କମିଟିରେ ଧୋନି, ମହିନ୍ଦ୍ରା, ରାଠୋର ଓ ସହସ୍ରବୁଦ୍ଧେ ଆଦି ରହିଛନ୍ତି ସଦସ୍ୟ
ନୂଆଦିଲ୍ଲୀ: ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (ଏନସିସି)କୁ ଅଧିକ ପ୍ରାସଙ୍ଗିକ ତଥା ତାହାର ଗଠନମୂଳକ ପୁନର୍ବିନ୍ୟାସ ପାଇଁ ଆବଶ୍ୟକ ସଂଶୋଧନ ଆଣିବା ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ଏକ ବୃହତ ପଦକ୍ଷେପ ନେଇଛନ୍ତି। ଏହି ଉଦ୍ଦେଶ୍ୟରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନରେ ଏକ ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟି ଗଠନ କରାଯାଇଛି | ପୂର୍ବତନ ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡାଙ୍କୁ ଏହି ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟିର ଅଧ୍ୟକ୍ଷ ନିଯୁକ୍ତ କରିଛନ୍ତି। ଏହି କମିଟି ରାଷ୍ଟ୍ର ନିର୍ମାଣ ଦିଗରେ ଅଧିକ ପ୍ରଭାବଶାଳୀ ଯୋଗଦାନ ପାଇଁ ଏନସିସି କ୍ୟାଡେଟମାନଙ୍କୁ ସଶକ୍ତ କରିବା ସକାଶେ ପରାମର୍ଶ ଦେବା ସହ ସଂଗଠନର ଉନ୍ନତି ପାଇଁ ଏନସିସି ଆଲୁମିନିଙ୍କ ଲାଭଜନକ ଯୋଗଦାନ ପାଇଁ କମିଟି ମଧ୍ୟ ସୁପାରିଶ କରିବ । ଅନୁରୂପ ଆନ୍ତର୍ଜାତୀୟ ଯୁବ ସଂଗଠନର ସର୍ବୋତ୍ତମ ଅଭ୍ୟାସକୁ ଏନସିସି ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ କରିବା ପାଇଁ ଏ ଉଚ୍ଚସ୍ତରୀୟ କମିଟି ମଧ୍ୟ ସୁପାରିଶ କରିବ | ଏହି ଉଚ୍ଚସ୍ତରୀୟ କମିଟିର ଶ୍ରୀ ପଣ୍ଡା ଅଧ୍ୟକ୍ଷ ଥିବା ବେଳେ ଏହି ୧୫- ଜଣିଆ ଉଚ୍ଚ ସ୍ତରୀୟ ବିଶେଷଜ୍ଞ କମିଟିରେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି, ମହିନ୍ଦ୍ରା ଗ୍ରୁପ୍ର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା, ସାଂସଦ ରାଜ୍ୟ ବର୍ଦ୍ଧନ ସିଂ ରାଠୋର, ସଂସଦ ବିନୟ ସାହସ୍ରାବୁଦ୍ଧେ. ଅବସରପ୍ରାପ୍ତ ମେଜର ଜେନେରାଲ ଆଲୋକ ରାଜ,ସଂଜୀବ ସାନୟାଲ, ପ୍ରଫେସର ବସୁଧା କାମତ, ପ୍ରଫେସର ନଜମା ଅକତାର, ଆନନ୍ଦ ସାହା, ମିଲିନ୍ଦ କାମ୍ବଲେ, ଦେବିକା ଭଣ୍ଡାରକର, ଋତୁରାଜ ସିହ୍ନା, ମୁକୁଲ କନିତ୍କାର, ମୟଙ୍କ ତିୱାରୀ ଆଦି ସଦସ୍ୟ ରହିଛନ୍ତି |
ନୂତନ ଦାୟିତ୍ୱ ପାଇଁ ଶ୍ରୀଯୁକ୍ତ ପଣ୍ଡା ପ୍ରଧାନମନ୍ତ୍ରୀ ଏବଂ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି ଯେ ଯୁବ ସଶକ୍ତୀକରଣ, ରାଷ୍ଟ୍ର ନିର୍ମାଣ ଏବଂ ରାଷ୍ଟ୍ରୀୟ ଏକତା ଅକ୍ଷୁର୍ଣ୍ଣ ରଖିବା ନିମନ୍ତେ ଏନସିସିରେ ସୁଧାର ଆଣିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱପ୍ନ ଆକାର ନେଉଛି। ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତଥା ଅନେକ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କ ସହ କାମ କରିବାର ସମ୍ମାନ ଦେଇଥିବାରୁ ମୁଁ ପ୍ରଧାନମନ୍ତ୍ରୀ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ପ୍ରତି ଗଭୀର କୃତଜ୍ଞ ବୋଲି ସେ କହିଛନ୍ତି। ଅନ୍ୟପଟେ ବୈଜୟନ୍ତଙ୍କ ନୂତନ ଦାୟିତ୍ୱ ନେଇ ତାଙ୍କ ସମର୍ଥକଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି। ବୈଜୟନ୍ତଙ୍କୁ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ତଥା ସମ୍ମାନସ୍ପଦ ଦାୟିତ୍ୱ ଦେଇଥିବାରୁ ସମର୍ଥକମାନେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।












