- ଜେଏସଡବ୍ଲୁ ପ୍ରକଳ୍ପ ବିରୋଧରେ ଢ଼ିଙ୍କିଆ ଗାଁରେ ଆନ୍ଦୋଳନ
- ସେପଟେ କ୍ଷତିପୂରଣ ଆଶାରେ ବଢୁଛି ପାନବରଜ ସଂଖ୍ୟା
ଜଗତସିଂହପୁର ରିପୋର୍ଟର ସୁମନ୍ତ ଦାସ: ପାରାଦୀପ-ଜଗତସିଂହପୁର ଜିଲ୍ଲାର ଏରସମା ତହସିଲ ଅନ୍ତର୍ଗତ ଢ଼ିଙ୍କିଆ ନୂଆଗାଁ ଓ ଗଡ଼କୁଜଙ୍ଗ ପଞ୍ଚାୟତରେ ହେବାକୁ ଥିବା ପ୍ରସ୍ତାବିତ ଜେ ଏସ ଡ ବ୍ଲୁ ପ୍ରକଳ୍ପ ପାଇଁ ଲୋକଙ୍କ ସହମତି ବଢ଼ିବାରେ।ଗତ ମାସ ୨୨ ତାରିଖରୁ ଢ଼ିଙ୍କିଆ ପଞ୍ଚାୟତର ଗୋବିନ୍ଦପୁର ଗାଁରେ ପାନବରଜ ମାପଚୁପ ଓ ଭଙ୍ଗା କାର୍ଯ୍ୟ ଆରମ୍ଭ ହୋଇଥିଲା। ତାହା ଆଜି ପର୍ଯ୍ୟନ୍ତ ଜାରି ରହିଛି। ଆଜି ସ୍ଥାନୀୟ ତହସିଲଦାରଙ୍କ ନେତୃତ୍ୱରେ ସାତଟି ଟିମ୍ ଢ଼ିଙ୍କିଆ ପଞ୍ଚାୟତର ଚାରୋଟି ଗାଁରେ ଏହି କାର୍ଯ୍ୟକୁ ତ୍ବରାନ୍ବିତ କରିଥିଲେ। ତେବେ ଗତକାଲି ସୁଦ୍ଧା ଏହି ଢ଼ିଙ୍କିଆ ଚାରି ଦେଶରେ ୨୬୧ ଟି ପାନବରଜ ମାପଚୁପ କରାଯାଇଛି। ଢ଼ିଙ୍କିଆ ପଞ୍ଚାୟତରେ ଗତ ଜୁନ ମାସରେ ଯେଉଁ ସର୍ଭେ କରାଯାଇଥିଲା ସେହି ରିପୋର୍ଟ ଅନୁସାରେ ସମୁଦାୟ ଢ଼ିଙ୍କିଆ ପଞ୍ଚାୟତରେ ୬୦୯ ଟି ପାନବରଜ ଅନୁଧ୍ୟାନ କରାଯାଇ ଥିଲା। ସେଥିରେ ମାହାଳ ଗାଁରେ ସର୍ବାଧିକ ୩୨୭ ଟି ଓ ପାଟଣା ଗାଁରେ ୨୦୬ , ଗୋବିନ୍ଦପୁର ଗାଁରେ ୪୬ ଓ ଢ଼ିଙ୍କିଆ ଗାଁରେ ୩୦ ଟି ପାନବରଜ ରହିଛି। ସେଥି ମଧ୍ୟରୁ ଗତକାଲି ସୁଦ୍ଧା ୨୬୧ ଟି ପାନବରଜ ମାପଚୁପ କରାଯାଇଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି କି ସେହି ସମୟରେ ଢ଼ିଙ୍କିଆ ଗାଁରେ ୩୦ ଟି ପାନବରଜ ସର୍ଭେ କରାଯାଇଥିଲା।ମାତ ଗତକାଲି ସୁଦ୍ଧା ଏହି ଢ଼ିଙ୍କିଆ ଗାଁରେ ୪୩ ଟି ପାନବରଜ ମାପଚୁପ କରାଯାଇଛି। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ଗୋଟିଏ ପଟେ କମ୍ପାନୀ ବୀରୋଧରେ ଆନ୍ଦୋଳନ ଜାରି ରଖିଥିବା ବେଳେ ଏପଟେ ଲୁଚିଛପି ନୁଆ ବରଜ ନିର୍ମାଣ କରି ଚାଲିଛନ୍ତି। କେବଳ ଢ଼ିଙ୍କିଆ ନୁହେଁ ଅନ୍ୟ ଗାଁରେ ମଧ୍ୟ ଏହି କାର୍ଯ୍ୟ କରାଯାଉଛି। ଆଜି ସୁଦ୍ଧା ସମୁଦାୟ ୬୩ ଜଣ ହିତାଧିକାରୀଙ୍କୁ ୧ କୋଟି ୬୪ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା କ୍ଷତିପୂରଣ ବାବଦକୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।
ଅପରପକ୍ଷରେ ସ୍ଥାନୀୟ ଏରସମା ତହସିଲଦାର ଚୈଧୁରୀ ପ୍ରଞ୍ଜାନନ୍ଦ ଦାସ ଙ୍କ ନେତୃତ୍ବରେ ଛ ଟି ଟିମ୍ ପାନବରଜ ମାପଚୁପ ଓ ଭଙ୍ଗା କାର୍ଯ୍ୟ ସହିତ ହିତାଧିକାରୀଙ୍କ ଆବଶ୍ୟକ ପ୍ରମାଣ ପତ୍ର ଓ ଦସ୍ତଖତ ସଂଗ୍ରହ କରୁଛନ୍ତି। କମ୍ପାନୀ ପ୍ରତିଷ୍ଠା ହେବା ନେଇ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଭିତିରି ସମର୍ଥନ ରହିଥିବାରୁ କମ୍ପାନୀ ଠାରୁ ଅଧିକ କ୍ଷତିପୂରଣ ପାଇବା ପାଇଁ ରାତାରାତି ବରଜ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଗତକାଲି ଆନ୍ଦୋଳନ କାରୀ ମାନେ ଶୋଭାଯାତ୍ରା କରି ଜେ ଏସ ଡ ବ୍ଲୁ ପ୍ରକଳ୍ପ ର ଅସ୍ଥାୟୀ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ସ୍ଥାନୀୟ ପ୍ରଶାସନ ସହିତ ଏକ ପ୍ରତନିଧି ଦଳ ଆଲୋଚନା କରି ଫେରି ଯାଇଥିଲେ। ତେବେ ସେମାନଙ୍କ ଦାବି ସମ୍ପର୍କରେ ଆଲୋଚନା ପାଇଁ ପ୍ରଶାସନର ଦ୍ବାର ସବୁବେଳେ ଖୋଲା ରହିଛି ବୋଲି କୁହାଯାଉଥିଲା। ଲୋକ ମାନଙ୍କ ସହିତ ଆଲୋଚନା କରାଯାଇ ସେମାନଙ୍କ ସହମତିରେ ପାନବରଜ ଭଙ୍ଗା ଯାଉଥିବା ବେଳେ ପରୋକ୍ଷରେ କମ୍ପାନୀର କାର୍ଯ୍ୟରେ ଅଗ୍ରଗତି ହେଉଥିବାର ଲକ୍ଷ୍ୟ କରାଯାଉଛି।