ଠାନ  ଲାଇଫ୍ (ଦିଲ୍ଲୀ)ର ଧର୍ମେଶ ସାହା ଏବଂ ପିୟୁସି(ଭୁବନେଶ୍ୱର)ର ପ୍ରମୋଦିନୀ ପ୍ରଧାନ, କଂଙ୍କଣା ଦାସ, ଡ. ଆର୍ କେ ସିଂ ଏବଂ ସମାଜସେବୀ ଗୀତାଞ୍ଜଳି ମହାନ୍ତ, ଲମ୍ବୋଦର ମହାନ୍ତଙ୍କ ସହ ଯାଇଥିବା ବେଳେ ଦେଖିବାକୁ ମିକିଥିଲା ଏଇ ଦୟନୀୟ ଦୃଶ୍ୟ ।

0
0
0
s2sdefault