ଅବ୍ୟବସ୍ଥାରେ ପୁରୀ ତହସିଲ; ୭ଦିନର କାମକୁ ୭ମାସ ଲାଗୁଛି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପୁରୀ/ଅନିମେଶ  ପଟ୍ଟନାୟକ: ବଦଳିଛି ସମୟ । ବଦଳିଛି କାମ କରିବାର ଶୈଳୀ । ସାରା ଦୁନିଆ ଏବେ ଡିଜିଟାଲାଇଜ ହେଉଛି । ସରକାରୀ କାମ ଏବେ ଘରେ ବସି  ହୋଇପାରୁଛି । ଖାଲି ସରକାରୀ ନୁହେଁ ଦୈନନ୍ଦିନର ସମସ୍ତ ଜରୁରୀ କାମକୁ ଏବେ ଅନ୍ ଲାଇନରେ ସହଜ ହୋଇଛି । ହେଲେ ଏସବୁଠୁ ବହୁ ପଛରେ ରହିଛି ପୁରୀ ତହସିଲ ଅଫିସ । ଏଠି ଅନ୍ ଲାଇନ ଆବେଦନ କଲେ ମଧ୍ୟ ପୂର୍ବ  ପରି ଧାଇଁବାକୁ ପଡ଼ୁଛି । ତହସିଲଦାର ବାବୁଙ୍କର ଦର୍ଶନ ହେଲାଯାଏଁ ସେମିତି ଧାଉଁଛନ୍ତି ଲୋକମାନେ । ଫଳ ସ୍ବରୂପ ୭ଦିନର କାମକୁ ୭ମାସ ଲାଗୁଥିବା ଚର୍ଚ୍ଚା ହେଉଛି ।
ସେପଟେ ଅଫିସ ଚାମ୍ବର ମେଲା ପଡ଼ୁଛି,ହେଲେ ତହସିଲଦାରଙ୍କ ଦେଖା ମିଳୁନି । ସିଟ ଖାଲି ପଡ଼ୁଛି । ବାବୁଙ୍କ ଚଉକିକୁ ଜଗି ରହୁଛି ବାବୁଙ୍କ ଚଷମା ଓ ଖୋଲା ପେନ । ଦିନ ଗଡ଼ି ଯାଉଛି, ହେଲେ ଆସୁ ନାହାନ୍ତି ବାବୁ । ଫଳରେ ନିରାଶ ହୋଇ ଫେରୁଛନ୍ତି ଲୋକେ । ଏନେଇ ଅନେକଥର ଜିଲ୍ଲାପାଳଙ୍କୁ ଅଭିଯୋଗ ହୋଇଥିବା ମଧ୍ୟ କୁହାଯାଉଛି । ହେଲେ କୌଣସି ସୁଧାର ଆସୁନଥିବା ଚର୍ଚ୍ଚା ହେଉଛି ।
ସୂଚନାଥାଉକି, ପ୍ରତ୍ୟେକ ଦିନ ତହସିଲ ଅଫିସକୁ ବିଭିନ୍ନ ଜାବତୀୟ କାମ ନେଇଁ ଆସିଥାନ୍ତି ଜିଲ୍ଲାର ଲୋକମାନେ, ଆଇନଜୀବୀ, ଛାତ୍ରଛାତ୍ରୀ ଓ ଗୁରୁତର ରୋଗୀ । ଆୟ ପ୍ରମାଣ ପତ୍ର ନେଲେ ସରକାରୀ ସହାୟତା ପାଇ ନିଜ ରୋଗର ଚିକିତ୍ସା କରିବା ପାଇଁ ରୋଗୀକୁ ଏଠି ବହୁବାର ଦୌଡ଼ିବାକୁ ପଡ଼ୁଛି । ଆବାସିକ ପ୍ରମାଣ ପତ୍ର, ଆୟର ପ୍ରମାଣ, ଲିଗାଲ ହାୟର ପ୍ରମାଣ ପତ୍ର ଠିକ ସମୟରେ ମିଳିନପାରିବାରୁ ଛାତ୍ରଛାତ୍ରୀମାନେ ଷ୍ଟାଇପେଣ୍ଡ୍ ପାଇବାରୁ ବଞ୍ଚିତ ହେଉଛନ୍ତି । ଜିଲ୍ଲା ତହସିଲ କାର୍ଯ୍ଯାଳୟ ଅଧିନରେ କାର୍ଯ୍ୟରତ ଅନେକ ଆରଆଇ ଫିଲ୍ଡ ଭେରିଫିକେସନ ନାଁରେ ବନ୍ଧୁଘର ବୁଲୁଥିବା ଅଭିଯୋଗ ହେଉଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଜମି ରେଜିଷ୍ଟ୍ରେସନ  ପରେ ତୁରନ୍ତ ପଟ୍ଟା ମିଳିବାକୁ ଆଇନ ଥିଲେ ବି ତାହା କାର୍ଯ୍ୟକାରୀ ହେଉନାହିଁ । ଅନଲାଇନରେ ଜମି ପଟ୍ଟା ଦେଖାଉଥିଲେ ବି ଓରିଜିନାଲ ପଟ୍ଟା ୭ମାସ ଲାଗିଲେ ବି ମିଳିପାରୁନଥିବା ସାଧାରଣରେ ଅଭିଯୋଗ ହେଉଛି । ତେଣୁ ଜିଲ୍ଲାପାଳ ଏଦିଗରେ ଯଥାଶୀଘ୍ର ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ବାଦି ହେଉଛି ।

0
0
0
s2sdefault