ଅନାବୃଷ୍ଟି ଜନିତ ପରିସ୍ଥିତିର ଜରୁରୀକାଳୀନ ସମୀକ୍ଷା ବୈଠକ
କ୍ଷେତ୍ର ଅଫିସର ମାନେ ଅନାବୃଷ୍ଟି ଜନିତ ପରିସ୍ଥିତିରେ ଚାଷୀ ଓ ଫସଲ ପରିସ୍ଥିତି ସହ ନିୟମିତ ସମ୍ପର୍କ ରଖିବା ଦରକାର : ମନ୍ତ୍ରୀ ଡ. ଅରୁଣ ସାହୁ
ଭୁବନେଶ୍ବର(ଶାସକ ପ୍ରଶାସକ) : "ନିଜର ମୁଖ୍ୟାଳୟ (ମୁଖ୍ୟ କାର୍ୟାଳୟ) କେହି ଛାଡି ପାରିବେ ନାହିଁ । କୌଣସି ଅଫିସରଙ୍କର ମୋବାଇଲ ବନ୍ଦ ହେବନି ଯେମିତି | ଜରୁରୀକାଳୀନ ପରିସ୍ଥିତିରେ ଆମେ ଯଦି ଚାଷୀଙ୍କର ସାହାଯ୍ୟରେ ନ ଆସିବୁ ତାହେଲେ ଲାଭ ନାହିଁ । ଏହା ଆମର କର୍ତ୍ତବ୍ୟ" ବୋଲି ଆଜି ଅନାବୃଷ୍ଟି ଜନିତ ପରିସ୍ଥିତିର ଜରୁରୀକାଳୀନ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ଏହା କହିଛନ୍ତି କୃଷି ଓ କୃଷକ ସଶକ୍ତିକରଣ, ପ୍ରାଣୀସମ୍ପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ: ଅରୁଣ ସାହୁ ।
ଡ଼ ସାହୁ ଅଫିସରମାନଙ୍କୁ କହିଛନ୍ତି "କ୍ଷେତ୍ର ଅଫିସର ମାନେ ଅନାବୃଷ୍ଟି ଜନିତ ପରିସ୍ଥିତିରେ ଚାଷୀ ଓ ଫସଲ ପରିସ୍ଥିତି ସହ ନିୟମିତ ସମ୍ପର୍କ ରଖିବା ଦରକାର । ଆପଣ ମାନେ ଦରକାର ପଡ଼ିଲେ ଜମି ପାଖକୁ ଯାଆନ୍ତୁ। ପରିବା ବଗିଚା, ମାଛ ଚାଷ ଇତ୍ୟାଦି ଜାଗାକୁ ଯାଆନ୍ତୁ। ଆମର କର୍ତ୍ତବ୍ୟ ରୁ ନିଜକୁ ଦୂରେଇ ରଖିବାନି| ପଞ୍ଚାୟତ ଓ ବ୍ଲକ ସ୍ତରରେ ନିଜ ଅଞ୍ଚଳର ଜଳ ନିଧି, ସୌର ଜଳ ନିଧି ଉଠା ଜଳସେଚନ, ଅନ୍ୟ ଉଠା ଜଳସେଚନ ,କ୍ଷେତ ପୋଖରୀ , କ୍ଷୁଦ୍ର ଓ ମାଧ୍ୟମ ଜଳସେଚନ ପ୍ରକଳ୍ପ ସବୁର ଡାଟା ବେସ ପ୍ରସ୍ତୁତ କରନ୍ତୁ । ସେଥି ମଧ୍ୟରୁ କେତୋଟି ସମ୍ପୁର୍ଣ ହୋଇଛି , କେଉଁ ଗୁଡିକ ଚାଲୁ , ଅଚଳ , ମରାମତି ଯୋଗ୍ୟ , ବିଜୁଳୀ ସଂଯୋଗ ବିଛିନ୍ନ ଓ ସମ୍ପୁର୍ଣ ଅଚଳ ତାହାର ବିଶଦ ବିବରଣୀ ସଂଗ୍ରହ କରି ଜିଲ୍ଲା ସ୍ତରକୁ ଜଣାଇଲେ ତ୍ଵରିତ ପଦକ୍ଷେପ ନିଆଯିବ | କୌଣସି ଅଫିସରଙ୍କର ମୋବାଇଲ ବନ୍ଦ ହେବନି ଯେମିତି। ଯେକୌଣସି ସମୟରେ ପଚାରିଲେ ତତକ୍ଷଣାତ ବିବରଣୀ ପ୍ରଦାନ ନିମନ୍ତେ ପ୍ରସ୍ତୁତ ରହିବେ । ଜରୁରୀ କାଳୀନ ପରିସ୍ଥିତିର ମୁକାବିଲା ନିମନ୍ତେ ସପ୍ତାହର ସାତଦିନ ନିଜ କାର୍ଯ୍ୟାଳୟ ଖୋଲାରଖନ୍ତୁ ।" ବୋଲି ମନ୍ତ୍ରୀ ଡ଼ ସାହୁ କହିଛନ୍ତି |
ଶ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ନିଜ ଅଞ୍ଚଳର ଅନାବୃଷ୍ଟି ଓ ସମ୍ଭାବ୍ୟ ମରୁଡ଼ିର ପ୍ରତିକାର ନିମନ୍ତେ ଫସଲ ବିବିଧିକରଣ ଓ ସମନ୍ଵିତ କୃଷି କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ଜିଲ୍ଲା ସ୍ତରରେ ଆପାତ କାଳୀନ ଯୋଜନା ପ୍ରସ୍ତୁତ କରାଯାଉ | ଏଥିରେ ସ୍ବଲ୍ପ ମିଆଦି ଓ ମଧ୍ୟମ ମିଆଦି ଯୋଜନା ରହିବା ଦରକାର । ଏଥିନିମନ୍ତେ ଆବଶ୍ୟକ ଇନପୁଟ ନିମନ୍ତେ ତୁରନ୍ତ ରାଜ୍ୟ ମୁଖ୍ୟାଳୟକୁ ଜଣାନ୍ତୁ । ଜଳ ଯୋଗାଣ ପ୍ରସଙ୍ଗରେ ଜଳସଂପଦ ବିଭାଗ ସହ ଯୋଗାଯୋଗ କରନ୍ତୁ । ଏହାଛଡା ପ୍ରତି ଶନିବାରଦିନ 5 ଟା ସମୟରେ ବ୍ଲକ ଓ ଜିଲ୍ଲା ସ୍ତରରେ ସମସ୍ତ ପାଞ୍ଚଟି ବିଭାଗର ସମୀକ୍ଷା ବୈଠକ ଅନୁଷ୍ଠିତ ହେବ। ସେହିପରି ପଞ୍ଚାୟତ ସ୍ତରୀୟ ବୈଠକ ମଧ୍ୟ ଯଥାରୀତି ଯେମିତି ଚାଲିବ ତାହା ନିଶ୍ଚିତ କରାଇବା ପାଇଁ ନିର୍ଦ୍ଦେଶ ଦେଵାସହ ନିଜେ ସବୁ ରବିବାର ଦିନ ସାରା ଓଡିଶାର ସବୁ ଅଫିସର ମାନଙ୍କ ସହ ଆଜି ଭଳି ସମୀକ୍ଷା କରିବେ ବୋଲି ତାଗିଦ କରିଛନ୍ତି ମନ୍ତ୍ରୀ ନିଜର ସବୁ ଅଫିସର ମାନଙ୍କୁ ।
ଏହି ଉଚ୍ଚସ୍ତରୀୟ ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଶାସନ ସଚିବ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗର ଶାସନ ସଚିବଙ୍କ ସମେତ କୃଷି, ଉଦ୍ୟାନ କୃଷି , ମୃତ୍ତିକା ସଂରକ୍ଷଣ , ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ନିର୍ଦ୍ଦେଶକ ମାନେ ଓ ସମସ୍ତ ଉଚ୍ଚ ଆଧିକାରୀମାନେ ଏହି ଆଭାସୀ ସମୀକ୍ଷା ବୈଠକରେ ଯୋଗଦେଇଥିଲେ । ଏହି ବୈଠକରେ ଉକ୍ତ ସମସ୍ତ ନିର୍ଦ୍ଦେଶାଳୟ ଅଧିନସ୍ଥ ଜିଲ୍ଲା ଓ ବ୍ଲକ ସ୍ତରୀୟ ଅଫିସର ମାନେ ନିଜ ନିଜ ମୁଖ୍ୟାଳୟରେ ଉପସ୍ଥିତ ରହିଥିଲେ ।