ଅଲ ଇଣ୍ଡିଆ ମୋବାଇଲ ରିଟେଲର ଏସୋସିଏସନର ବାର୍ଷିକ ଉତ୍ସବ
ବଲାଙ୍ଗୀର(ନିରୋଜ ମିଶ୍ର) - ଆଜି ଦେଶରେ ବିଭିନ୍ନ ଅନଲାଇନ୍ ବିକ୍ରୟ ସଂସ୍ଥା ଗୁଡିକ ଛତୁ ଫୁଟିଲା ପରି ଫୁଟୁଛନ୍ତି । ଜିନିଷ ବିକ୍ରି କରିବା ପାଇଁ ଗ୍ରାହକ ମାନଙ୍କୁ ନାନା ଲୋଭ ଦେଖାଇ କୌଣସି ମତେ ତାଙ୍କ ଜିନିଷ ବିକ୍ରୟ କରି ଦେଉଛନ୍ତି । କିନ୍ତୁ ଥରେ ଜିନିଷ ବିକ୍ରୟ ହୋଇଗଲେ ଏକ୍ତ ବସ୍ତୁର କୌଣସି ଦାୟିତ୍ୱ ନେଉ ନାହାନ୍ତି । ଫଳରେ ଗ୍ରାହକମାନେ ବିଭିନ୍ନ ସମୟରେ ଠକେଇର ଶିକାର ହେବା ଅଭିଯୋଗ ହେଉଛି । ଟିକିଏ ଶସ୍ତାରୁ ହିନସ୍ଥା ହେଉଛନ୍ତି ଅନେକ ଲୋକ | ଏହା ସହ ସ୍ଥାନୀୟ ଦୋକାନୀମାନେ ନିଜ ବ୍ୟବସାୟ ହରାଉଛନ୍ତି । ଆଜି ବଲାଙ୍ଗିରରେ ଅଲ ଇଣ୍ଡିଆ ରିଟେଲର ଏସୋସିଏସନ ର ସପ୍ତମ ବାର୍ଷିକ ଉତ୍ସବରେ ଅମିରା ଏହା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ସହ ପ୍ରତ୍ୟେକ ବଲାଙ୍ଗିରବାସୀଙ୍କୁ ସ୍ଥାନୀୟ ଦୋକାନୀଙ୍କୁ ସହେଯାଗର ହାତ ବଢାଇବା ପାଇଁ ଅନୁରୋଧ କରିଛି । ଆଜି ଜିଲ୍ଲା ସଭାପତି ଶ୍ରୀ ରାମ ଶଙ୍କର ମିଶ୍ରଙ୍କ ସମେତ ସଦସ୍ୟ ମହେଶ ଅଗ୍ରୱାଲ, ବଣ୍ଟି ଅଗ୍ରୱାଲ ଓ ଭିକି ସୁବୁଦ୍ଧି ପ୍ରଥମେ ଲଖପାଲି ରାସ୍ତାରେ ବୃକ୍ଷାରୋପଣ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ପରେ ସମସ୍ତ ସଦସ୍ୟ ସ୍ଥାନୀୟ ରେଡକ୍ରସ ବ୍ଲଡ ବ୍ୟାଙ୍କ କୁ ଯାଇ ରକ୍ତଦାନ କରିଥିଲେ । ଏହି ସଂସ୍ଥା ଦିର୍ଘ ସାତ ବର୍ଷ ହେଲା ଗ୍ରାହକମାନଙ୍କୁ ମୋବାଇଲ ବିକ୍ରୟ କରିବା ସହିତ ତାଙ୍କ ସୁଖଃଦୁଖ ରେ ସାମିଲ ରହିଛି ଓ ଆଗକୁ ମଧ୍ୟ ସେଭଳି ଭାବେ ଗ୍ରାହକଙ୍କ ସହ ରହିବ ବୋଲି ସଭାପତି ଦୃଢୋକ୍ତି ପ୍ରକାଶ କରିଛନ୍ତି । ତେବେ ଏହି ଅବସରରେ ଅମିରା ସମସ୍ତ ବଲାଙ୍ଗିର ବାସୀଙ୍କୁ ନୂଆଁଖାଇ ର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛି ।