ଭୁବନେଶ୍ୱର,: କରୋନା ମହାମାରୀ ଭଳି କଠିନ ସମୟରେ ଚଳିତ ବର୍ଷ କିଟ୍ରେ ରେକର୍ଡ଼ ପ୍ଲେସ୍ମେଣ୍ଟ୍ ହୋଇପାରିଛି । କିଟ୍ର ୨୦୨୨ ପାସ୍ ଆଉଟ ବ୍ୟାଚ୍ ପାଇଁ ଜୁଲାଇ ମାସରୁ ଆରମ୍ଭ ହୋଇଥିଲା । ୨୦୨୧ ଡିସେମ୍ବର ସୁଦ୍ଧା ୫୦ଟି ନୂଆ କମ୍ପାନୀ ସହ ୨୭୦ଟି କମ୍ପାନୀ କିଟ୍କୁ କ୍ୟାମ୍ପସ୍ ପ୍ଲେସ୍ମେଣ୍ଟ୍ ପାଇଁ ଆସିଥିଲେ । ୪୨ଶହରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ନିଯୁକ୍ତି ସୁଯୋଗ ପାଇ ସାରିଥିବାବେଳେ ସେମାନଙ୍କ ମଧ୍ୟରୁ ୧୨ଶହ ଛାତ୍ରଛାତ୍ରୀ ଏକାଧିକ ଏବଂ ୩ହଜାରରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଗୋଟିଏ ଲେଖାଏଁ ନିଯୁକ୍ତି ସୁଯୋଗ ପାଇବାରେ ସଫଳ ହୋଇଛନ୍ତି । ୧୫ଶହରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କୁ ବାର୍ଷିକ ହାରାହାରି ୮.୧୦ଲକ୍ଷ ଟଙ୍କା ପ୍ୟାକେଜ୍ରେ ବିଭିନ୍ନ ଡ୍ରିମ୍ କମ୍ପାନୀ ନିଯୁକ୍ତି ସୁଯୋଗ ଦେଇଛନ୍ତି । ସେହିପରି ୩୫ରୁ ଉର୍ଦ୍ଧ୍ୱ କମ୍ପାନୀ କିଟ୍ର ଛାତ୍ରଛାତ୍ରୀଙ୍କୁ ବାର୍ଷିକ ହାରାହାରି ୧୦ଲକ୍ଷ ଟଙ୍କା ବା ତଦୂର୍ଦ୍ଧ୍ୱ ପ୍ୟାକେଜ୍ରେ ନିଯୁକ୍ତି ସୁଯୋଗ ଦେଇଥିବାବେଳେ ୧୩୦ରୁ ଉର୍ଦ୍ଧ୍ୱ କମ୍ପାନୀ ବାର୍ଷିକ ହାରାହାରି ୫ଲକ୍ଷ ଟଙ୍କା ପ୍ୟାକେଜ୍ରେ ନିଯୁକ୍ତି ସୁଯୋଗ ଦେଇଛନ୍ତି । ବାର୍ଷିକ ସର୍ବାଧିକ ୫୨ଲକ୍ଷ ଟଙ୍କା ପ୍ୟାକେଜ୍ରେ କିଟ୍ର ୫ଜଣ ଛାତ୍ରଛାତ୍ରୀ ନିଯୁକ୍ତି ସୁଯୋଗ ପାଇଛନ୍ତି । ଚଳିତ ବର୍ଷ ହାରାହାରି ବାର୍ଷିକ ପ୍ୟାକେଜ୍ ୬.୦୫ଲକ୍ଷ ଟଙ୍କା ରହିଥିବାବେଳେ ଏହା ଗତ ବର୍ଷ ତୁଳନାରେ ୩୦ପ୍ରତିଶତ ଅଧିକ ବୋଲି କିଟ୍ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସସ୍ମିତା ସାମନ୍ତ ସୂଚନା ଦେଇଛନ୍ତି ।
କିଟ୍ ବିଶ୍ୱବିଦ୍ୟାଳୟ ହେଉଛି ଭାରତର ଏକମାତ୍ର ବିଶ୍ୱବିଦ୍ୟାଳୟ ବିଭିନ୍ନ ରାଷ୍ଟ୍ରାୟତ୍ତ ଓ ବହୁରାଷ୍ଟ୍ରୀୟ କମ୍ପାନୀ ସହ ସମନ୍ୱୟ ରକ୍ଷା କରି ଆସିଛି । ଫଳରେ ବହୁରାଷ୍ଟ୍ରୀୟ କମ୍ପାନୀ ହାଇରେଡିଅସ୍ କିଟ୍ ବିଶ୍ୱବିଦ୍ୟାଳୟ ପରିସରରେ ଏକ ଉଚ୍ଚମାନର ତାଲିମ୍ କେନ୍ଦ୍ର ପ୍ରତିଷ୍ଠା କରି ପ୍ରତିବର୍ଷ ୨ ହଜାରରୁ ଊର୍ଦ୍ଧ୍ୱ ପିଲାଙ୍କୁ ମାସିକ ୧୫ ହଜାର ଟଙ୍କା ମେଧାବୃତ୍ତିରେ ବର୍ଷିକିଆ ତାଲିମ୍ ପ୍ରଦାନ କରିଆସୁଛି । ଏହି ତାଲିମ ଅତି ଉଚ୍ଚମାନର ହୋଇଥିବାରୁ କିଟ୍ର ଅଧିକାଂଶ ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଷ୍ଠିତ କମ୍ପାନୀରେ ନିଯୁକ୍ତି ସୁଯୋଗ ପାଇପାରୁଛନ୍ତି । ଏହା ଛଡ଼ା ହାଇରେଡିଅସ୍ କମ୍ପାନୀ ମଧ୍ୟ ପ୍ରତିବର୍ଷ କିଟ୍ରୁ ୮ ଲକ୍ଷ ଟଙ୍କା ପ୍ୟାକେଜରେ ୮ଶହରୁ ୧ହଜାର ପିଲାଙ୍କୁ ନିଯୁକ୍ତି ସୁଯୋଗ ଦେଇଥାଏ ବୋଲି ଉପକୁଳପତି ପ୍ରଫେସର ଶରଣଜିତ ସିଂହ ପ୍ରକାଶ କରିଛନ୍ତି ।
କିଟ୍ ପ୍ରତିଷ୍ଠା ହେବାଠାରୁ ଏହାର ଛାତ୍ରଛାତ୍ରୀଙ୍କ ପାଇଁ ଆକର୍ଷଣୀୟ ପ୍ଲେସ୍ମେଣ୍ଟ ରହିଆସିଛି । ପ୍ରତି ବର୍ଷ ଛାତ୍ରଛାତ୍ରୀଙ୍କ ପ୍ଲେସ୍ମେଣ୍ଟ ଅତି ସଫଳତାର ସହ ହୋଇଆସୁଛି । ଇତି ମଧ୍ୟରେ ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ତାଲିମ୍ ପାଇଁ କିଟ୍ ବିଶ୍ୱବିଦ୍ୟାଳୟ ସମଗ୍ର ବିଶ୍ୱରେ ବେଶ ପରିଚିତି ଲାଭ କରିଛି । ଏହାକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ଅଧିକରୁ ଅଧିକ ବହୁରାଷ୍ଟ୍ରୀୟ କମ୍ପାନୀ କ୍ୟାମ୍ପସ୍ ପ୍ଲେସ୍ମେଣ୍ଟ ପାଇଁ କିଟ୍ ବିଶ୍ୱବିଦ୍ୟାଳୟକୁ ଆସୁଛନ୍ତି ।