ରାୟଗଡାରୁ ସରୋଜ କୁମାର ସାହୁ: ରାୟଗଡା ଜିଲ୍ଲାରେ ସ୍ଵତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ରଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ବିବେକାନନ୍ଦ ଶର୍ମା, ରାଜ୍ୟ ପୋଷ୍ୟ ସନ୍ତାନ ଗ୍ରହଣ ସମ୍ବଳ କେନ୍ଦ୍ରର କାର୍ଯ୍ୟକ୍ରମ ପରିଚାଳକ ଶ୍ରୀ ଶୁଭଦର୍ଶୀ ଦାସ, ଜିଲ୍ଲା ଅତିରିକ୍ତ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ବି ଏଲ ଏନ ପୃଷ୍ଟି, ରାୟଗଡା ଶିଶୁ ମଙ୍ଗଳ ସମିତିର ଅଧକ୍ଷ ଶ୍ରୀ ରାଜକିଶୋର ସାହୁ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ଯାଜ୍ଞସେନୀ ବେହେରା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ନାୟକ, ସ୍ଵତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରକୁ ପରିଚାଳନା କରୁଥିବା ସଂସ୍ଥା (ଆଇଡିଏସ)ର ସମ୍ପାଦକ ଶ୍ରୀ ଦେବେନ୍ଦ୍ର କୁମାର ବେହେରା ଓ ପୋଷ୍ୟ ସନ୍ତାନ ଗ୍ରହଣ ପରାମର୍ଶଦାତା ଶ୍ରୀ ପ୍ରଶାନ୍ତ କୁମାର କାନୁନଗୋ ପ୍ରମୁଖ ଉପସ୍ଥିତ ରହିଥିଲେ । ଗତ ୫ ବର୍ଷରେ ରାୟଗଡା ଜିଲ୍ଲାର ମୋଟ ୨୬ ଜଣ ଶିଶୁଙ୍କୁ ଶିଶୁ ମଙ୍ଗଳ ସମିତି, ରାୟଗଡାଙ୍କ ନିର୍ଦ୍ଦେଶ କ୍ରମେ ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ଦ୍ୱାରା ଗ୍ରହଣ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୯ ଜଣ ଶିଶୁଙ୍କୁ କେନ୍ଦ୍ର ସରକାରଙ୍କ କେନ୍ଦ୍ରୀୟ ପୋଷ୍ୟ ସନ୍ତାନ ଗ୍ରହଣ ନିୟମାବଳୀ ଅନୁଯାୟୀ ଜିଲ୍ଲା ଜଜ ଙ୍କ ନିର୍ଦ୍ଦେଶକ୍ରମେ ପୋଷ୍ୟ ସନ୍ତାନ ଗ୍ରହଣ ପାଇଁ ଇଚ୍ଛା କରୁଥିବା ପିତାମାତାଙ୍କୁ ହସ୍ତାନ୍ତର କରଯାଇଛି । ଗତ ପାଞ୍ଚ ବର୍ଷ ମଧ୍ୟରେ ଶିଶୁ ମାନେ ଉକ୍ତ ପିତାମାତାଙ୍କ ପାଖରେ କିପରି ରହିଛନ୍ତି ଓ ସେମାନଙ୍କର ବର୍ତ୍ତମାନର ସ୍ଥିତି ବିଷୟରେ ଆଇଡିଏସ ସଂସ୍ଥାର କାର୍ଯ୍ୟକର୍ତ୍ତା ମାନେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ । କିଛି ଶିଶୁ ରାଜ୍ୟ ଭିତରେ, କିଛି ଶିଶୁ ରାଜ୍ୟ ବାହାରେ ଓ କିଛି ଶିଶୁ ଅନ୍ୟଦେଶରେ ଯାଇ ପୋଷ୍ୟ ସନ୍ତାନ ଭାବେ ସେହି ପିତାମାତାଙ୍କ ପାଖରେ ରହିଥିବାର ଫଟୋ ଓ ଶିଶୁ ମାନଙ୍କ ବର୍ତ୍ତମାନର ଜୀବନ ଶୈଳୀ ବିଷୟରେ ଅବଗତ କରାଇଥିଲେ ।
ଜିଲ୍ଲାପାଳ ଶ୍ରୀଯୁକ୍ତ ମିଶ୍ର ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଶର୍ମା ଶିଶୁ ମାନଙ୍କର ବର୍ତ୍ତମାନର ଜୀବନ ଶୈଳୀ ବିଷୟରେ ଶୁଣି ଖୁସି ବ୍ୟକ୍ତ କରିବା ସଙ୍ଗେ ସଙ୍ଗେ ଆଗାମୀ ଦିନରେ ରାୟଗଡା ଜିଲ୍ଲାରେ ଏହିଭଳି ଶିଶୁ ମାନଙ୍କର ଉପଯୁକ୍ତ ଥଇଥାନ ନିମନ୍ତେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ପୋଷ୍ୟ ସନ୍ତାନ ଗ୍ରହଣ ନିମନ୍ତେ ରାୟଗଡା ଜିଲ୍ଲା ପାଇଁ (କାରା) ଦ୍ୱାରା ପ୍ରଦତ୍ତ ସ୍ଵତନ୍ତ୍ର ଆଇଡିକୁ ଜିଲ୍ଲାପାଳ ସରକାରୀ ଭାବେ ଉନ୍ମୋଚନ କରି ସ୍ଵତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରକୁ ଉଦଘାଟନ କରିଥିଲେ ।
ପ୍ରକାଶ ଥାଉ କି, ଯଦି କୌଣସି ସ୍ଥାନରେ ଅବହେଳିତ ବା ପରିତ୍ୟକ୍ତ ଅବସ୍ଥାରେ କୌଣସି ଶିଶୁ ନଜରକୁ ଆସନ୍ତି ତେବେ ଯେ କେହି ତୁରନ୍ତ ଚାଇଲ୍ଡଲାଇନ କୁ ୧୦୯୮ ଦେୟ ମୁକ୍ତ ନମ୍ବରରେ ଫୋନ କରି ଜଣାଇପାରିବେ ଏବଂ ଉଦ୍ଧାର କରାଯାଇଥିବା ଶିଶୁକୁ ଶିଶୁ ମଙ୍ଗଳ ସମିତିରେ ହାଜର କରାଇବା ପରେ ଶିଶୁର ଯଦି କେହି ନିଜର ଲୋକ ନଥାନ୍ତି ବା ଶିଶୁର ନିଜର ଲୋକ ମାନଙ୍କ ମଧ୍ୟରୁ କେହିବି ଉକ୍ତ ଶିଶୁ ର ଯତ୍ନ ନେବାକୁ ଇଚ୍ଛା ପ୍ରକାଶ କରୁ ନ ଥାନ୍ତି ତେବେ ଶିଶୁଟିକୁ ପୋଷ୍ୟ ସନ୍ତାନ ଯୋଗ୍ୟ ବୋଲି ଆଇନତଃ ଘୋଷଣା କରାଯିବା ସହିତ ଜିଲ୍ଲାରେ ସ୍ଵତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରରେ ରଖାଯିବ ଓ ଯେଉଁ ପିତାମାତାଙ୍କ କୌଣସି ଶିଶୁ ନାହାନ୍ତି ଓ ସେମାନେ ପୋଷ୍ୟ ସନ୍ତାନ ଗ୍ରହଣ କରିବାକୁ ଇଚ୍ଛା କରୁଥିଲେ କେନ୍ଦ୍ରୀୟ ପୋଷ୍ୟ ସନ୍ତାନ ଗ୍ରହଣ ନିୟମାବଳୀ ଅନୁଯାୟୀ ଆଇନଗତ ଭାବେ ଶିଶୁକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରି ପାରିବେ । ପୋଷ୍ୟ ସନ୍ତାନ ଗ୍ରହଣ କରିବାକୁ ଇଚ୍ଛା ପ୍ରକାଶ କରୁଥିବା ଦମ୍ପତି ମାନେ କେନ୍ଦ୍ର ସରକାରଙ୍କ www.cara.nic.in ପୋର୍ଟାଲରେ ଆବଶ୍ୟକୀୟ ତଥ୍ୟ ପ୍ରଦାନ କରି ପୋଷ୍ୟ ସନ୍ତାନ ଗ୍ରହଣ ପାଇଁ ଆବେଦନ କରିପାରିବେ। ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ସମସ୍ତ ଷ୍ଟାଫ, ଶିଶୁ ମଙ୍ଗଳ ସମିତିର ଅନ୍ୟ ସଦସ୍ୟାମାନେ, ରାୟଗଡା ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଶ୍ରୀମତୀ ମୀନାକ୍ଷୀ ଦାସ, ଆଇସିଡିଏସ କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀମତୀ କାମାକ୍ଷୀ ମଞ୍ଜରି ପାଢୀ, ଜିଲ୍ଲା ଓ ଚାଇଲ୍ଡଲାଇନ ସମେତ ଆଇଡିଏସ ସଂସ୍ଥାର କର୍ମକର୍ତ୍ତାମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।
ରାଜ୍ୟ
ରାୟଗଡା ଜିଲ୍ଲାପାଳ ଉଦଘାଟନ କଲେ ସ୍ଵତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର
- Hits: 389











