ହେଡଲାଇନସ୍:

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପୁରୀ/ ଅନିମେଶ ପଟ୍ଟନାୟକ : ବହୁପ୍ରତିକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ସକାଳେ ମୁଖ୍ୟମନ୍ତ୍ରୀ ଶ୍ରୀକ୍ଷେତ୍ରରେ ପହଞ୍ଚିବା ପରେ ହେଲିପ୍ୟାଡରୁ ଶ୍ରୀମନ୍ଦିର ନିକଟରେ ପହଞ୍ଚିଥିଲେ । ଏହା ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ତାଙ୍କ ସହିତ ଗଜପତି ମହାରାଜା ଦିବ୍ୟ ସିଂହ ଦେବ ମଧ୍ୟ ଉପସ୍ଥିତ ଥିବା ବେଳେ ସେ ୩ଦିନ ଧରି ଚାଲିଥିବା ଯଜ୍ଞରେ ପୂର୍ଣ୍ଣାହୁତି ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ସହିତ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର, ରାଜ୍ୟ ମନ୍ତ୍ରିମଣ୍ଡଳର ସମସ୍ତ ସଦସ୍ୟ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ୫-ଟି ସଚିବ ଭି.କେ ପାଣ୍ଡିଆନ୍, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍ କୁମାରଙ୍କ ସମେତ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ ମଧ୍ୟ ଉପସ୍ଥିତ ଥିଲେ । ପ୍ରକଳ୍ପ ପାଇଁ ଜମି ଦେଇଥିବା ବ୍ୟକ୍ତିମାନଙ୍କୁ ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମ୍ୱର୍ଦ୍ଧିତ କରିଥିଲେ । ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ଆଜି ସାରା ବିଶ୍ବରେ ଜଗନ୍ନାଥ ପ୍ରେମିଙ୍କ ପାଇଁ ଏକ ଐତିହାସିକ ଦିନ |
ଏହି ପରିକ୍ରମା ଯୋଜନା ନିମନ୍ତେ ପ୍ରାୟ ୮ଶହ କୋଟି ଟଙ୍କା ଖର୍ଚ୍ଚ ହେବ । ଏହି ପ୍ରକଳ୍ପ ଲୋକାର୍ପିତ ହେବା ପରେ ଶ୍ରୀମନ୍ଦିର ଇତିହାସରେ ଯୋଡି ହେବା ଆଉ ଏକ ନୂଆ ଅଧ୍ୟାୟ ।
ଉତ୍ତର ପାର୍ଶ୍ୱ ମଠ ସମ୍ମୁଖ ଯଜ୍ଞ ମଣ୍ଡପରେ ଶାସ୍ତ୍ର ଅନୁସାରେ ଚାଲିଛି ଯଜ୍ଞ । ଗଜପତି ମହାରାଜ ଯଜ୍ଞର କର୍ତ୍ତା ଥିବା ବେଳେ ୩୩ଜଣ ଶ୍ରୋତ୍ରୀୟ ବ୍ରାହ୍ମଣ ନିୟୋଜିତ ହୋଇଥିଲେ । ଶ୍ରୀମନ୍ଦିର ଚାରିପାଖ ସୁରକ୍ଷା କରିଡର ସହ ସୃଷ୍ଟି ହେବ ସବୁଜ ବଳୟ ।

ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ସୁରକ୍ଷା କରିଡର ସହ ସବୁଜ ବଳୟ ସୃଷ୍ଟି ଏବଂ ସୌନ୍ଦର୍ଯ୍ୟ କରଣ । ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ଭକ୍ତଙ୍କ ପରିକ୍ରମା ନିମନ୍ତେ ଅନ୍ତଃ ଓ ବାହ୍ୟ ପ୍ରଦକ୍ଷିଣ ପଥ । ଚତୁଃପାର୍ଶ୍ୱରେ ଥିବା ମଠ ଏବଂ ମନ୍ଦିର ଗୁଡ଼ିକର ପୁନଃବିକାଶ କରାଯିବ ।

ରଥଯାତ୍ରା ଏବଂ ଅନ୍ୟ ଯାନିଯାତ୍ରା ସମୟରେ ବ୍ୟବହାର ପାଇଁ ସ୍ୱତନ୍ତ୍ର  ପ୍ରଦକ୍ଷିଣ ପଥ ରହିବ ।ଭକ୍ତଙ୍କ ସାମଗ୍ରୀ ରଖିବା ସକାଶେ ୫୦୦ ବର୍ଗମିଟର ପରିମିତ କ୍ଷେତ୍ରରେ ଗୃହ ନିର୍ମାଣ କରାଯିବ। ଦକ୍ଷିଣ ଓ ପଶ୍ଚିମ ଦ୍ଵାରରେ କ୍ଷୁଦ୍ର ସାମଗ୍ରୀ ରଖିବା ଗୃହ ରହିବ । ଭକ୍ତଙ୍କ ପାଇଁ ସମସ୍ତ ଦ୍ଵାରରେ ସୂଚନା ଓ ଦାନ କେନ୍ଦ୍ର, ସେବାୟତ ତଥା ପୁରୁଷ ଏବଂ ମହିଳା ଭକ୍ତଙ୍କ ନିମନ୍ତେ ସ୍ଵତନ୍ତ୍ର ଶୌଚାଳୟର ବ୍ୟବସ୍ଥା, ତୀର୍ଥଯାତ୍ରୀଙ୍କ ସୁରକ୍ଷା ଓ ନିରାପତ୍ତା ପାଇଁ ଆରକ୍ଷୀ ସେବା କେନ୍ଦ୍ର ଓ ପାନୀୟଜଳ, ପ୍ରାଥମିକ ଚିକିତ୍ସା କେନ୍ଦ୍ର ଏବଂ ଏ.ଟି.ଏମ୍ ଆଦିର ବ୍ୟବସ୍ଥା, ଶ୍ରୀମନ୍ଦିର ପ୍ରଶାସନ ମୁଖ୍ୟ କାର୍ଯ୍ୟାଳୟର ପୁନଃବିକାଶ ,ଏକାସାଙ୍ଗରେ ୬୦୦୦ ଭକ୍ତଙ୍କ ସୁବିଧା ନିମନ୍ତେ ଅଭ୍ୟର୍ଥନା ପ୍ରକୋଷ୍ଠ ସର୍ବୋପରି ପଶ୍ଚିମ ଓ ଦକ୍ଷିଣ ପାର୍ଶ୍ୱରେ ଭକ୍ତଙ୍କ ପାଇଁ ଆଶ୍ରୟସ୍ଥଳୀ ବ୍ୟବସ୍ଥା କରାଯିବ |

0
0
0
s2sdefault