-
କଂଗ୍ରେସର ହିଂସାତ୍ମକ ଆନ୍ଦୋଳନକୁ ବିଜେଡ଼ିର ନିନ୍ଦା
-
ପୋଲିସ୍ ଭ୍ୟାନରେ ନିଆଁ ଲଗାଇବାକୁ ଉଦ୍ୟମ କରୁଥିଲେ
ଭୁବନେଶ୍ୱର: ମମିତାଙ୍କୁ ନ୍ୟାୟ ଦେବା ନାଁରେ ରାସ୍ତାକୁ ଓହ୍ଲାଇଥିବା କଂଗ୍ରେସ ଆଜି ହିଂସାର ରାସ୍ତା ଆପଣାଇ ପୋଲିସ୍ ଉପରେ ଆକ୍ରମଣ କରିବା ଘଟଣାକୁ ବିଜେଡ଼ି ପକ୍ଷରୁ ତୀବ୍ର ନିନ୍ଦା କରାଯାଉଛି ବୋଲି କହିଛନ୍ତି ବିଜେଡ଼ି ମୁଖପାତ୍ର ଲେନିନ୍ ମହାନ୍ତି ।
ଶ୍ରୀ ମହାନ୍ତି କହିଛନ୍ତି ଯେ ଗତକାଲି ବିଜେପି ଯୁବମୋର୍ଚ୍ଚା ପୋଲିସକୁ ଆକ୍ରମଣ କରି ଲହୁଲୁହାଣ କରିଥିବା ବେଳେ ଆଜି କଂଗ୍ରେସ ସେମାନଙ୍କ ସହ ପ୍ରତିଯୋଗିତା କରିବାକୁ ଯାଇ ପୋଲିସ୍ ଉପରକୁ ପଚା ଅଣ୍ଡା ଓ ଟମାଟୋ ଫିଙ୍ଗିଛନ୍ତି । ଏପରିକି ପୋଲିସ୍ ଗାଡ଼ିରେ ପଟ୍ରୋଲ ଢାଳି ନିଆଁ ଲଗାଇବାକୁ ଉଦ୍ୟମ କରିଛନ୍ତି । ତେବେ ସେମାନେ ଏଭଳି ହିଂସା ଘଟାଇବାରୁ ପୋଲିସ୍ ସେମାନଙ୍କୁ ବିରୋଧ କରି ଏକ ବଡ଼ ଧରଣର ଅଘଟଣକୁ ଏଡ଼ାଇଦେବାକୁ ସମର୍ଥ ହୋଇଛି ।
ଯେଉଁ ହିଂସାତ୍ମକ ଆଚରଣ ପାଇଁ ଦୀର୍ଘ ୨୨ ବର୍ଷ ହେଲା ଓଡ଼ିଶାବାସୀ କଂଗ୍ରେସକୁ ପ୍ରତ୍ୟାଖ୍ୟାନ କରିଆସୁଛନ୍ତି ଏବେ ବି କଂଗ୍ରେସ ତାହା ଛାଡ଼ିପାରୁ ନାହିଁ ବୋଲି ଆଜି ସେମାନଙ୍କ କାର୍ଯ୍ୟକଳାପରୁ ତାହା ପ୍ରମାଣିତ ହୋଇଯାଇଛି । ଏହାଛଡ଼ା ରାଜ୍ୟରେ କଂଗ୍ରେସ ଦଳ ଭିତରେ ଗୋଷ୍ଠୀ କନ୍ଦଳ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି । ଏପରିକି କଂଗ୍ରେସ ଭବନ ଭିତରେ ମଧ୍ୟ କଂଗ୍ରେସ କର୍ମୀ ଓ ନେତାମାନେ ପରସ୍ପର ମଧ୍ୟରେ ବାଡ଼ିଆପିଟା ହେଉଛନ୍ତି । ଦଳ ଦୟନୀୟ ଅବସ୍ଥାରେ ଥିଲେ ମଧ୍ୟ ନେତୃତ୍ୱକୁ ନେଇ ଟଣାଓଟରା ଲାଗି ରହିଛି ।
କଂଗ୍ରେସ ଦଳ ରାଜ୍ୟବାସୀଙ୍କ ଜନମାନସରୁ କ୍ରମଶଃ ହଜି ହଜି ଯାଉଥିବା ବେଳେ କେବଳ ସ୍ଥିତି ରକ୍ଷା ଲାଗି କଂଗ୍ରେସ କର୍ମୀମାନେ ଆନ୍ଦୋଳନ ନାଁରେ ରାଜରାସ୍ତାରେ ହିଂସା ପ୍ରଦର୍ଶନ କରି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବା ଲାଗି ଏଭଳି ହୀନ ଉଦ୍ୟମ କରିଛନ୍ତି । ସଦାବେଳେ ହିଂସା ଓ ବିଶୃଙ୍ଖଳିତ ଆଚରଣ ଲାଗି ବଦନାମ କଂଗ୍ରେସ ଏଭଳି ହିଂସା ଓ ଗୁଣ୍ଡାଗର୍ଦ୍ଧିରୁ ବିରତ ନ ରହିଲେ ଶାନ୍ତିପି୍ରୟ ଓଡ଼ିଶାବାସୀ ଏମିତି ସେମାନଙ୍କୁ ପ୍ରତ୍ୟାଖ୍ୟାନ କରିଚାଲିଥିବେ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।