ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଆଦିବାସୀ ବହୁଳ ଗ୍ରାମାଞ୍ଚଳରେ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ "ଜନକଲ୍ୟାଣ ପ୍ରତିଷ୍ଠାନ" ମାଧ୍ୟମରେ ଓଡିଶା ଆଦିମ ଜନଜାତି ସଶକ୍ତିକରଣ ଓ ଜୀବିକା ଉନ୍ନତିକରଣ କାର୍ଯ୍ୟକ୍ରମ (ଓପିଲିପି) ଅନ୍ତର୍ଗତରେ ବିଭିନ୍ନ ବିକାଶମୂଳକ ଆୟପନ୍ଥା କାର୍ଯ୍ୟକ୍ରମ ସଫଳତାର ସହ ଆଗେଇ ଚାଲିଛି।
ଜନକଲ୍ୟାଣ ପ୍ରତିଷ୍ଠାନ ଜିଲ୍ଲାର ବିଭିନ୍ନ ପଞ୍ଚାୟତ ଅଞ୍ଚଳରେ ଦୀର୍ଘ ୩୦ ବର୍ଷ ଧରି ଶିକ୍ଷା , ସ୍ୱାସ୍ଥ୍ୟ ଓ ଜୀବିକା କ୍ଷେତ୍ରରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ କରି ଆସୁଥିବା ବେଳେ ଗତ ୨୦୧୭ ମସିହା ଜୁନ ମାସଠାରୁ "ଓଡିଶା ଆଦିମ ଜନଜାତି ସଶକ୍ତିକରଣ ଓ ଜୀବିକା ଉନ୍ନତିକରଣ" କାର୍ଯ୍ୟକ୍ରମ (ଓପିଲିପି) ପ୍ରକଳ୍ପ ହାତକୁ ନେଇ ପ୍ରତିଷ୍ଠାନର ମୁଖ୍ୟ ଶ୍ରୀ ଦୁର୍ଗା ମାଧବ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପ୍ରକଳ୍ପର ସଂଯୋଜିକା ବ୍ୟୁଟି କୁମାରୀ ଲୀମାଙ୍କ ଦଳୀୟ ନେତୃତ୍ୱରେ ସଫଳତାର ସହ ବିଭିନ୍ନ କାର୍ଯ୍ୟକ୍ରମ ଆଗେଇ ଚାଲିଛି।
ଗଜପତି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଗୁମ୍ମା ବ୍ଲକ ଅନ୍ତର୍ଗତ ଭୁବନି , ଅଜୟଗଡ଼ ଓ କୁଜାସିଂ ପଞ୍ଚାୟତ ଅଞ୍ଚଳର ୫୭ ଗୋଟି ଗ୍ରାମରେ ଓପିଲିପି ପ୍ରକଳ୍ପ ଅଧିନରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ଛାଲିଛି।
ଚାଲିଥିବା ସେହି ପ୍ରକଳ୍ପ କାର୍ଯ୍ୟକ୍ରମ ଗୁଡିକ ମଧ୍ୟରେ ମୁଖ୍ୟତଃ କୃଷି ଓ ଉଦ୍ୟାନର ବିକାଶ , ସ୍ୱୟଂ ସହାୟକ ଦଳ ଗଠନ କରି ତାକୁ ସୁଦୃଢ଼ କରିବା , ଏସ୍ ଏଚ୍ ଜି ମାଧ୍ୟମରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରିବା , ବିଭିନ୍ନ ପ୍ରକ୍ରିୟାକରଣ କାର୍ଯ୍ୟକ୍ରମ ସହ ପଶୁସମ୍ପଦ , ଗମନାଗମନ , ଗ୍ରାମ୍ୟ ଭିତ୍ତିଭୂମିର ବିକାଶ ଓ ବିଶୁଦ୍ଧ ପାନୀୟ ଜଳର ସୁବ୍ୟବସ୍ଥା କରିବା ପ୍ରଭୃତି କାର୍ଯ୍ୟକ୍ରମ ଅନ୍ୟତମ।
ଅନ୍ୟପକ୍ଷରେ , ପ୍ରକଳ୍ପ ଅଧିନସ୍ଥ ଚାଲିଥିବା ୬ ଗୋଟି ମୁଖ୍ୟ କାର୍ଯ୍ୟକ୍ରମ ମଧ୍ୟରୁ ଆୟ-ବୃଦ୍ଧି କାର୍ଯ୍ୟକ୍ରମ ହେଉଛି ଅନ୍ୟତମ । ଏହି କାର୍ଯ୍ୟକ୍ରମ , ଏସ୍ ଏଚ୍ ଜି ମାଧ୍ୟମରେ ଗ୍ରାମାଞ୍ଚଳରେ ରହିଥିବା ଅତି ଗରିବ ଲୋକ ମାନଙ୍କୁ ଆୟପନ୍ଥା ପାଇଁ ଆର୍ଥିକ ସହଯୋଗ ଯୋଗାଇ ଦିଆଯିବା ସହ ଶାରୀରିକ ଅକ୍ଷମ , ବିଧବା , ସ୍ୱାମୀ ପରିତ୍ୟକ୍ତା ମହିଳା ପ୍ରଭୃତି ହିତାଧିକାରୀ ଚିହ୍ନଟ କରି ଓପିଲିପି ପ୍ରକଳ୍ପ ଅଧୀନରେ ସହଯୋଗ ଯୋଗାଇ ଦିଆଯାଉଛି।
ଏହି କାର୍ଯ୍ୟକ୍ରମରେ ମୁଖ୍ୟତଃ ଛୋଟ କିରାନା ଦୋକାନ ଓ ମୋଟର ସାଇକଲ ମରାମତି ଗ୍ୟାରେଜ ୬ ଜଣଙ୍କୁ , କୁକୁଡ଼ା ପାଳନ ପାଇଁ ୩୭ ଜଣଙ୍କୁ , ବଢେଇ କାମପାଇଁ ୬ ଜଣଙ୍କୁ , ତାପି-ମିସ୍ତ୍ରୀ କାମପାଇଁ ୫ ଜଣଙ୍କୁ , ସିଲେଇ ମେସିନ ୯ ଜଣଙ୍କୁ , ବତକ ପାଳନ ପାଇଁ ୧୨ ଜଣଙ୍କୁ , ଜେରେକ୍ସ ମେସିନ ୪ ଜଣଙ୍କୁ , ସେଲୁନ ଦୋକାନ ପାଇଁ ୨ ଜଣଙ୍କୁ , ଛେଳି ଚାଷ ପାଇଁ ୧୭ ଜଣଙ୍କୁ ଏବଂ ଛତୁ ଚାଷ ପାଇଁ ୧୫ ଗୋଟି ଏସ୍ ଏଚ୍ ଜିଙ୍କୁ ଦିଆହୋଇଛି।
ଏହି ସମସ୍ତ କାର୍ଯ୍ୟକ୍ରମ , ହିତାଧିକାରୀ ମାନେ ନିଜେ ସଫଳତାତାର ସହ ଚାଲୁ ରଖିଥିବା ବେଳେ ସେଥି ମଧ୍ୟରୁ କୁକୁଡ଼ା ପାଳନ , କିରାନା ସଉଦା ଦୋକାନ , ମୋଟର ସାଇକଲ ଗ୍ୟାରେଜ ପ୍ରଭୃତି ଅତ୍ୟନ୍ତ ଲାଭଜନକ ବ୍ୟବସାୟ ଭାବେ ଚାଲିଛି।
ଅନ୍ୟପକ୍ଷରେ ବତକ ପାଳନ , ଜେରେକ୍ସ ଦୋକାନ , ସିଲେଇ ଓ ଛୋଟ ଜଳଖିଆ ହୋଟେଲ ପ୍ରଭୃତି ବ୍ୟବସାୟରେ ମଧ୍ୟ ହିତାଧିକାରୀ ମାନଙ୍କ ଦିନକୁ ଅନ୍ୟୁନ ୩୦୦ଟଙ୍କା ପର୍ଯ୍ୟନ୍ତ ଅଧିକ ଆୟ ହେଉଥିବା ଜଣାଯାଇଛି । ଏହି ଲାଭ ଆୟ ଟଙ୍କାରେ ହିତାଧିକାରୀ ମାନେ ସେମାନଙ୍କ ପାରିବାରର ଦୈନିକ ଗୁଜୁରାଣ ମେଣ୍ଟାଇ ପାରିବା ସହ ପିଲାମାନଙ୍କ ପାଠପଢ଼ା ଖର୍ଚ୍ଚ , ସ୍ୱାସ୍ଥ୍ୟଯତ୍ନ ଓ ଚାଷକାର୍ଯ୍ୟର ଉନ୍ନତି ମଧ୍ୟ ସହଜରେ କରିପାରୁଥିବା ଜଣାଯାଇଛି ।ମୁଖ୍ୟତଃ ଭାବେ ଗୁମ୍ମା ବ୍ଲକର ଅଜୟଗଡ଼ , ଭୁବନି ଓ କୁଜାସିଂ ପଞ୍ଚାୟତର ଆବାସିଙ୍ଗ , ସିନ୍ଦିବା , ଚାଙ୍ଗୁଡା , ଲୁହାରା , କୁଟାମ୍ବା , ତିତାସିଂ , ସିଂଡ଼ିବୁର , ଅଢେଇ , ବାରୁସିଂ , ଅଜୟଗଡ଼ , ଭୁବନି , ତୁରୁବୁଡା , କିଣ୍ଡାଙ୍ଗ , ପାପଡା , ତିଡାସିଂ , କୂଳପୁଟ , ଅମେଇସିଂ , ତରବୁଲ , ସୀତାପୁର , ଜଗନ୍ନାଥପୁର , ଜନ୍ତର , କୁଣ୍ଢେଇସିଂ , ଚାଙ୍ଗୁରୁଡା , ତାଲିମ୍ବା ଓ ତିବିସିଂ ପ୍ରଭୃତି ଗ୍ରାମର ହିତାଧିକାରୀ ମାନେ ଏହି ଓପିଲିପି ପ୍ରକଳ୍ପ କାର୍ଯ୍ୟକ୍ରମ ମାଧ୍ୟମରେ ବେଶ ଉପକୃତ ହେଉଥିବା ଜଣାଯାଇଛି ।
ରାଜ୍ୟ
"ଓପିଲିପି" ଅଧିନରେ ଜନକଲ୍ୟାଣ ପ୍ରତିଷ୍ଠାନ ଦ୍ୱାରା ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ
- Hits: 449