ହେଡଲାଇନସ୍:

୨୦୨୧ ବର୍ଷରେ ଜଳସମ୍ପଦ ବିଭାଗର ସଫଳତା ଉଲ୍ଲେଖନୀୟ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର (ଶାସକ ପ୍ରଶାସକ): ୨୦୨୧ ବର୍ଷରେ ରାଜ୍ୟ ଜଳସମ୍ପଦ ବିଭାଗର ସଫଳତା ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ରହିଥିବା ଜଣାଯାଇଛି । ତନ୍ମଧ୍ୟରେ ରହିଛି ଉପର ଇନ୍ଦ୍ରାବତୀ ଲିଫ୍ଟ କେନାଲ ସିଷ୍ଟମ ଏବଂ ଲୋୟର ଇନ୍ଦ୍ରା ବୃହତ୍ ଜଳସେଚନ ପ୍ରକଳ୍ପ । ଏହି ପ୍ରକଳ୍ପ ଦ୍ୱୟ ଦ୍ୱାରା ଯଥାକ୍ରମେ ୨୫ ହଜାର ୨୭୫ ହେକ୍ଟର ଓ ୨୯ ହଜାର ୮୯୦୦ ହେକ୍ଟର ଜମିକୁ ଜଳସେଚନ ସୁବିଧା କରାଯାଇପାରିଛି ।
ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅନ୍ତଃନଦୀ ଜଳାଶୟ ନିର୍ମାଣ ବିଭିନ୍ନ ପର୍ଯ୍ୟାୟରେ ପହଁଚିଛି । ନଦୀ ତଟ ଶ୍ରୋତ ପ୍ରତିକୂଳ ପାଶ୍ୱର୍ରେ ଥିବା ଏହି ବୃହତ୍ ଜଳାଶୟ ପ୍ରକଳ୍ପଗୁଡିକ ଦ୍ୱାରା ପାନୀୟ ଜଳ ସୁବିଧା, ଭୂତଳ ଜଳ ଭରଣ, ପରିସଂସ୍ଥାର ସନ୍ତୁଳନ ଓ ଜଳବାୟୁ ସହନଶୀଳ ହୋଇପାରିବ ।
କେନ୍ଦ୍ରୀୟ ଭୂତଳ ଜଳ ସହଭାଗିତାରେ ଭୂତଳ ଜଳ ସଂପଦର ଆକଳନ -୨୦୨୦ ସଫଳତାର ସହ କରାଯାଇଛି । ଜଣାଯାଇଛି ଯେ, ରାଜ୍ୟରେ ଏପର୍ଯ୍ୟନ୍ତ ଜଳର ଅତିଶୟ ବ୍ୟବହାର କରାଯାଇନାହିଁ ବା ଅନ୍ୟ ପକ୍ଷରେ କହିବାକୁ ଗଲେ ରାଜ୍ୟରେ କୌଣସି ଗମ୍ଭୀରଜନକ ସ୍ଥିତିରେ ଥିବା ବ୍ଲକ ନାହିଁ । ରାଜ୍ୟର ଉନ୍ନୟନକୁ ଲକ୍ଷ୍ୟ ରଖି ବିଭିନ୍ନ ସ୍ଥାନରେ ଜଳର ଉପଯୋଗ ହୋଇଥିଲେ ମଧ୍ୟ ଭୂତଳ ଜଳର ସ୍ତର ସନ୍ତୋଷଜନକ ରହିଛି ।
ହଜାର ବର୍ଷରୁ ଉର୍ଧ୍ଵ କଟକ ସହର ଦେଇ ଯାଇଥିବା ତାଳ ଦଣ୍ଡା କେନାଲକୁ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗରେ ସିସିଜିଏମ୍ (ସିମେଣ୍ଟସ୍ କମ୍ପୋଜିଟ୍ ଜିଓ ସିନ୍ଥେଟିକ୍ ମ୍ୟାଟ୍ରେସ୍ ବ୍ୟବସ୍ଥାରେ ପୁନରୁଦ୍ଧାର କରାଯାଇଛି ।
ସେହିପରି ବୃହତ୍ ଓ ମଧ୍ୟମ ଜଳସେଚନ ବ୍ୟବସ୍ଥା ଦେଖିବାକୁ ଗଲେ ପ୍ରଥମ ଥର କରି ମୟୂରଭଞ୍ଜ ଜିଲ୍ଲା ଦେଓ ଜଳସେଚନ ବ୍ୟବସ୍ଥାରେ ଖରିଫ୍ ଜଳସେଚନ ପାଇଁ ୩୫୦୦ ହେକ୍ଟର ଚାଷ ଜମିକୁ ଜଳସେଚିତ କରାଯାଇଛି । ୨୦୨୨ ସୁଦ୍ଧା ଏହି ପ୍ରକଳ୍ପ ଶେଷ ହେବ ବୋଲି ଜଣାଯାଇଛି । ସେହିପରି ବରଗଡ ଜିଲ୍ଲା ଗଙ୍ଗାଧର ମେହେର ଉଠା ଜଳସେଚନ ପାଇଁ ନିର୍ମାଣ ଆରମ୍ଭ ପାଇଁ କାର୍ଯ୍ୟ ଚୂଡାନ୍ତ ପର୍ଯ୍ୟାୟରେ ପହଁଚିଛି । କାନପୁର ଜଳସେଚନ ପ୍ରକଳ୍ପ ଆରମ୍ଭ ହୋଇଛି ଓ ୨୦୨୩ ଡିସେମ୍ବର ସୁଦ୍ଧା ଏହା ଶେଷ ହେବ ବୋଲି ଆଶା କରାଯାଉଛି । ସେହିପରି ଲୋୟର ସୁକତେଲ ପ୍ରକଳ୍ପ ଆରମ୍ଭ ହୋଇଛି ଓ ୨୦୨୪ ସୁଦ୍ଧା ଏହା ଶେଷ ହେବ ବୋଲି ଲକ୍ଷ୍ୟ ରହିଛି । କଳାହାଣ୍ଡି ଜିଲ୍ଲାର ସାନ୍ଦୁଲ ଜଳସେଚନ ପ୍ରକଳ୍ପ କ୍ୟାବିନେଟ୍ ଦ୍ୱାରା ଅନୁମୋଦନ ଲାଭ କରିଛି । ମୟୂରଭଞ୍ଜ ଜିଲ୍ଲାର ସୋନୋ ପ୍ରକଳ୍ପ ଓ ବାଙ୍କତିରା ପ୍ରକଳ୍ପ ଖୁବ୍ ଶିଘ୍ର ଆରମ୍ଭ ହେବା ସ୍ଥିତିରେ ରହିଛି ।
ନିରନ୍ତର ତଥା ପୋଷଣୀୟ ଜଳସେଚନ ଲକ୍ଷ ରଖାଯାଇ ୧୧, ୬୧୮ ସୌର ଶକ୍ତି ମାଇକ୍ରୋ ରିଭର ଲିଫ୍ଟ ଜଳସେଚନ ସୁବିଧା ପାଇଁ ପ୍ରକଳ୍ପ ଅନୁମୋଦନ ଲାଭ କରିଛି । ଚଳିତ ବର୍ଷ ସବୁଠାରୁ ଅଧିକ ସଂଖ୍ୟକ ଗଭୀର ସେଚ କୂପ ଓ ଗୋଷ୍ଠୀ ଉଠାଜଳସେଚନ ପ୍ରକଳ୍ପ ସ୍ଥାପନ କରାଯାଇଛି ।
ଆଗାମୀ ୫ ବର୍ଷରେ ୧୦,୭୫୭. ୧୨ କୋଟି ଟଙ୍କା ବ୍ୟୟରେ ପର୍ଯ୍ୟାୟକ୍ରମେ ୧୭୦ଟି ନୂତନ ପାର୍ବତୀଗିରି ବୃହତ୍ ଉଠାଜଳସେଚନ ପ୍ରକଳ୍ପ ସ୍ଥାପନ ନିିମନ୍ତେ କ୍ୟାବିନେଟ୍ ଅନୁମୋଦନ ଲାଭ କରିଛି । ଯାହାଦ୍ୱାରା କି ୨ଲକ୍ଷ ୬୩ ହଜାର ୮୦୦ ହେକ୍ଟର ଅତିରିକ୍ତ ଜଳସେଚନ ସୁବିଧା ହୋଇପାରିବ । ୨୦୨୧ରେ ୧୮ଟି ବୃହତ୍ ଉଠାଜଳସେଚନ ପ୍ରକଳ୍ପ ନିର୍ମାଟଣ କରାଯାଇ ୨୪,୧୮୮ ହେକ୍ଟର ଜମିକୁ ଅତିରିକ୍ତ ଜଳସେଚନ ସୁବିଧା କରାଯାଇଛି । ମୋଟ ୧୨୯ ମେଗା ଲିଫ୍ଟ ସ୍କିମ୍ ସମ୍ପୂର୍ଣ୍ଣ କରାଯାଇ ୧ଲକ୍ଷ ୫୫ ହଜାର ୧୮୩ ହେକ୍ଟର ଜମିକୁ ଅତିରିକ୍ତ ଜଳସେଚନ ସୁବିଧା କରାଯାଇଛି ।
ଉପକୂଳ ଜିଲ୍ଲାରେ ନଷ୍ଟ ହୋଇଥିବା ବା ଉଚ୍ଚତା ବୃଦ୍ଧି ଓ ସୁଦୃଢୀକରଣ ଆବଶ୍ୟକତା କରୁଥିବା ଲୁଣି ବନ୍ଧ ପାଇଁ ପ୍ରକଳ୍ପ ପ୍ରସ୍ତୁତ ହୋଇଛି । ଚେନ୍ନାଇ ସ୍ଥିତ ନ୍ୟାସନାଲ ଓସେନ୍ ଟେକ୍ନୋଲୋଜି ପ୍ରତିଷ୍ଠାନ ସହ ଏଥି ନିମନ୍ତେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ବିଭାଗ ନିମନ୍ତେ ୩୮୬ ଜଣ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ଅନଲାଇନ୍ ମାଧ୍ୟମରେ ନିଯୁକ୍ତି ଦିଆଯାଇ ସେମାନଙ୍କୁ କାଉନସେଲିଂ,ଚଏସ୍ ଲକିଂ ଓ ଟ୍ରେନିଂ ପରେ ବିଭିନ୍ନ ଜିଲ୍ଲାରେ ଅବସ୍ଥାପିତ କରାଯାଇଛି ।

 

0
0
0
s2sdefault