ଭୁବନେଶ୍ୱର (ଶାସକ ପ୍ରଶାସକ):ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର ଆଜି ଅପରାହ୍ଣରେ ଭୁବନେଶ୍ୱର ସ୍ଥିତ ଆମ୍ରି ହସ୍ପିଟାଲ ପରିଦର୍ଶନ କରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସହାୟତାରେ ଚିକିତ୍ସିତ ହେଉଥିବା ହରଷ ବରାଡ, ଧୂରେନ୍ଦ୍ର ଲାଲ ସିଂହଦେଓ ଓ ନରସିଂହ ଦାସଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ । ଡାକ୍ତରଖାନାରେ ସେମାନେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଡାକ୍ତରୀ ପରିଚାଳନା ବ୍ୟବସ୍ଥାରେ ଚିକିତ୍ସିତ ହେଉଥିବା ଅବଗତ ହେବା ସହିତ ରୋଗୀମାନଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଯଥାକ୍ରମେ ମାନସ ରଂଜନ ପ୍ରଧାନ, ଡା. ସୁନିଲ କୁମାର ପାତ୍ର (ନ୍ୟୁରୋ ସର୍ଜନ), ଡା. ପ୍ରତାପ ବେହେରା(ଗ୍ୟାସ୍ଟ୍ରୋ ଏଣ୍ଟେରୋଲୋଜି)ଙ୍କ ସହିତ ରୋଗୀମାନଙ୍କର ସ୍ୱାସ୍ଥ୍ୟାବସ୍ଥା ଓ ଚିକିତ୍ସାର ଅଗ୍ରଗତି ସଂପର୍କରେ ଜିଲ୍ଲାପାଳ ଶ୍ରୀ ମହାପାତ୍ର ପଚାରି ବୁଝିଥିଲେ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ ହେଲ୍ଥ କାର୍ଡ ଜରିଆରେ ବିନା ଦେୟରେ ଆମ୍ରି ଭଳି ଏକ ଅତ୍ୟାଧୁନିକ ସୁବିଧା ଥିବା ଡାକ୍ତରଖାନାରେ ଚିକିତ୍ସିତ ହୋଇ ସେମାନେ ଆନନ୍ଦ ଲାଭ କରୁଛନ୍ତି ଓ ଶୀଘ୍ର ଭଲ ହେବାର ଆଶା କରୁଥିବା ସେମାନେ ଜିଲ୍ଲାପାଳଙ୍କ ନିକଟରେ ପ୍ରକାଶ କରିଥିଲେ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ଏଭଳି ସୁବିଧା କରିଥିବାରୁ ସେମାନଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଛନ୍ତି ।
ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଓ ବ୍ୟବସ୍ଥା ଅନୁସାରେ ପୁରୁଷ ରୋଗୀଙ୍କ କ୍ଷେତ୍ରରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଓ ମହିଳାମାନଙ୍କ କ୍ଷେତ୍ରରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ବିନା ଦେୟରେ ଏଭଳି ଡାକ୍ତରଖାନାରେ ଚିକିତ୍ସା ସୁବିଧା ରହିଥିବା ଜିଲ୍ଲାପାଳ ପ୍ରକାଶ କରିବା ସହିତ ଚିକିତ୍ସା ଜନିତ କୌଵାସୀ ଅସୁବିଧା ଅନୁଭବ କଲେ ସେମାନେ ଡାକ୍ତରଖାନାରେ ଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଡାକ୍ତରୀ ପରିଚାଳନା ବ୍ୟବସ୍ଥା ଏବଂ ଡାକ୍ତରଖାନା କର୍ତୃପକ୍ଷ ତଥା ଜିଲ୍ଲାପାଳଙ୍କୁ ଅବଗତ କରିବାକୁ ଶ୍ରୀ ମହାପାତ୍ର ସେମାନଙ୍କୁ କହିଥିଲେ ।