ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : କଂଗ୍ରେସ ସବୁବେଳେ ଲୋକଙ୍କ ସହିତ ରହିଆସିଛି , ଏବେବି ଅଛି ଓ ଭବିଷ୍ୟତରେ ମଧ୍ୟ ରହିଥିବ । ତେଣୁ ଆଗାମୀ ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଗଜପତି ଜିଲ୍ଲାରେ କଂଗ୍ରେସ ଜିଲ୍ଲା ପରିଷଦ ସମେତ ବହୁ ପଞ୍ଚାୟତ ସମିତି ଅଧ୍ୟକ୍ଷ ଆସନ ଅକ୍ତିଆର କରିବ ବୋଲି ଆଜି କଂଗ୍ରେସ ଦଳର ୧୩୭ ତମ ପ୍ରତିଷ୍ଠା ଦିବସ ସମାରୋହ କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ ସଭାପତି ତଥା ମୋହନା ବିଧାୟକ ଶ୍ରୀ ଦାଶରଥି ଗମାଙ୍ଗ ଏହା କହିଛନ୍ତି।
ଭାରତୀୟ ଜାତୀୟ କଂଗ୍ରେସର ୧୩୭ ତମ ପ୍ରତିଷ୍ଠା ଦିବସ ପାରଳାଖେମୁଣ୍ଡି ଠାରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ପାଳିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ପରିସରରେ କଂଗ୍ରେସ ପତାକାକୁ ଦଳର ବରିଷ୍ଠ ନେତା ଶ୍ରୀ ଜୟ ମୋହନ ରାଓଙ୍କ ଦ୍ଵାରା ଉତ୍ତୋଳନ କରାଯାଇଥିଲା।
ପରେ ପରିସରରେ ଥିବା ଜାତିର ପିତା ମହାତ୍ମାଗାନ୍ଧୀ ଓ କଂଗ୍ରେସ ଦଳର ପୁରୁଖା ନେତା ତଥା ପାରଳାର ପୂର୍ବତନ ବିଧାୟକ ସ୍ବର୍ଗତ ତ୍ରିନାଥ ସାହୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଭକ୍ତିପୂତ ଶ୍ରଦ୍ଧଞ୍ଜଳି ଜ୍ଞାପନ କରାଯାଇଥିଲା।
ପରେ ଶତାଧିକ ଦଳୀୟ ନେତା , କର୍ମୀ ଓ ସମର୍ଥକ ମାନେ ଏକ ବିରାଟ ଶୋଭାଯାତ୍ରରେ ବାହାରି ନଗର ପରିକ୍ରମା କରି ଜଙ୍ଗମ ସାହି ନିକଟସ୍ଥ ରାଧାରାଣୀ କଲ୍ୟାଣ ମଣ୍ଡପ ପରିସରରେ ଆୟୋଜିତ ସଭାସ୍ଥଳ ଠାରେ ପହଞ୍ଚିଥିଲେ।
ପ୍ରତିଷ୍ଠା ଦିବସ ପାଳନ ସମାରୋହ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲା କଂଗ୍ରେସ ସଭାପତି ତଥା ମୋହନା ବିଧାୟକ ଶ୍ରୀ ଦାଶରଥି ଗମାଙ୍ଗ ଅଧ୍ୟକ୍ଷତା କରି କହିଥିଲେ ଯେ , ରାଜ୍ୟରେ ଯେତେବେଳେ ଯାହା ହେଉ କଂଗ୍ରେସ ସବୁବେଳେ ଲୋକଙ୍କ ସହିତ ଅଛି । କଂଗ୍ରେସ ଦଳକୁ କିଏ ହେଲେ ଛାଡି ଚାଲିଗଲେ ମଧ୍ୟ ଏହାର କୌଣସି ଫରକ ପଡିବ ନାହିଁ । ଏହା ଏକ ମହାସମୁଦ୍ର ସଦୃଶ୍ୟ । ଏହା କେବେ ହେଲେ ଡୁବିବ ନାହିଁ।
ଆଗାମୀ ତ୍ରିସ୍ତରୀୟ ପଞ୍ଚୟତ ନିର୍ବାଚନରେ କଂଗ୍ରେସ ତାର ନୀତି , ଆଦର୍ଶ , ଶୃଙ୍ଖଳା , ପରମ୍ପରା ଓ ଅତୀତରେ କଂଗ୍ରେସ ଦଳର ସୁଶାସନ ସମୟରେ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମର ସୁଫଳ କିଭଳି ଲୋକଙ୍କ ପାଖରେ ପହଞ୍ଚି ପାରୁଥିଲା ସେହି ଆଭିମୁଖ୍ୟ ନେଇ କଂଗ୍ରେସ ଲୋକଙ୍କ ପାଖରେ ପହଞ୍ଚିବ।
ନିର୍ବାଚନ ସମୟରେ ବିରୋଧୀ ଦଳଙ୍କ ପାଖରେ ସମସ୍ତ ପ୍ରକାର କଳ ବଳ କୌଶଳ ଓ ଅର୍ଥ ରହିଥିଲେ ହେଁ କଂଗ୍ରେସ ପାଖରେ ସେସବୁ ନ ଥିଲେ ମଧ୍ୟ ଲୋକେ ଅଛନ୍ତି । ଲୋକେ ଅତୀତରେ କଂଗ୍ରେସକୁ ସାଥ ଦେଇଛନ୍ତି ଏବଂ ଏବେ ମଧ୍ୟ ଦେବେ।
ବର୍ତ୍ତମାନ ଦେଖାଯାଉଛି , ଯେ କଂଗ୍ରେସ ଦଳର ନୀତି ଓ ଆଦର୍ଶ ପ୍ରତି ଆକୃଷ୍ଟ ହୋଇ ବହୁ ବିଜେଡି ଓ ବିଜେପି ନେତା ଓ କର୍ମୀ ମାନେ ଦଳ ତ୍ୟାଗ କରି କଂଗ୍ରେସରେ ସାମିଲ ହେଉଛନ୍ତି ଏବଂ କଂଗ୍ରେସ ଦଳ ଦିନକୁ ଦିନ ଆହୁରି ଅଧିକ ସୁଦୃଢ ହେବାରେ ଲାଗିଛି।
ତେଣୁ ଆଗାମୀ ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ଜିଲ୍ଲା କମିଟି ଗଜପତି ଜିଲ୍ଲାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଆସନ ସମେତ ବହୁ ପଞ୍ଚାୟତ ସମିତି ଅଧ୍ୟକ୍ଷ ଆସନ ଅକ୍ତିଆର କରିବ ନିଶ୍ଚିତ । ଏଥି ସହିତ କଂଗ୍ରେସ ଦଳ ନିଶ୍ଚିତ ଭାବେ ଆଗାମୀ ଦିନରେ ଓଡ଼ିଶାରେ ଅନୁଷ୍ଠିତ ହେବାକୁ ଥିବା ସମସ୍ତ ନିର୍ବାଚନରେ ଅଧିକ ଆସନ ନେଇ ତଥା ସଂଖ୍ୟା ଗରିଷ୍ଠତା ହାସଲ କରି ଶାସନ କରିବ। ଅନ୍ୟପକ୍ଷରେ ଆଗାମୀ ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଜିଲ୍ଲା ସମସ୍ତ କଂଗ୍ରେସ ନେତା ଓ କର୍ମୀ ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାର ଲାଲ ନେହେରୁଙ୍କ ସମେତ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତା ଇନ୍ଦିରାଗାନ୍ଧୀ ଓ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ ଦେଶପ୍ରୀତି , ତ୍ୟାଗ ଓ ଆଦର୍ଶ ସମେତ କଂଗ୍ରେସ ଦଳର ନୀତି ଓ ଆଦର୍ଶର ଆଭିମୁଖ୍ୟକୁ ନେଇ ଗ୍ରାମାଞ୍ଚଳର ତୃଣମୂଳ ସ୍ତରରୁ ଆରମ୍ଭ କରି କିଭଳି ଲୋକଙ୍କ ଠାରେ ପହଞ୍ଚାଇ ସେମାନଙ୍କ ଆସ୍ଥାଭାଜନ ଏବଂ ନିର୍ବାଚନରେ କିଭଳି ଅଧିକ ସଂଖ୍ୟକ ଆସନ ଅକ୍ତିଆର କରିବାରେ ସହାୟକ ହେବେ , ସେ ସମ୍ପର୍କରେ ଉପସ୍ଥିତ ସମସ୍ତ ନେତା ଓ କର୍ମୀଙ୍କୁ ଆହ୍ବାନ କରିଥିଲେ ମୋହନା ବିଧାୟକ ଶ୍ରୀ ଦାଶରଥି ଗମାଙ୍ଗ।
ଏହି କାର୍ଯ୍ୟକ୍ରମ ସଭାରେ ଅନ୍ୟମାନଙ୍କ ମଧ୍ୟରେ ଦଳର ବରିଷ୍ଠ ନେତା ଶ୍ରୀ ଜୟମୋହନ ରାଓ , ପ୍ରଦେଶ କଂଗ୍ରେସ କମିଟି ସମ୍ପାଦକ ଶ୍ରୀ ସଞ୍ଜୟ ଅଧିକାରୀ , ଶ୍ରୀ ଅଭିମନ୍ୟୁ ପଣ୍ଡା , ଉପସଭାପତି ଶ୍ରୀ ବସନ୍ତ ପଣ୍ଡା , ଶ୍ରୀ ଗରୁଡ଼ ଧ୍ୱଜ ଚୌଧୁରୀ , ଯୁବ ସଭାପତି ଶ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର , ଶ୍ରୀ ରାମ ପ୍ରସାଦ ପଟ୍ଟନାୟକ , ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର , ଗୁମ୍ମା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଗୀତାଞ୍ଜଳି ଭୂୟାଁ , ଗୁମ୍ମା ବ୍ଲକ ସଭାପତି ଶ୍ରୀ ଲଳିତ ଦଣ୍ଡସେନା ଓ ନୂଆଗଡ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଗୁଡ଼ବାଇ ମଣ୍ଡଳ ପ୍ରମୁଖ ମଞ୍ଚାସୀନ ରହି ଉଦବୋଧନ ଦେଇ ଆଗାମୀ ନିର୍ବାଚନ ମାନଙ୍କରେ କଂଗ୍ରେସକୁ ଅଧିକ ଶକ୍ତିଶାଳୀ କରାଇ ଅଧିକ ସଂଖ୍ୟକ ଆସନ ଦଖଲ କରାଇବା ଦିଗରେ ସଂକଳ୍ପ ବଦ୍ଧ ହେବାପାଇଁ ଆହ୍ବାନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ସମସ୍ତ ବ୍ଲକ ସଭାପତି ମାନଙ୍କ ସମେତ ଶତାଧିକ ସଂଖ୍ୟାରେ ଦଳର ବିଭିନ୍ନ ସଂଗଠନର ନେତା , କର୍ମୀ ଓ ସମର୍ଥକ ମାନେ ଯୋଗ ଦେଇଥିଲେ।
ରାଜ୍ୟ
ଭାରତୀୟ ଜାତୀୟ କଂଗ୍ରେସର ୧୩୭ ତମ ପ୍ରତିଷ୍ଠା ଦିବସ : ଆଗାମୀ ପଞ୍ଚାୟତ ନିର୍ବାଚନରେ ଜିଲ୍ଲା ପରିଷଦ ଓ ପଞ୍ଚାୟତ ସମିତି କଂଗ୍ରେସ ଦଖଲରେ ରହିବ ନିଶ୍ଚିତ
- Hits: 613











