ଦିବଂଗତ ୪ ଜଣ କାର୍ଯ୍ୟରତ ସାମ୍ବାଦିକଙ୍କ ପରିବାରକୁ ଜିଲ୍ଲାପାଳ ପ୍ରଦାନ କଲେ ସହାୟତା ରାଶି
ଭୁବନେଶ୍ବର(ଶାସକ ପ୍ରଶାସକ) : କୋଭିଡ୍ ସମୟରେ ମୃତ୍ୟୁ ବରଣ କରିଥିବା ଭୁବନେଶ୍ବରର ୪ ଜଣ କାର୍ଯ୍ୟରତ ସାମ୍ବାଦିକଙ୍କ ପରିବାରକୁ ଆଜି ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ ସନତ କୁମାର ମହାନ୍ତି ୧୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିଛନ୍ତି । କରୋନା ବିରୁଦ୍ଧ ଲଢେଇରେ କାର୍ଯ୍ୟରତ ବେଳେ ପ୍ରାଣବଳି ଦେଇଥିବା ଏହି କୋଭିଡ ଯୋଦ୍ଧା ସାମ୍ବାଦିକମାନେ ହେଲେ ଇଂରାଜୀ ଦୈନିକ ପତ୍ରିକା ଟାଇମ୍ସ ଅଫ୍ ଇଣ୍ଡିଆର ପ୍ରୀତିମାନ ମହାପାତ୍ର, ଭୁବନେଶ୍ବର ଓ ବାଲେଶ୍ବରରୁ ପ୍ରକାଶ ପାଉଥିବା ଓଡିଆ ଦୈନିକ ପତ୍ରିକା 'ଆଜିକାଲି ' ର ସଂପାଦିକା ବିଜୟଲକ୍ଷ୍ମୀ ମହାନ୍ତି, ମୁକ୍ତବୃ୍ତ୍ତି (ଫ୍ରି ଲାନ୍ସ ) ସାମ୍ବାଦିକ ବସନ୍ତ ଦାସ ଓ ଜି ଓଡିଶା ଟିଭି ପ୍ରତିନିଧି ମାନସ ରଂଜନ ଜୟପୁରିଆ । ଆଜି ବ୍ୟାଙ୍କ ଜରିଆରେ ସେମାନଙ୍କର ପରିବାରର ହିତାଧିକାରୀଙ୍କୁ ଏହି ସହାୟତା ରାଶି ସ୍ଥାନାନ୍ତର କରାଯାଇଛି । ଆଜି ପ୍ରୀତିମାନ ମହାପାତ୍ରଙ୍କ ପତ୍ନୀ ସସ୍ମିତା ସାହୁ ଓ ବିଜୟଲକ୍ଷ୍ମୀଙ୍କ ପୁତ୍ର ନିର୍ମାଲ୍ୟ ମହାନ୍ତି ଏହି ସହାୟତା ରାଶି ଜିଲ୍ଲାପାଳଙ୍କ ଠାରୁ ଗ୍ରହଣ କରିଥିଲେ ।
ଅନ୍ୟ ଦୁଇଜଣ ହିତାଧିକାରୀ ଆସିପାରିନଥିଲେ ମଧ୍ୟ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଚକୁ ଟଙ୍କା ପ୍ରେରଣ କରାଯାଇଛି । ଏହି ସହାୟତା ରାଶି ଗ୍ରହଣ ପରିପ୍ରେକ୍ଷୀରେ ସମସ୍ତ ହିତାଧିକାରୀ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏହି ଆର୍ଥିକ ସହାୟତା ପ୍ରଦାନ ବେଳେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) ,ଖୋର୍ଦ୍ଧା ଶ୍ରୀ ଅନୁଜ କୁମାର ଦାସ ପଟ୍ଟନାୟକ, ଭୁବନେଶ୍ବର ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଶ୍ରୀ ପଠାଣି ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।











