ହେଡଲାଇନସ୍:

ଭୋଟର ତାଲିକାରେ ତ୍ରୁଟି, ସେମଳା ପଞ୍ଚାୟତରେ ନିରପେକ୍ଷ ନିର୍ବାଚନ ନେଇ ପ୍ରଶ୍ନବାଚୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଉମରକୋଟ-/ଜିତେନ୍ଦ୍ର ମହାନ୍ତି: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନାମାଙ୍କନ ପାଇଁ ଆଜି ହେଉଛି ଶେଷ ତାରିଖ । ତେବେ ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଳକ ସେମଳା ପଞ୍ଚାୟତରେ ନିର୍ବାଚନ ନେଇ ଦେଖାଦେଇଛି ଅନିଶ୍ଚିତତା। ପଞ୍ଚାୟତର ୪ ନମ୍ଵର ୱାର୍ଡରେ ଭୋଟର ତାଲିକାରେ ଲୋକଙ୍କ ନାଁ ନଥିବା ଅଭିଯୋଗ ହୋଇଛି। ମାତ୍ର ୩ ଜଣଙ୍କ ନାଁ ଭୋଟର ତାଲିକାରେ ରହିଥିବା ବେଳେ ୪ ଶହରୁ ଊର୍ଦ୍ଧ୍ବ ଭୋଟରଙ୍କ ନାଁ ଭୋଟର ତାଲିକା ସଂଶୋଧନ ପରେ ତାଲିକାରୁ ବାଦ୍ ପଡିଥିବା ଜଣାପଡିଛି। ଯାହା ଫଳରେ ଅନେକ ଆଶାୟୀ ପ୍ରାର୍ଥୀ ନାମାଙ୍କନ ଦାଖଲରୁ ବଞ୍ଚିତ ହୋଇଛନ୍ତି। ତେଣୁ ଏହି ପଞ୍ଚାୟତରେ ନିର୍ବାଚନକୁ ସ୍ଥଗିତ ରଖିବାକୁ ୱାର୍ଡ ବାସୀ ଦାବି କରିଛନ୍ତି।

ସୂଚନା ପ୍ରକାରେ, ଉମରକୋଟ ବ୍ଲକ୍ ସେମଳା ପଞ୍ଚାୟତର ୪ ନମ୍ବର ୱାର୍ଡରେ ଭୋଟର ତାଲିକା ସଂଶୋଧନରେ ତ୍ରୁଟି ପରିଲକ୍ଷିତ ହୋଇଛି। ଯାହା ଫଳରେ ୪ ଶହରୁ ଉର୍ଦ୍ଧ୍ୱ ଭୋଟର ଚଳିତ ପଞ୍ଚାୟତ ନିର୍ବାଚନରେ ମତଦାନରୁ ବଞ୍ଚିତ ହେବେ। ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ଭୋଟର ତାଲିକା ସଂଶୋଧନ କରାଯାଇଥିଲା। ତେବେ ସଂଶୋଧନ ସମୟରେ ସେମଳା ପଞ୍ଚାୟତର ୪ ନମ୍ବର ୱାର୍ଡରେ ନୂତନ ଭାବେ ୩ ଜଣଙ୍କ ନାମ ଯୋଗ କରାଯାଇଥିବା ବେଳେ ପୂର୍ବରୁ ଭୋଟର ତାଲିକାରେ ନାଁ ଥିବା ୪ ଶହରୁ ଉର୍ଦ୍ଧ୍ବ ଭୋଟରଙ୍କୁ ଏଥିରୁ ତ୍ରୁଟିପୂର୍ଣ୍ଣ ଭାବେ ବାଦ ଦିଆଯାଇଛି। ଏହି ସ୍ଥାନରେ ଉମରକୋଟ ପୌରପାଳିକାର ୧୦ ନମ୍ଵର ୱାର୍ଡର ୪୩୬ ଜଣ ଭୋଟରଙ୍କ ନାମ ସାମିଲ କରାଯାଇଛି। ତେବେ ପଞ୍ଚାୟତର ୱାର୍ଡ଼ ନମ୍ଵର ୪ର କିଛି ଆଶାୟୀ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ ପାଇଁ ଯିବା ପରେ ସେମାନଙ୍କର ନାମ ଭୋଟର ତାଲିକାରେ ନଥିବା ଜାଣିବାକୁ ପାଇଥିଲେ। ଏହା ପରେ ଘଟଣା ଲୋକଲୋଚନଙ୍କୁ ଆସିଥିଲା। ଘଟଣା ଜଣାପଡିବା ପରେ ଆଶାୟୀ ପ୍ରାର୍ଥୀ ଏବଂ ଭୋଟର ତାଲିକାରୁ ବାଦ୍ ପଡିଥିବା ଭୋଟର ସେମଳା ପଞ୍ଚାୟତରେ ନିର୍ବାଚନ ସ୍ଥଗିତ ରଖିବା ପାଇଁ ଦାବି କରିଛନ୍ତି। ଏଥି ସହ ଏହି ତୃଟି ପାଇଁ ଦାୟୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ତେବେ ଏନେଇ ଉମରକୋଟ ବିଡିଓ ତଥା ନିର୍ବାଚନ ଅଧିକାରୀ ଏନେଇ ସେ ଗତକାଲି ଜାଣିବାକୁ ପାଇବା ପରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇଛନ୍ତି ଏବଂ ଜିଲ୍ଲାପାଳ ମଧ୍ୟ ରାଜ୍ୟ ନିର୍ବାଚନ କମିଶନଙ୍କୁ ଏ ବିଷୟରେ ଅବଗତ କରାଇଛନ୍ତି ବୋଲି କହିବା ସହ ନିର୍ବାଚନ କମିସନ ଯାହା ନିର୍ଦେଶ ଦେବେ ତଦନୁଯାୟୀ ଅନୁଯାୟୀ ଆଗାମୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି କହିଛନ୍ତି। ତେବେ କେଉଁ ପରିସ୍ଥିତିରେ ପ୍ରଶାସନ ପକ୍ଷରୁ ଏତେବଡ଼ ତ୍ରୁଟି ହେଲା ତାହାକୁ ନେଇ ସ୍ରୁଷ୍ଟି ହୋଇଛି ପ୍ରଶ୍ନବାଚୀ। ଏଥି ସହ ପଞ୍ଚାୟତ ନିର୍ବାଚନରେ ସ୍ଵଚ୍ଛତା ଓ ନିରପେକ୍ଷତା ନେଇ ସ୍ରୁଷ୍ଟି ହୋଇଛି ବିରାଟ ପ୍ରଶ୍ନବାଚୀ।

0
0
0
s2sdefault